26 June 2017
3:53:12 AM
Sambad News
ନୟାଗଡ଼

ମିଲର୍‌-ଦଲାଲ୍‌ ମଧୁଚନ୍ଦ୍ରିକା : ରଣପୁରରେ ଅଭାବୀ ଧାନ ବିକ୍ରି

ମଣ୍ଡି ନ ଖୋଲିଲେ ଆନ୍ଦୋଳନ ଧମକ

By Sambad | Date: Jan 12 2017 2:37AM
ମିଲର୍‌-ଦଲାଲ୍‌ ମଧୁଚନ୍ଦ୍ରିକା : ରଣପୁରରେ ଅଭାବୀ ଧାନ ବିକ୍ରି

ରଣପୁର : ରଣପୁର ଓ ଆଖପାଖ ଅଞ୍ଚଳରେ ଅଭାବୀ ଧାନ ବିକ୍ରି ବଢ଼ିଚାଲିଥିବା ବେଳେ ଦଲାଲମାନେ ଏବେ ମିଲରଙ୍କ ହାତ ବାରସି ସାଜି ଧାନ ଅନ୍ୟତ୍ର ଚାଲାଣ କରୁଛନ୍ତି। ଅପରପକ୍ଷେ ସବୁ ଜାଣି ପ୍ରଶାସନ ନିଦାବିଷ୍ଣୁ ପାଲଟିଥିବା ଅଭିଯୋଗ ହେଉଛି। ସୂଚନା ଯୋଗ୍ୟ ଧାର କରଜ କରି ଚାଷୀ ଧାନ ଚାଷ କରିଥିବା ବେଳେ ଏବେ ପରିଶୋଧ ପାଇଁ ବାଧ୍ୟ ହୋଇ କଷ୍ଟ ଅର୍ଜିତ ଧାନକୁ ଦଲାଲ ହାତରେ ଟେକି ଦେଉଛି। ଫଳରେ ସରକାରୀ ମୁଲ୍ୟ ଠାରୁ ବହୁ କମ୍‌ ମୁଲ୍ୟରେ କିଣି ମିଲର ମାନେ ମାଲେମାଲ ହେଉଛନ୍ତି। ତେବେ ଏହି ସବୁ ଦଲାଲ ବିଶେଷତଃ ନିଜ ଘରେ ଗୋଦାମ ଗୃହ କରି ସଂଗୃହିତ ଧାନକୁ ମହଜୁଦ ରଖୁଥିବା ବେଳେ ସବୁ ଜାଣି ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ଏପରିକି ସରକାର ଓ ମିଲରଙ୍କ ଅସାଧୁ ମେଣ୍ଟ ହୋଇ ଏହି କାରବାର ଚାଲୁଥିବା ବେଳେ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଘଟୁଛି ବୋଲି କୃଷକ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି। 

 
ଅପରପକ୍ଷେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମିଲର ମାନେ ଶାସକ ଦଳକୁ ନିର୍ବାଚନ ପାଣ୍ଠି ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ମଣ୍ଡି ଖୋଲିବାରେ ବିଳମ୍ବ ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ଧାନ ଅମଳର ମାସେ ବିତି ଯାଇଥିଲେ ହେଁ ଅଦ୍ୟାବଧି ବ୍ଲକର କୌଣସି ସ୍ଥାନରେ ଗୋଟିଏ ହେଲେ ମଣ୍ଡି ଖୋଲାଯାଇ ପାରିଲା ନାହିଁ। ମଣ୍ଡି ଖୋଲିବାକୁ ଚାହିଁବସି ନାନାଦି କ୍ଷେତ୍ରରେ ଆବଶ୍ୟକ ହେଉଥିବା ଅର୍ଥ ପରିଶୋଧ କରି ନପାରି ବାଧ୍ୟ ହୋଇ ଚାଷୀ ମଣ୍ଡି ଖୋଲିବା ପୂର୍ବରୁ ଦଲାଲ ହାତକୁ ଟେକି ଦେଉଛି। ନିର୍ବାଚନ ପାଇଁ ଶାସକ ଦଳ ଓ ପ୍ରଶାସନ ତତ୍ପର ହୋଇ ଉଠିଥିବା ବେଳେ ଗରିବ ଚାଷୀଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହେଉଛି। 
 
ଏ ନେଇ ଚାଷୀ ମହଲରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ ମଣ୍ଡି ଖୋଲିବାକୁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହେଉଛି। ଏ ଦିଗରେ ପ୍ରଶାସନ କାର୍ଯ୍ୟପନ୍ଥା ଗ୍ରହଣ ନ କଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଖୁବ୍‌ ଶିଘ୍ର ମଣ୍ଡି ଖୋଲାଯିବ ବୋଲି ସ୍ଥାନୀୟ ତହସିଲଦାର ଗାୟତ୍ରୀ ଦେବୀ କହିଛନ୍ତି।