23 May 2017
6:35:02 AM
image
Sambad News
ନୟାଗଡ଼

ଫେଡ୍‌କୋ ଗାଡ଼ି ଧକ୍କାରୁ ଉତ୍ତେଜନା : ପୁଲିସ ଆଗରେ ଡ୍ରାଇଭରକୁ ବାନ୍ଧି ମାଡ଼

By Sambad | Date: Jan 10 2017 6:47AM
ଫେଡ୍‌କୋ ଗାଡ଼ି ଧକ୍କାରୁ ଉତ୍ତେଜନା : ପୁଲିସ ଆଗରେ ଡ୍ରାଇଭରକୁ ବାନ୍ଧି ମାଡ଼

ନୟାଗଡ଼ : ନୟାଗଡ଼ ସଦର ଥାନା ମାଳିସାହି ଫାଣ୍ଡି ଅନ୍ତର୍ଗତ କଣ୍ଟାବଣିଆ ବାଟମଙ୍ଗଳା ମନ୍ଦିର ନିକଟରେ ଆଜି ମଧ୍ୟାହ୍ନ ୧୨ଟାରେ ଫିଡ୍‍କୋ ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ୍‍ ଆରୋହୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ଆହତ ହେଲେ ମାଳିସାହି ଫାଣ୍ଡି ଅନ୍ତର୍ଗତ ଗୋଡ଼ିପାଟଣାର ଦୁଇ ଭାଇ ରମେଶ ମାଝି ଓ ସୁରେଶ ମାଝି। ଦୁଇ ଜଣଙ୍କୁ ଆମ୍ବୁଲାନ୍‍ସ ଯୋଗେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଏହାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିବା ସହ ମାଳିସାହି ଫାଣ୍ଡି ଅଧିକାରୀ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଗାଡ଼ି ଡ୍ରାଇଭରଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି।
 
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଫେଡ୍‍କୋର ଓଡି-୨୫-୨୫୨୫ ନମ୍ବର ବଲେରୋ ଗାଡ଼ି କ୍ରିଦାଶପୁର ଆଡ଼ୁ ବାଲୁଗାଁ ଅଭିମୁଖେ ଆସୁଥିଲା। ଏହି ସମୟରେ ଗୋଡ଼ିପାଟଣାର ରମେଶ ଓ ସୁରେଶ ଏକ ହିରୋହୁଣ୍ଡା ପ୍ୟାସନ୍‍ ବାଇକ୍‍(ଓଆର୍‍-୨୫-୬୯୬୯)ରେ ବାଲୁଗାଁ ଆଡ଼ୁ ଘରକୁ ଫେରୁଥିଲେ। କଣ୍ଟାବଣିଆ ବାଟମଙ୍ଗଳା ମନ୍ଦିର ନିକଟରେ ଥିବା ବୁଲାଣିରେ ବଲେରୋ ସହ ବାଇକ୍‍ ମୁହାଁମୁହିଁ ଧକ୍କା ହୋଇଥିଲା। ବଲେରୋର ଡାହାଣ ପଟେ ବାଇକ୍‍ଟି ଧକ୍କା ହେବା ପରେ କିଛି ଦୂରରେ ଛିଟ୍‌କି ପଡ଼ିଥିଲା। ଫଳରେ ବାଇକ୍‍ରେ ବସିଥିବା ରମେଶ ଓ ସୁରେଶ ଗାଡ଼ିରୁ ଖସିପଡ଼ି ଆହତ ହୋଇଥିଲେ। ଗାଡ଼ି ତଳେ ଚାପି ହୋଇ ରମେଶଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି।
 
ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ରାସ୍ତାରୋକ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ବଲେରୋର ଚାଳକକୁ ଏକ ଗାମୁଛାରେ ବାନ୍ଧି ଦେଇ ନିସ୍ତୁକ ମାଡ଼ ମାରିଥିଲେ। ପୋଷାକପତ୍ର ଚିରି ପକାଇଥିଲେ। ମାଳିସାହି ଫାଣ୍ଡି ଅଧିକାରୀ ଓ ଅନ୍ୟ ପୁଲିସମାନଙ୍କ ଆଗରେ ଏହିସବୁ ଘଟଣା ଘଟିଥିଲେ ବି ସମସ୍ତେ ନିରବଦ୍ରଷ୍ଟା ସାଜିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ଆଗରେ ପୁଲିସ ଅସହାୟ ପ୍ରକାଶ କରିଥିଲା। ସଂଧ୍ୟା ସୁଧା ଉତ୍ତେଜନା ଥମିନଥିବା ଜଣାପଡ଼ିଛି। ଏବେ ବି ଲୋକେ ଡ୍ରାଇଭର ସହ ଗାଡ଼ିକୁ ଅଟକ ରଖିଛନ୍ତି। ଫେଡ୍‍କୋର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ଦାବି କରିବା ସହ ତୁରନ୍ତ କ୍ଷତିପୂରଣ ଦାବି କରିଛନ୍ତି।

image