23 February 2017
5:50:22 AM
Sambad News
ନୂଆପଡ଼ା

ପାଣି ବଣ୍ଟନ ବିବାଦ ତୁଟିଲା

ତଳମୁଣ୍ଡ ଚାଷୀ ପାଣି ପାଇବେ

By Sambad | Date: Jan 4 2017 6:58AM
ପାଣି ବଣ୍ଟନ ବିବାଦ ତୁଟିଲା

ନୂଆପଡ଼ା/ସାରାବଙ୍ଗ: ଅପରଜୋଙ୍କ ପ୍ରକଳ୍ପରୁ ରବି ଫସଲ ପାଇଁ ପାଣି ଛଡ଼ାଯିବା ନେଇ ସୃଷ୍ଟି ହୋଇଥିବା ବିବାଦ ସମାଧାନ ହୋଇଛି। ମଙ୍ଗଳବାର ଦିନ ପ୍ରଶାସନ ଓ ଜଳସମ୍ପଦ ନୂଆପଡ଼ା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଫଳରେ ଯୋଗେଶ୍ୱର କୃଷକ ମଞ୍ଚ ଦେଇଥିବା ଧାରଣା  ଅଷ୍ଟମ ଦିନରେ ସ୍ଥଗିତ ହୋଇଛି। ଚାଷୀଙ୍କ ସହମତିରେ ୬ରୁ ୧୬ ନଂ ପାଣି ପଞ୍ଚାୟତକୁ ପ୍ରଥମେ ୧୪ ଦିନ ପାଣି ଛଡ଼ାଯିବ। ଯାହାକି ୩୪୦୦ ହେକ୍ଟର ଜମିକୁ ସହଜରେ ପାଣି ମାଡ଼ି ପାରିବ। ପରେ ୧୫ ଦିନଠାରୁ ୧୦ ଦିନ ପର୍ଯ୍ୟନ୍ତ ଜିରେ ପଏଣ୍ଟରୁ ୫ ନଂ ଚାଷୀଙ୍କୁ ପାଣି ଯୋଗାଇ ଦିଆଯିବ। ଯାହାକି ୧୨୦୦ ହେକ୍ଟର ଜମିରେ ପାଣି ମାଡ଼ିବ।

ଏହାଦ୍ୱାରା ଉଭୟ ପକ୍ଷର ଚାଷୀ ଠିକ୍‌ ଭାବେ ପାଣି ପାଇ ପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେପରି ୬ରୁ ୧୬ ନଂ ପାଣି ପଞ୍ଚାୟତ ଚାଷୀଙ୍କ ଚାଷ ନଷ୍ଟ ନହୁଏ, ସେହି ଦୃଷ୍ଟିରୁ ଜିରୋ ପଏଣ୍ଟଠାରୁ ୫ ନଂ ପାଣି ପଞ୍ଚାୟତରେ ଧାନ ଚାଷ କମକ ପରି ଅଣଧାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଉଭୟ ପକ୍ଷର ଚାଷୀଙ୍କ ମତକୁ ନେଇ ପ୍ରଶାସନ ଏହି ନିଷ୍ପତ୍ତି ଶୁଣାଇଥିଲା।
 

 ଏହି ବୈଠକରେ ଅପରଜୋଙ୍କ ବିଭାଗର କାର୍ଯ୍ୟକାରୀ ନିର୍ବାହୀ ଯନ୍ତ୍ରୀ କୁଳମଣି ସେଠୀ, କନିଷ୍ଠ ଯନ୍ତ୍ରୀ କବିରାଜ ବେହେରା, କିଷାନ ବାବୁ ପ୍ରମୁଖ ସାମିଲ ଥିଲେ। ଏହି ଆଲୋଚନାରେ ଖୁଟମନଭେରା ସରପଞ୍ଚ ଦିଲୀପ ମାଝୀ, ସମିତି ସଭ୍ୟ ରାମ ସିଂ ମାଝୀ, ସାରାବଙ୍ଗ ସରପଞ୍ଚ ଭରତଲାଲ ରାଉତ, ପ୍ରକାଶ ଦୀକ୍ଷିତ,  ରାମଚରଣ ସାହୁ, ପୁରୁଷତ୍ତୋମ ଦେବାଙ୍ଗନ, ହେମଲାଲ ଧୋବି, ବିନୟ ଦୀକ୍ଷିତ, ଶାନ୍ତରାମ ସାହୁ, ନରୋତ୍ତମ ଦଣ୍ଡସେନା, ନେମିଚାନ୍ଦ ସାହୁ, ଶୋଭା ସାହୁ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ। ବୈଠକରେ ସୁଷମ ପାଣି ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପିଡି ଡିଆରଡିଏ ପ୍ରଦୀପ ନାଏକଙ୍କ ତତ୍ତ୍ୱାବଧାନରେ ଇଂ. କୁଳମଣି ବେହେରା ପାଣି ଯୋଗାଣର ତଦାରଖ କରିବେ ବୋଲି ବୈଠକରେ ନିଷ୍ପତ୍ତି ହେଇଛି। ସମାଧାନ ପରେ ଚାଷୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷ ହୋଇଛି।