26 May 2017
10:20:47 PM
image
Sambad News
ନୟାଗଡ଼

ଲୁଟିନେଲେ ୩ ଲକ୍ଷ ୪୯ ହଜାର ଟଙ୍କା

By Sambad | Date: Jan 10 2017 6:44AM
ଲୁଟିନେଲେ ୩ ଲକ୍ଷ ୪୯ ହଜାର ଟଙ୍କା

ଦଶପଲ୍ଲା : ଦଶପଲ୍ଲା ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲ ଓ ଟାକେରା ଆଦି ସ୍ଥାନରେ ଗତ କିଛିଦିନ ତଳେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଆଜି ଲୁଟେରମାନେ ଦଶପଲ୍ଲା ସହରର ଜନଗହଳିପୂର୍ଣ୍ଣ ଦୁର୍ଗା ବଜାର ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥର କୁଆଁରିଆ ସେତୁ ଉପରୁ ଦିନ ଦ୍ୱିପ୍ରହରରେ ୩ ଲକ୍ଷ ୪୯ ହଜାର ଟଙ୍କା ଲୁଟି ନେଇଛନ୍ତି। ସ୍ପଷ୍ଟ ଦିବାଲୋକରେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବନ୍ଧୁକ ଦେଖାଇ ନୟାଗଡ଼ର ଅନ୍ୟତମ ତେଜରାତି ବ୍ୟବସାୟୀ ରଞ୍ଜନ କୁମାର ପୃଷ୍ଟିଙ୍କଠାରୁ ଉକ୍ତ ଟଙ୍କା ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି। 
 
ଅଭିଯୋଗ ମୁତାବକ ରଞ୍ଜନଙ୍କ କଲେକ୍‌ସନ ଏଜେଣ୍ଟ ଖଣ୍ଡୁଗାଁର ପ୍ରଦୀପ୍ତ କୁମାର ପାଣି ଓ ଇଟାମାଟିର ରତ୍ନାକର ସାଥୁଆ ଦଶପଲ୍ଲାର ବିଭିନ୍ନ ଦୋକାନରୁ ୪ ଲକ୍ଷ ୩୪ ହଜାର ଟଙ୍କା କଲେକ୍‌ସନ ସାରି ଏକ ହିରୋହୋଣ୍ଡା ସାଇନ୍‌ (ଗାଡ଼ି ନମ୍ବର-ଓଆର୍‌-୦୨-୨୫ବି ୧୫୭୧) ଯୋଗେ ମେଡିକାଲ ଛକରୁ ଦୁର୍ଗା ବଜାର ନିକଟରେ ଥିବା ଆଇସିଆଇସିଆଇ ବ୍ୟାଙ୍କ୍‌ରେ ଟଙ୍କା ଜମା କରିବା ପାଇଁ ଆସୁଥିଲେ। ମାତ୍ର ପୂର୍ବ ପ୍ରସ୍ତୁତି ମୁତାବକ ୩ ଜଣ ଲୁଟେରା ଏକ ନୀଳ ରଙ୍ଗର ନମ୍ବରବହୀନ ପଲ୍‌ସର ଧରି ଏଜେଣ୍ଟ ୨ ଜଣଙ୍କୁ ପିଛା କରିଥିଲେ। ବ୍ୟାଙ୍କ୍‌ଠାରୁ ମାତ୍ର ୫ ଶହ ମିଟର ବାକି ଥିବା ବେଳେ ଜନଗହଳିପୂର୍ଣ୍ଣ ଦୁର୍ଗାବଜାରଠାରେ କୁଆଁରିଆ ସେତୁ ଉପରେ ଏମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ଦୁଇ ଏଜେଣ୍ଟ ଗାଡ଼ିରୁ ଛିଟିକତ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ଭୁଜାଲିରେ ଡିକି ଭାଙ୍ଗି ୩ ଲକ୍ଷ ୪୯ ହଜାର ଟଙ୍କା ଲୁଟି ନେଇଥିଲେ। କିନ୍ତୁ ପ୍ରଦୀପ୍ତଙ୍କ ପାଖରେ ଥିବା ଅବଶିଷ୍ଟ ୮୫ ହଜାର ଟଙ୍କା ବିଷୟରେ ଲୁଟେରାମାନେ ଜାଣିପାରି ନଥିଲେ। 
 
ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଲୁଟେରାମାନେ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରାଇଥିଲେ। ଶେଷରେ ଲୁଟେରାମାନେ ମେଡିକାଲ ଛକଆଡ଼େ ଫେରିଯାଇଥିଲେ। ଖବର ପାଇ ଥାନା ଅଧିକାରୀ ସମିତା ମିଶ୍ର ଏସ୍‌ଡିପିଓ ଜୟରାମ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଲୁଟେରାମାନେ ଥାନା ସାମ୍ନାରେ ଯାଇଥିବାରୁ ଥାନା ଆଗରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୁଲିସ ଯାଞ୍ଚ କରି ଘଟଣା ତଦନ୍ତ ଆରମ୍ଭ କରିଛି। ଦଶପଲ୍ଲା ଅଞ୍ଚଳରୁ ଏଭଳି ବାରମ୍ବାର ଲୁଟପାଟ ହେଉଥିବା ବେଳେ ଏହା ଏବେ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। 

image