23 February 2017
9:40:47 PM
Sambad News
ନବରଙ୍ଗପୁର

ଧାନବସ୍ତା ଧରି ରାଜରାସ୍ତାରେ ଚାଷୀ

By Sambad | Date: Jan 9 2017 6:31AM
ଧାନବସ୍ତା ଧରି ରାଜରାସ୍ତାରେ ଚାଷୀ

ଝରିଗାଁ : ନବରଙ୍ଗପୁର ଜିଲ୍ଲାରେ ତେଜିଲା ଚାଷୀ ଆନ୍ଦୋଳନ। ଝରିଗାଁ ବ୍ଲକ ବେଲଗାଁ ଧାନ ମଣ୍ଡିରେ ଅବ୍ୟବସ୍ଥାର ସମାଧାନ ଦାବି କରି ଗତକାଲି ଚାଷୀମାନେ ଧାନ କିଣା ବନ୍ଦ କରି ଦେଇଥିଲେ। ଏହାପରେ ଆଜି ପରିସ୍ଥିତି ଆହୁରି ଅଧିକ ଅଶାନ୍ତ ହୋଇପଡ଼ିଥିଲା। ଦାବି ପୂରଣ ପାଇଁ ରାଜରାସ୍ତାକୁ ଉହ୍ଲାଇଥିଲେ ଶତାଧିକ ଚାଷୀ। ପ୍ରଶାସନର ଉପେକ୍ଷା ପ୍ରତିବାଦରେ ଉତ୍ତ୍ୟକ୍ତ ହୋଇ ଚାଷୀମାନେ ସକାଳ ୧୦ଟାରେ ଝରିଗାଁ-ଉମରକୋଟ ମୁଖ୍ୟରାସ୍ତାର କରମରୀ ଛକ ଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଥିଲେ।  ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଝରିଗାଁର ବେଲଗାଁ ମଣ୍ଡିକୁ ଛାଡ଼ିଦେଲେ ଅନ୍ୟ ମଣ୍ଡି ଗୁଡ଼ିକରେ ହଜାରେ କୁଇଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଉଛି। ହେଲେ ଏଠାରେ ପାତରଅନ୍ତର କରାଯାଉଛି।  

 
ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଗତକାଲି ଶୀତକାକରରେ ଚାଷୀ ଧାନକୁ ଜଗି ବସିଲେ। ହେଲେ କେହି ପ୍ରଶାସନିକ ଅଧିକାରୀ ଆସିଲେ ନାହିଁ। ଶେଷରେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛୁ ବୋଲି ଚାଷୀମାନେ କହିଥିଲେ। ଅନ୍ୟପକ୍ଷରେ ରାସ୍ତାରୋକ ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯାତ୍ରୀମାନେ  ନାହିଁ ନଥିବା ହଇରାଣ ହୋଇଥିଲେ। ପରେ ଘଟଣାସ୍ଥଳରେ ଝରିଗାଁ ଏଏସଆଇ ସୁବାସ ବେହେରା ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ଅପରାହ୍ନରେ ଝରିଗାଁ ଅତିରିକ୍ତ ତହସିଲଦାର ବାବୁଲାଲ ସାମଲ ପହଞ୍ଚିଥିଲେ। ଆସନ୍ତାକାଲି ଠାରୁ ମଣ୍ଡିରୁ ପ୍ରତ୍ୟେହ ଦୁଇ ହଜାର କୁଇଣ୍ଟାଲ ଧାନ କ୍ରୟ କରାଯିବା ନେଇ ଘୋଷଣା କରାଯିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା।