25 March 2017
3:13:44 AM
Sambad News
ରାଜ୍ୟ

୬ ଶିଶୁ ସମେତ ୧୭ ଦାଦନ ଉଦ୍ଧାର, ସର୍ଦ୍ଦାର ଫେରାର

By Sambad | Date: Jan 1 2017 10:39PM
୬ ଶିଶୁ ସମେତ ୧୭ ଦାଦନ ଉଦ୍ଧାର, ସର୍ଦ୍ଦାର ଫେରାର

କୋମନା : ସରକାର ଗାଁରେ ଗରିବ ତଥା ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କୋମନା ବ୍ଲକ୍‌ରେ ଏହାର ସୁଫଳ ମିଳୁନାହିଁ। ଫଳରେ ପ୍ରତିଦିନ ଭିଟାମାଟି ଛାଡ଼ି ଲୋକେ ଅନ୍ୟ ରାଜ୍ୟକୁ କାମଧନ୍ଦା ଅନେ୍ଵଷଣରେ ଚାଲି ଯାଉଛନ୍ତି। 
 
ଏହି କ୍ରମରେ ଗତ ୫ ଦିନ ତଳେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଘନେସ ଗାଁର ଦାଦନ ସର୍ଦ୍ଦାର ପୁରନ୍ଦର ମାଝୀ କୋମନା ଥାନା ଅନ୍ତର୍ଗତ ଆଗ୍ରେନ ଗାଁକୁ ଜଣେ ସହଯୋଗୀଙ୍କ ସହ ଆସିଥିଲେ। ସେ ବୋଡ଼େନ ଥାନା ଅନ୍ତର୍ଗତ ଜୟବାହାଲ ଗାଁର ୬ ଶିଶୁ ସହ ୧୭ ଜଣ ଦାଦନଙ୍କୁ ନେଇ ପ୍ରଥମେ ଘୁନସରେ କିଛିଦିନ ରଖିଥିଲେ। ସେଠାରୁ ସେମାନଙ୍କୁ ଅନ୍ୟତ୍ର ଚାଲାଣ ପାଇଁ ନିଆଯିବାକୁ କହିବାରୁ ଶ୍ରମିକମାନେ ଅଗ୍ରିମ ଦେଲେ ଯିବ ବୋଲି କହିଥିଲେ। 
 
ସର୍ଦ୍ଦାର ଲାଠୋର ରେଳ ଷ୍ଟେସନରେ ଅଗ୍ରିମ ଦିଆଯିବ ବୋଲି କହି ସେଠାକୁ ନେଇ ଯାଇଥିଲେ। ସେଠାରେ ଶ୍ରମିକମାନେ ଟଙ୍କା ମାଗିଥିଲେ। ପ୍ରଥମେ ତୁମ ସାଙ୍ଗରେ ଆସିଥିବା ମହିଳାମାନଙ୍କୁ ପଠାଇ ଦିଅ, ସେମାନଙ୍କୁ ମାଲିକ ପାଖରେ ଛାଡ଼ି ଟଙ୍କା ଆଣିଲେ ତୁମେମାନେ ଯିବ ବୋଲି ଦାଦନ ସର୍ଦ୍ଦାର ଶ୍ରୀ ମାଝୀ କହିଥିଲେ। 
 
ଇତିମଧ୍ୟରେ ପୁରନ୍ଦର କିଛି ସମୟ ପାଇଁ କୌଣସି କାମରେ ଯିବାରୁ ଦାଦନମାନେ ଚାଲି ଚାଲି ସେଠାରୁ କୋମନା ଥାନା ଅନ୍ତର୍ଗତ କାଣ୍ଡେତରା ଗାଁକୁ ପଳାଇ ଆସିଥିଲେ। ସେଠାରେ ଗଛ ମୂଳରେ ଭୋକ ଉପାସରେ ପଡ଼ି ରାତି କଟାଇ ଥିଲେ। ସକାଳେ ସେହି ଗାଁର ଲୋକଙ୍କୁ ସବୁକଥା ଜଣାଇବାରୁ ସେମାନେ ଖାଇବାକୁ ଦେଇ କୋମନା ଥାନାକୁ ଖବର ଦେଇଥିଲେ। 
 
ଥାନା ଆଇଆଇସି ଶଲ୍ୟ ନାଏକଙ୍କ ନିର୍ଦେଶକ୍ରମେ ଏସ୍‌ଆଇ ଜିତମନ ବେଶ୍ରା, ଏଏସ୍‌ଆଇ ଅଶୋକ ରାଉତ, କୃଷ୍ଣ ଶବର, ବିନୋଦ ସେଠୀ ପ୍ରମୁଖ କାଣ୍ଡେତରାରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ସେମାନଙ୍କ ଠାରୁ ସମସ୍ତ କଥା ଜାଣିବା ପରେ ପୁଲିସ କେସ୍‌ ନଂ ୧/୧ରେ ଏକ ମାମଲା ରୁଜୁ କରି ଶ୍ରମ ବିଭାଗକୁ ଜଣାଇବା ସହ ଦାଦନ ସର୍ଦ୍ଦାରକୁ ଖୋଜୁଛି। ହେଲେ ସେ ଫେରାର ଥିବା ପୁଲିସ କହିଛି।