21 January 2017
3:34:20 AM
image
Sambad News
ନୂଆପଡ଼ା

ଦାଦନ ଚାଲାଣ ରୋକି ପାରୁନି ମନରେଗା

By Sambad | Date: Dec 21 2016 4:59AM
ଦାଦନ ଚାଲାଣ ରୋକି ପାରୁନି ମନରେଗା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମନରେଗା ଯୋଜନା ବିଫଳ ହୋଇଛି। ଏହି ଯୋଜନା ଶ୍ରମିକଙ୍କୁ କାମ ଯୋଗାଇ ପାରୁନି। ଫଳରେ ପ୍ରତିବର୍ଷ ହଜାର ହଜାର ଶ୍ରମିକ ଭିଟାମାଟି ଛାଡ଼ି କାମଧନ୍ଦା ଅନେ୍ଵଷଣରେ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଦଲାଲର ଚକ୍ରବ୍ୟୁହରେ ଛନ୍ଦି ହୋଇ ପଡୁଥିବା ଗରିବ ତଥା ଅଭାବୀ ଶ୍ରମିକ ଦି’ ପଇସା ରୋଜଗାର ଆଶାରେ ବାହାରକୁ ଯାଇ ନିର୍ଯାତନାର ଶିକାର ହେଉଛି। ଏପରିକି ଇଟାଭାଟିରେ କାମ କରୁଥିବା ବେଳେ ସେଠାରେ ମଧ୍ୟ ଜୀବନ ହରାଇବାକୁ ପଡୁଛି। ଅନେକ ସମୟରେ ସେମାନଙ୍କ ଶବ ଗାଁକୁ ବି ଆସିପାରୁନି। ଏମାନଙ୍କ ପାଇଁ ନା ଅଛି ରାଜନେତା ନା ପ୍ରଶାସନ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଗାଁକୁ ଯିବାକୁ ପ୍ରସ୍ତୁତ ହେଲେଣି। ସେମାନେ ଗାଁ ଗାଁ ବୁଲି କେଉଁ ପରିବାରରୁ କେତେ ଜଣ ରାଜ୍ୟ ବାହାରକୁ ଯାଇଛନ୍ତି ଓ କିପରି ଅଛନ୍ତି ବୋଲି ବୁଝିବେ। କେତେ କ’ଣ ପ୍ରତିଶ୍ରୁତି ଦେବେ। କିନ୍ତୁ ନିର୍ବାଚନ ସରିଲେ ପ୍ରତିଶ୍ରୁତି ସେଇଠି ଅଟକି ଯିବ। ସରକାରୀ ସ୍ତରରେ ଗ୍ରାମାଞ୍ଚଳରେ ପର୍ଯ୍ୟାନ୍ତ କାମ ମିଳୁ ନଥିବାରୁ ଶ୍ରମିକମାନେ ଗାଁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷେ ମନରେଗା ଯୋଜନାରେ କାମ କଲେ ମଧ୍ୟ ମଜୁରି ମାସ ମାସ ଧରି ମିଳୁନି। ଚଳିତ ବର୍ଷ ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରମିକ ରାଜ୍ୟ ବାହାରକୁ ଯାଇଥିବା ଜଣାଯାଇଛି।

ଚଳିତ ମାସରେ ନୂଆପଡ଼ା, କୋମନା, ଲଖନା, ବେଲଟୁକୁରୀ, ବୋଡ଼େନ ପୁଲିସ ଦ୍ୱାର ବହୁ ଶ୍ରମିକ ଉଦ୍ଧାର କରାଗଲାଣି। କିନ୍ତୁ ଦାଦନମାନେ ପୁଣି ରାଜ୍ୟ ବାହାରକୁ ଚାଲି ଯାଉଥିବା ଜଣାଯାଉଛି। କାରଣ ଏଠାରେ ଶ୍ରମର ଅଭାବ ରହିଛି।
 ନୂଆପଡ଼ା ଜିଲ୍ଲାରେ ପ୍ରାୟ ୪୦ ଜଣ ଦାଦନ ୨୦୧୫ରୁ ଆଜିସୁଦ୍ଧା ରାଜ୍ୟ ବାହାରକୁ ଯାଇ ଜୀବନ ହରାଇଛନ୍ତି। ୨୦୧୬-୧୭ ବର୍ଷ ପାଇଁ ଜିଲ୍ଲାକୁ ୫ କୋଟି ୪୬ ଲକ୍ଷ ୨ ହଜାର ଟଙ୍କା ମନରେଗା ଯୋଜନାରେ ମିଳିଛି। ଏହି ଟଙ୍କାରେ ମାଓ ଅଞ୍ଚଳରେ ୩୩୮୫.୬୮ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷେ ମନରେଗା ଅର୍ଥ ଠିକ୍‌ ସମୟରେ ମିଳୁ ନ ଥିବାରୁ ଶ୍ରମିକମାନେ ବକେୟା ପ୍ରାପ୍ୟ ବର୍ଷ ବର୍ଷ ଧରି ପାଇପାରୁ ନାହାନ୍ତି। ବୋଡ଼େନ ବ୍ଲକ୍‌ରେ ୬୭.୬୩  ଲକ୍ଷ, ଖଡ଼ିଆଳରେ ୮୨.୫୪ ଲକ୍ଷ, କୋମନା ବ୍ଲକ୍‌ରେ ୩୮.୭୫ ଲକ୍ଷ ଶ୍ରମିକଙ୍କ ପାଉଣା ବାବଦକୁ ବାକି ଅଛି।

ସେମାନେ ପ୍ରାପ୍ୟ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ଶେଷରେ ଗାଁ ଛାଡି ରାଜ୍ୟ ବାହାରକୁ ଚାଲି ଗଲେଣି। ବର୍ତ୍ତମାନ ବିମୁଦ୍ରାୟନ ଯୋଗୁଁ ସମସ୍ୟା ଆହୁରି ଜଟିଳ ହୋଇଛି। ଅର୍ଥ ଅଭାବ ଯୋଗୁଁ ପ୍ରଶାସନ ଶ୍ରମିକ ମାନଙ୍କୁ ମଜୁରି ବାବଦକୁ ଅର୍ଥ ଦେଇପାରୁନି। ବର୍ତ୍ତମାନ ଜିଲ୍ଲାରେ ମନରେଗା ଯୋଜନା ବିଫଳ ହୋଇଥିବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।