23 September 2017
8:00:15 PM
Sambad News
ନୂଆପଡ଼ା

ନୂଆପଡ଼ାରେ ପ୍ରାକ୍‌ ପଞ୍ଚାୟତ ନିର୍ବାଚନ ରାଜନୀତି ସରଗରମ

ସବୁ ଦଳ ସକ୍ରିୟ, ପ୍ରାର୍ଥୀ ପାଇଁ ଲବି ଜୋର୍‌ଦାର୍‌

By Sambad | Date: Dec 24 2016 10:00AM
ନୂଆପଡ଼ାରେ ପ୍ରାକ୍‌ ପଞ୍ଚାୟତ ନିର୍ବାଚନ ରାଜନୀତି ସରଗରମ

ନୂଆପଡ଼ା: ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଏବେଠୁ ତତ୍ପର ହୋଇ ଉଠିଲେଣି। କେଉଁ ଦଳ ପାଇଁ ୨୦୧୭ ବର୍ଷ କେତେ ଉତ୍ସାହ ଆଣିବ ତାହା ଫଳାଫଳ ପରେ ହିଁ ଜଣା ପଡ଼ିବ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏହି ନିର୍ବାଚନ ରଣାଙ୍ଗନ ପାଇଁ ଏବେଠୁ ଅଣ୍ଟା ଭିଡ଼ିଲେଣି। ସବୁ ମହଲରେ ଏହାକୁ ନେଇ ଅଙ୍ଗକଷା ମଧ୍ୟ ଆରମ୍ଭ ହୋଇ ଗଲାଣି। ନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ହେବା ପାଇଁ ସବୁ ଦଳରେ ଲବି ଆରମ୍ଭ ହୋଇ ଯାଇଛି। ନୂଆପଡ଼ା ଜିଲ୍ଲାରେ ଜିଲ୍ଲା ପରିଷଦ ଜୋନ ୧୪ଟି ରହିଛି।

ଏହା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପଛୁଆ ବର୍ଗ ପାଇଁ ସଂରକ୍ଷିତ ରହିଛି। ଏହାକୁ ଦୃଷ୍ଟି ଦେଇ ସବୁ ଦଳ କାହାକୁ ପ୍ରାର୍ଥୀ କରିବେ ସେଥିପାଇଁ ଆଲୋଚନା ପର୍ଯ୍ୟାଲୋଚନା କରୁଛନ୍ତି। କେଉଁ ଦଳରୁ କିଏ କେଉଁ ଆସନରୁ ପ୍ରାର୍ଥୀ ହେବ ଓ କାହାକୁ ପ୍ରାର୍ଥୀ କରାଯିବ ସେହି ଉପରେ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି। ଏପରିକି ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କ ନିକଟରେ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ଲବି ଆରମ୍ଭ କରି ଦେଲେଣି। ଏପରିକି କିଛି ଦଳର ଆଶାୟୀ ପ୍ରାର୍ଥୀ ବର୍ତ୍ତମାନ ଠାରୁ ପ୍ରଚାର ଆରମ୍ଭ କରି ଦେଲେଣି। ଏପରିକି ସେମାନଙ୍କୁ ଦଳର ମୁଖିଆମାନେ ପ୍ରାର୍ଥୀ ହେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଚର୍ଚ୍ଚା ହେଉଛି।

ନୂଆପଡ଼ା ଜିଲ୍ଲାରେ ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସ ଦଳ ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଆସୁଛନ୍ତି। ଚଳିତ ନିର୍ବାଚନରେ ଶିବସେନା, ବହୁଜନ ସମାଜପାର୍ଟି ମଧ୍ୟ ପ୍ରାର୍ଥୀ ଦେବା ଜଣାପଡ଼ୁଛି। ଯାହାକି ନିର୍ବଚନା ଚଳିତ ବର୍ଷ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବା ସମ୍ଭାବନା ରହିଛି। ବିଶ୍ୱସ୍ତ ସୂତ୍ରରୁ ଜଣା ଯାଏ ବିଜେପି ନିଜ ପ୍ରାର୍ଥୀ ଚୟନ କାମ ଶେଷ କରି ସାରିଛି। କେବଳ ନାମ ଘୋଷଣା କରିବା ବାକି ରହିଛି। ସେହିପରି ବିଜେଡି, କଂଗ୍ରେସ ଦଳରେ ଆଶାୟୀ ସଂଖ୍ୟା ଅଧିକ ଥିବା ବେଳେ କାହାକୁ କେଉଁ ଜିଲ୍ଲା ପରିଷଦ ଜୋନରେ ପ୍ରାର୍ଥୀ କରାଯିବ ସେ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ। ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କର ଭାବମୂର୍ତ୍ତିକୁ ନେଇ ଲୋକେ ଭୋଟ୍‌ ଦେଇଥାନ୍ତି। ସେହି ଦୃଷ୍ଟିରୁ କାହାକୁ ପ୍ରାର୍ଥୀ କଲେ ଭୋଟର୍‌ ଗ୍ରହଣ କରିବେ ତାକୁ ଲକ୍ଷ୍ୟ ଦିଆଯାଉଛି। ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଅଧିରାଜ ପାଣିଗ୍ରାହୀ କେଉଁ ଆସନରେ କାହାକୁ ପ୍ରାର୍ଥୀ କରିବେ ସେ ଉପରେ ବିଚାର କରି ଦଳୀୟ ନେତୃବୃନ୍ଦଙ୍କୁ ଜଣାଇଥିବା ସୂଚନା ମିଳିଛି।

ସେହିପରି ନୂଆପଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଚୟନ ଦାୟିତ୍ୱ ଦିଆଯାଇଛି। ବିଜେପି ପକ୍ଷରୁ ନୂଆପଡ଼ା ବିଧାୟକ ବସନ୍ତ ପଣ୍ଡା ସିଂହଭାଗ ପ୍ରାର୍ଥୀ ଚୟନ କରିବା ଆଶା ଥିବା ବେଳେ ଖଡ଼ିଆଳ ବିଧାୟକ ଦୁର୍ଯ୍ୟୋଧନ ମାଝୀ ମଧ୍ୟ ତାଙ୍କ ଅଞ୍ଚଳ ପାଇଁ ପ୍ରାର୍ଥୀ ଚୟନ କରିବା ଚର୍ଚ୍ଚା ହେଉଛି। ବିଜେଡି ଜିଲ୍ଲା ସଭାପତି ପ୍ରସନ୍ନ ପାଢ଼ୀ ପ୍ରାର୍ଥୀ ଚୟନ ଦାୟିତ୍ୱରେ ଥିବା ବେଳେ ପୂର୍ବ ବିଧାୟକ ରାୋଜନ୍ଦ୍ର ପ୍ରସାଦ ଢୋଲକିଆ ଓ ଲମ୍ବୋଦର ନିଆଲ ମଧ୍ୟ ଏହି କମିଟିରେ ସ୍ଥାନ ପାଇଥିବା କୁହାଯାଉଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ବାରମ୍ବାର ବିଜେଡି ହାତରେ ରହୁଥିବା ଏବଂ କେବଳ ଥରଟିଏ ବିଜେପି ହାତକୁ ଯାଇଥିବା ବେଳେ କଂଗ୍ରେସ ଭାଗ୍ୟରେ ଯୁଟି ନାହିଁ। ସେହି ଦୃଷ୍ଟିରୁ ଚଳିତ ବର୍ଷ ରାଜ୍ୟରେ ୩ଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ କିପରି ଅଧ୍ୟକ୍ଷ ପଦ ହାତେଇବେ ତାହା ସେମାନଙ୍କ ଲକ୍ଷ୍ୟ।

ଚଳିତ ବର୍ଷ ସବୁ ଦଳରେ ଆଶାୟୀ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସମୟ ଆସିଲେ ନିର୍ବାଚନ ତାରିଖ ଘୋଷଣା ପରେ କାହାକୁ କେଉଁ ସ୍ଥାନରୁ ପ୍ରାର୍ଥୀ କରାଯିବ ତାହା ଜଣାପଡ଼ିଛି। ପଛୁଆ ବର୍ଗ ପାଇଁ ଅଧ୍ୟକ୍ଷ ଆସନ ସଂରକ୍ଷଣ ରହିଥିବାରୁ କୋମନା ଜିଲ୍ଲା ପରିଷଦ ଜୋନ ୩, ଖଡ଼ିଆଳ ଜୋନ୍‌ ୧, ନୂଆପଡ଼ା ଜୋନ୍‌ ୨, ସିନାପାଲି ଜୋନ ୧୪  ଉପରେ ସମସ୍ତଙ୍କ ଆଖି ରହିଛି। କାରଣ ଏସବୁ ଆସନ ପଛୁଆ ବର୍ଗ ପାଇଁ ସଂରକ୍ଷିତ ରହିଛି।

ଖଡ଼ିଆଳ ଜୋନ ୨, ବୋଡ଼େନ ଜୋନ ୨ ଅଣ ସଂରକ୍ଷିତ ରହିଛି। ଏହି ସବୁ ଜୋନ୍‌ ଉପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଆଶାୟୀ ପଛୁଆ ବର୍ଗ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଆଶା ଦେଖାଯାଏ। ତିନି ପ୍ରମୁଖ ଦଳ ଏହି ଆସନ ଗୁଡ଼ିକରେ ନିଜ ପ୍ରାର୍ଥୀ ପ୍ରତି ଗୁରୁତ୍ୱ ଦେବା ମଧ୍ୟ ଚର୍ଚ୍ଚା ହେଉଛି। ଏହି ଜିଲ୍ଲା ପରିଷଦ ନିର୍ବଚାନ ତିନି ଦଳ ପାଇଁ ଅଗ୍ନି ପରୀକ୍ଷା ସଦୃଶ। କାରଣ ଆଗାମୀ ବିଧାନ ସଭା ନିର୍ବାଚନ ପାଇଁ ଏହା ନିର୍ଣ୍ଣାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

image