23 February 2017
8:15:45 AM
Sambad News
ନୟାଗଡ଼

ସୁରୁକାବାରିରେ ଜିଲ୍ଲାପାଳଙ୍କ ପାଦ ପଡ଼ିଲା

ଆଦିବାସୀଙ୍କ ସହ ଆଲୋଚନା

By Sambad | Date: Jan 12 2017 2:32AM
ସୁରୁକାବାରିରେ ଜିଲ୍ଲାପାଳଙ୍କ ପାଦ ପଡ଼ିଲା

ନୟାଗଡ଼ : ବହୁଦିନ ପରେ ନୂଆଗାଁ ବ୍ଲକ୍‍ ଗାତେରି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗାଁ ସୁରୁକାବାରିରେ ଜିଲ୍ଲା ପ୍ରଶାସନର ପାଦ ପଡ଼ିଛି। ଖୋଦ୍‍ ଜିଲ୍ଲାପାଳ ଆଜି ଗାଁକୁ ଯାଇ ଗ୍ରାମବାସୀଙ୍କ ସହ ସୁବିଧା, ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଆଜି ପୂର୍ବାହ୍‍ଣରେ ଗାଁକୁ ଗାଡ଼ିରେ ଯାଇଥିଲେ। କିନ୍ତୁ ରାସ୍ତା ଖରାପ ଯୋଗୁଁ ୨ କିଲୋମିଟର ପାଖାପାଖି ଜିଲ୍ଲାପାଳଙ୍କୁ ଚାଲି ଚାଲି ଯିବାକୁ ପଡ଼ିଥିଲା। ଗାଁରେ ପହଞ୍ଚିବା ପରେ ଗାଁ ଲୋକଙ୍କ ଉପସ୍ଥିତିରେ ଆଲୋଚନା ବୈଠକ ବସିଥିଲା। 
 
ଲୋକେ ଗାଁକୁ ବ୍ରିଜ୍‍ ଓ ରାସ୍ତା ତିଆରି ପାଇଁ ଦାବି କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଭୋଟ ବର୍ଜନ କରି ଚାଲିଥିବେ ବୋଲି ରୋକ୍‍ଠୋକ୍‍ ଶୁଣାଇଥିଲେ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବର୍ତମାନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ କାମ କରିବା ସମ୍ଭବ ହେବନି, ନିର୍ବାଚନ ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଗାଁ ଲୋକଙ୍କ ସହ ଆଲୋଚନା ପରେ ରାସ୍ତାକାମ ଯଥାସମ୍ଭବ ଶୀଘ୍ର ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇ ଜିଲ୍ଲାପାଳ ଫେରିଛନ୍ତି। ସେପଟେ ଗାଁ ଲୋକେ ନିର୍ବାଚନରେ ଭୋଟ୍‍ ବର୍ଜନ ନିଷ୍ପତ୍ତିରୁ ଓହରି ନଥିବା ଜଣାପଡ଼ିଛି। ପୂର୍ବରୁ ଜିଲ୍ଲା ପ୍ରଶାସନ ଏଭଳି ପ୍ରତିଶ୍ରୁତି ଦେଇଥିଲେ ବି ଏହା କାର୍ଯ୍ୟକାରୀ ହୋଇନଥିବାରୁ ଗ୍ରାମବାସୀ ଏ ନେଇ ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି।