21 January 2017
4:15:38 PM
image
Sambad News
ନୟାଗଡ଼

ଭୋଟ ବର୍ଜନ କରିବେ ସୁରୁକାବାରି ଗ୍ରାମବାସୀ

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

By Sambad | Date: Jan 10 2017 6:43AM
ଭୋଟ ବର୍ଜନ କରିବେ ସୁରୁକାବାରି ଗ୍ରାମବାସୀ

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‍ ଗାତେରି ପଞ୍ଚାୟତ ସୁରୁକାବାରି ଗ୍ରାମବାସୀ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ, ଅନୁଯାୟୀ ସୁରୁକାବାରିରେ ବସବାସ କରୁଥିବା ୫୦୦ରୁ ଅଧିକ ଲୋକଙ୍କ ପାଇଁ ଗାଁରେ ଭଲ ପାଦଚଲା ରାସ୍ତାଟିଏ ବି ନାହିଁ। ଖରା ହେଉ କି ବର୍ଷା, ସଦାସର୍ବଦା କଲବଲ ହୋଇ ଗାଁକୁ ଯିବାକୁ ପଡ଼ୁଛି। ସେ ପୁଣି ଡାହୁକା ନଦୀକୁ ପାର ହୋଇ। ବର୍ଷା ଦିନ ଆସିଲେ ଗାଁକୁ ଯା’ଆସ ବନ୍ଦ ହୋଇଯାଉଛି। ଗାଁକୁ ଯିବାକୁ ହେଲେ ଆଣ୍ଠୁଏ କାଦୁଅ ଓ ପାଣିରେ ପହଁରି ଗାଁକୁ ଯିବାକୁ ପଡ଼ୁଛି। 

 
ଏ ନେଇ ବାରମ୍ବାର ବ୍ଲକ୍‍ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କଲେଣି। ପ୍ରତିବର୍ଷ ଦାବିପତ୍ର ଦେଇ ଆସୁଛନ୍ତି। କିନ୍ତୁ ଆଦିବାସୀ ବହୁଳ ଏହି ଗାଁକୁ ଜିଲ୍ଲା ପ୍ରଶାସନ ଅବହେଳା କରି ଆସୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନେତାମାନେ ବି ଭୋଟ ସମୟରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଇ ଚାଲିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କନ୍ଧମାଳ ସାଂସଦ ଉପନିର୍ବାଚନ ସମୟରେ ମୌଳିକ ସୁବିଧା ଦାବିରେ ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ। ତଥାପି ଦାବି ପୂରଣ ହୋଇ ନଥିବାରୁ ଗ୍ରାମବାସୀ ପୁନର୍ବାର ଭୋଟ୍‍ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ମୌଳିକ ସୁବିଧା ପାଇଁ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରି କରି ନିରାଶ ହେବା ପରେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।