28 April 2017
4:07:02 AM
image
Sambad News
ନୂଆପଡ଼ା

ତେଜିଲା ଆନ୍ଦୋଳନ : ରାଜପଥକୁ ୩ ଘଣ୍ଟା ଧରି ଅବରୋଧ କଲେ ଚାଷୀ

ରବି ଚାଷରେ ପାଣି ବଣ୍ଟନ ବିବାଦ

By Sambad | Date: Dec 31 2016 6:14AM
ତେଜିଲା ଆନ୍ଦୋଳନ : ରାଜପଥକୁ ୩ ଘଣ୍ଟା ଧରି ଅବରୋଧ କଲେ ଚାଷୀ

ନୂଆପଡ଼ା : ଅପର ଜୋଙ୍କ ଜଳ ଅମଳ ପ୍ରକଳ୍ପର ପାଣିକୁ ରବି ଚାଷରେ ସମାଜ ଓ ସୁଷମ ବଣ୍ଟନ ଦାବିରେ ଶୁକ୍ରବାର ୬ରୁ ୧୬ ନମ୍ବର ପାଣି ପଞ୍ଚାୟତ ତେଜିଛି। ୧୦ ହଜାରରୁ ଅଧିକ ଚାଷୀ ଶୁକ୍ରବାର ଖରିଆର ରୋଡ୍‌ ପଟୁ ଆସି ଡୁମେର ପାଣି ଛକସ୍ଥିତ ୩୫୩ ନମ୍ବର ଜାତୀୟ ରାଜପଥଠାରେ ଏକତ୍ରିତ ହୋଇଥିଲେ। ପରେ ରାଜପଥକୁ ୩ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ଛିଡ଼ା ହୋଇ ଯାତାୟାତ ବ୍ୟାହତ ହୋଇଥିଲା। ନ୍ୟାୟାଳୟର ଆଦେଶକୁ ଅବମାନନା କରୁଥିବା ବ୍ୟକ୍ତି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନେ କହିଥିଲେ। ବହୁ ସମୟ ରାସ୍ତା ଅବରୋଧ ପରେ ଘଟଣାସ୍ଥଳକୁ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମିଞ୍ଜ, ଉପଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ପହଞ୍ଚିଥିଲେ। ଉଭୟ ପ୍ରଶାସନିକ ଅଧିକାରୀ ରାସ୍ତା ଅବରୋଧ କରିଥିବା ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ପରେ ଜିଲ୍ଲାପାଳ ଆଲୋଚନା ପାଇଁ ଚାଷୀନେତାଙ୍କୁ ଡାକିଥିବା ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ କହିବା ଅନୁସାରେ, ୬ରୁ ୧୬ ନମ୍ବର ପାଣି ପଞ୍ଚାୟତର ଚାଷୀ
 
ଜିଲ୍ଲାପାଳଙ୍କ ସହ ଆଲୋଚନା ପାଇଁ ପହଞ୍ଚିଥିଲେ। ଜିରୋ ପଏଣ୍ଟରୁ ୫ ନମ୍ବର ପାଣି ପଞ୍ଚାୟତ ଚାଷୀ ଏବଂ ୬ରୁ ୧୬ ନମ୍ବର ପାଣି ପଞ୍ଚାୟତ ଚାଷୀଙ୍କ ସହ ଜିଲ୍ଲାପାଳଙ୍କ ନିର୍ଦେଶରେ ପିଡି ଡିଆର୍‌ଡିଏ ପ୍ରଦୀପ ନାଏକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଉଭୟ ପକ୍ଷ ଚାଷୀଙ୍କୁ ଅଲଗା ଅଲଗା ଡାକି ଘଟଣା ଉପରେ ଆଲୋଚନା କରିଥିଲେ। ୬ରୁ ୧୬ ନମ୍ବର ପାଣି ପଞ୍ଚାୟତ ଚାଷୀଙ୍କ ସହ ଆଲୋଚନା ବେଳେ କୋର୍ଟ ନିର୍ଦେଶକୁ ପାାଳନ କରାଯିବ ଓ ତଳ ମୁଣ୍ଡକୁ ପାଣି ଦିଆଯିବ ବୋଲି କହିଥିବା ପ୍ରକାଶ। ଏହା ପରେ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ୬ରୁ ୧୬ ନମ୍ବର ପାଣି ପଞ୍ଚାୟତ ଚାଷୀଙ୍କ ଏହି ରାସ୍ତା ଅବରୋଧର ନେତୃତ୍ୱ ନେଇଥିଲେ। ଚଗଲୁ ମିଶ୍ର, ମହେଶ ନିଆଲ, ପ୍ରମୋଦ ସାହୁଙ୍କ ସମେତ ବହୁ ଚାଷୀନେତା ସହଯୋଗ କରିଥିଲେ। 
 
ପ୍ରକାଶ ଯେ ପାଣି ବଣ୍ଟନ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ତଳ ମୁଣ୍ଡକୁ ରବି ଚାଷ ପାଇଁ ପାଣି ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହା ସତ୍ତ୍ୱେ ଜିରୋ ପଏଣ୍ଟ ଚାଷୀମାନେ ତଳ ମୁଣ୍ଡକୁ ପାଣି ଛାଡ଼ିବାକୁ ନାରାଜ ଅଛନ୍ତି। ଏହାକୁ ନେଇ ଶେଷରେ ପ୍ରକଳ୍ପର ପାଣି ପଞ୍ଚାୟତ ଚାଷୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି। ଗତ ୬ ତାରିଖ ଦିନ ପ୍ରକଳ୍ପରୁ ପାଣି ଛାଡ଼ିବା ଥିଲା। କିନ୍ତୁ, ଜିରୋ ପଏଣ୍ଟ ଚାଷୀଙ୍କ ଧାରଣା ଯୋଗୁଁ ପାଣି ଛଡ଼ାଯାଇ ପାରୁ ନାହିଁ। ଉଭୟ ପକ୍ଷ ଚାଷୀଙ୍କ ଏହି ଜିଦ୍‌ ପାଇଁ ପ୍ରଶାସନ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ଏପଟେ ପାଣି ଛଡ଼ା ନଯିବାରୁ ରବି ଚାଷ ପଛରେ ପଡ଼ିଯିବା ଆଶଙ୍କା ଦେଖା ଦେଇଛି। ଏହି ବିବାଦ ଶୀଘ୍ର ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ରାସ୍ତା ଅବରୋଧ ବେଳେ ଡୁମେରପାଣି ସରପଞ୍ଚ ଲାଲାରାମ ସାହୁ ୨୦ ନମ୍ବର ପାଣି ପଞ୍ଚାୟତ ସରପଞ୍ଚ ଧନୀରାମ ସାହୁ, ସୁଧୀର ମିଶ୍ର, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। 

image