27 June 2017
7:34:27 AM
image
Sambad News
ନୟାଗଡ଼

କାଠ ସହ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଜଣେ ଗିରଫ

By Sambad | Date: Jan 9 2017 1:54AM
କାଠ ସହ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଜଣେ ଗିରଫ

ଖଣ୍ଡପଡା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନାଞ୍ଚଳ ଅଧିନସ୍ଥ ସିଧାମୂଳା ମହାନଦୀ ସେତୁ ଉପରେ ଗତକାଲି ବିଳମ୍ବିତ ରାତିରେ  ଖଣ୍ଡପଡ଼ା ବନବିଭାଗ ପକ୍ଷରୁ ଗାଡ଼ି ମଟର ଯାଞ୍ଚ ବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ୮ଟି ମୂଲ୍ୟବାନ କେନ୍ଦୁ ଲଗ୍‌ ଜବତ କରିବା ସହ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି। 

 
ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ବନାଞ୍ଚଳରୁ ସିଧାମୂଳା ମହାନଦୀ ସେତୁ ଓ କଣ୍ଟିଲୋ ଦେଇ ବାଙ୍କୀ ଅଞ୍ଚଳକୁ ଚୋରାରେ କାଠ ଚାଲାଣ ହେଉଥିବା ନେଇ ପୁର୍ବରୁ ଅଭିଯୋଗ ହୋଇଆସୁଥିଲା। ତେଣୁ ଗତ କାଲି ସିଧାମୂଳା ମହାନଦୀ ସେତୁ ଉପରେ ଖଣ୍ଡପଡ଼ା ବନବିଭାଗ ପକ୍ଷରୁ ଯାଞ୍ଚ ବେଳେ ଏକଡାଳ ଗ୍ରାମପଟୁ ସିଧାମୂଳା ଅଭିମୁଖେ ଯାଉଥିବା କୁଣ୍ଡା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ (ନଂ -ଓଡ଼ି ୦୫ ଜି ୬୯୮୭)ଟିକୁ ବନବିଭାଗ କର୍ମଚାରୀମାନେ ପିଛାକରି ଜବତ୍‌ କରିିଥିଲା। ବନବିଭାଗ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇ ଗାଡ଼ିଚାଳକଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି। 
 
ଜବତ୍‌ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବବୋଲି ଅନୁମାନ କରାଯାଉଛି। ଜବତ୍‌ ପିକ୍‌ଅପ୍‌ ଭ୍ୟାନ୍‌ଟି କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ କଇମୁଣ୍ଡି ଗ୍ରାମର ଗୁନା ରାଉତଙ୍କର ବୋଲି ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ଚଢ଼ଉ ବେଳେ ଖଣ୍ଡପଡ଼ା ବନପାଳ ଶ୍ରୀନିବାସ ଦାଶ ଓ କଣ୍ଟିଲୋ ବନପାଳ ଶ୍ରୀନିବାସ ମହାପାତ୍ରଙ୍କ ସମେତ୍‌ ଅନ୍ୟାନ୍ୟ ବନକର୍ମଚାରୀମାନେ ଉପସ୍ଥିତ ଥିଲେ।