20 February 2017
12:22:15 AM
Sambad News
ନୟାଗଡ଼

ଦୁର୍ଘଟଣାକୁ କେନ୍ଦ୍ରକରି ରାସ୍ତାରୋକ

ଅଟୋକୁ ପିଟିଲା ଟ୍ରାକ୍ଟର, ଆଈ ମୃତ, ନାତି ଓ ଡ୍ରାଇଭର ଗୁରୁତର

By Sambad | Date: Jan 10 2017 6:46AM
ଦୁର୍ଘଟଣାକୁ କେନ୍ଦ୍ରକରି ରାସ୍ତାରୋକ

ରଣପୁର : ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା-ରଣପୁର ମୁଖ୍ୟରାସ୍ତାର କୋଟଗଡ଼ ସ୍ଥିତ ମା’ ଖିଲାମୁଣ୍ଡା ଠାକୁରାଣୀ ମନ୍ଦିର ସମ୍ମୁଖରେ ଆଜି ଏକ ଯାତ୍ରୀବାହି ଅଟୋକୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଫଳରେ ଜଣେ ଅଟୋ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। 
 
ଖବର ନେବାରେ ଜଣାଯାଇଛି ଯେ, ବେଗୁନିଆ ଥାନା ଅନ୍ତର୍ଗତ ସାନପଦର ପଞ୍ଚାୟତ ଅଧିନ ବାଇଆପଲ୍ଲୀ ଗାଁର ସାବିତ୍ରୀ ବେହେରା ନିଜ ନାତି ସହ ଝିଅ ଘର ନରସିଂହପୁରରୁ ଏକ ଅଟୋ (ନଂ ଓଡି-୨୫-ଡି-୦୬୬୩) ଯୋଗେ ନିଜ ଗାଁ ଅଭିମୁଖେ ଫେରୁଥିଲେ। ମାତ୍ର ଏହି ସମୟରେ ସୁନାଖଳା ପଟୁ ଏକ ଟ୍ରାକ୍ଟର କୋଇଲମା ଆଡ଼କୁ ଅସୁଥିବା ବେଳେ କୋଟଗଡ଼ ସ୍ଥିତ ମା’ ଖିଲାମୁଣ୍ଡା ଠାକୁରାଣୀ ମନ୍ଦିର ସମ୍ମୁଖରେ ଅଟୋଟିକୁ ସମ୍ମୁଖ ପଟୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଦଶଫୁଟ ଦୂରକୁ ଛିଟିକି ନିକଟରେ ଥିବା ଏକ ଦୋକାନ ଭିତରକୁ ପଶିଯାଇଥିଲା। ମାତ୍ର ଏହି ସମୟରେ ଅଟୋରେ ବସିଥିବା ବୃଦ୍ଧା ସାବିତ୍ରୀ ଖସିପଡ଼ି ଟ୍ରାକ୍ଟର ଚକ ତଳେ ଚିପି ହୋଇ ମୃତ୍ୟୁବରଣ କରିଥିଲେ। 
 
ଅପରପକ୍ଷେ ନାତି ଓମ୍‌ ପ୍ରକାଶ ବେହେରା (ବବୁଲ୍‌) ଏବଂ  ନରସିଂହପୁର ଗାଁର ଅଟୋ ଡ୍ରାଇଭର ପ୍ରଫୁଲ୍ଲ ବେହେରା ଗୁରୁତର ଆହତ ହୋଇଥିଲେ। ମାତ୍ର ଏହାର ସୁଯୋଗ ନେଇ ଟ୍ରାକ୍ଟର ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ପରବର୍ତ୍ତୀ ସମୟରେ ପୁଲିସ ଟ୍ରାକ୍ଟରଟିକୁ ଜବତ କରିଛି। ଖବର ପାଇ ରଣପୁର ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍‌ସ ଘଟଣାସ୍ଥଳରେ ପହଞ୍ଚି  ଆହତ ଦ୍ୱୟଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ରଣପୁର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରିଥଇଲେ। କିନ୍ତୁ ଅପରାହ୍ନ ୫ଟାରେ ରଣପୁର ମାଉସୀମା ମନ୍ଦିର ନିକଟରେ ଗ୍ରାମବାସୀ ଶବ ରଖି ରାସ୍ତା ରୋକ୍‌ କରିଥିଲେ। ମାତ୍ର ପ୍ରଶାସନ ଘଟଣା ସ୍ଥଳକୁ ଆସି ନଥିଲେ। ଫଳରେ ଲୋକଙ୍କ ମଧ୍ୟ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ସନ୍ଧ୍ୟାରେ ଗ୍ରାମବାସୀମାନେ ରାସ୍ତାରୁ ହଟିଥିଲେ।