21 January 2017
4:15:34 PM
image
Sambad News
ନୂଆପଡ଼ା

ଜିଲ୍ଲାପାଳ ଅଫିସ ଘେରାଉ, ଜାତୀୟ ରାଜପଥ ଅବରୋଧ

ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା ଦାବି: ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

By Sambad | Date: Jan 5 2017 9:26AM
ଜିଲ୍ଲାପାଳ ଅଫିସ ଘେରାଉ, ଜାତୀୟ ରାଜପଥ ଅବରୋଧ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଜଙ୍ଗଲ ଜମି ପଟ୍ଟା ଦେବାରେ ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ କରି ପାରମ୍ପରିକ ବନବାସୀ ପକ୍ଷରୁ ବୁଧବାର ଆନ୍ଦୋଳନ କରାଯାଇଥିଲା। ବନବାସୀମାନେ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଅଫିସ୍‌ ସମ୍ମୁଖରେ ପହଞ୍ଚିଥିଲେ। ବନବାସୀ ଜଙ୍ଗଲ ଜମିର ପଟ୍ଟା ଦାବି କରି ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ। ପରେ ୩୫୩ ନଂ ଜାତୀୟ ରାଜପଥକୁ ୩ ଘଣ୍ଟା ଧରି ଅବରୋଧ କରିଥିଲେ। ପରେ ଜିଲ୍ଲା ପ୍ରଶାସନ ଆଲୋଚନା ପାଇଁ ଜିଲ୍ଲା ଜଙ୍ଗଲ ମୁକ୍ତି ମଞ୍ଚ କର୍ମକର୍ତ୍ତାଙ୍କୁ ଡାକି ଥିଲେ। ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମିଞ୍ଜ ଓ ଡିଡବ୍ଲୁଓ ସର୍ବେଶ୍ୱର ସାହୁ ଆଲୋଚନାରେ ଅଂଶ ଗ୍ରହଣ କରି ଆସନ୍ତା ଜୁନ୍‌ ୩୦ ତାରିଖ ସୁଦ୍ଧା ଆବେଦନକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ବ୍ୟକ୍ତିଗତ ଓ ସାମୂହିକ ଭାବେ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଥିବାରୁ କିଛି କରି ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ରାଜପଥରେ ଅପରାହ୍ନ ୩ଟାରୁ ଯାନବାହାନ ଯାତାୟାତ ସ୍ୱାଭାବିକ ହୋଇଥିଲା।
 

 ଜିଲ୍ଲା ଜଙ୍ଗଲ ଜମି ମୁକ୍ତି ମଞ୍ଚ ସଭାପତି ହୀରାଲାଲ ମାଝୀ, ମେଘନାଦ ଖରସେଲଙ୍କ ନେତୃତ୍ୱରେ ଶହଶହ ବନବାସୀ ଘାସିରାମ ମାଝୀଙ୍କ ଘରଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ପହଞ୍ଚି ଥିଲେ। ପରେ ଜିଲ୍ଲାପାଳ ଅଫିସ ଘେରାଉ ଓ ରାସ୍ତାରୋକ କରାଯାଇଥିଲା। ବନବାସୀମାନେ ଏନେଇ ପୂର୍ବରୁ ଆନ୍ଦୋଳନ କରିଥିଲେ ଓ ଜିଲ୍ଲା ପ୍ରଶାସନ ଗତ ୨୦୧୬ ଡିସେମ୍ବର ସୁଦ୍ଧା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦାବି ପୂରଣ ନ ହେବାରୁ ଆଜି ଆନ୍ଦୋଳନ କରାଯାଇଥିଲା। କିନ୍ତୁ ଜୁନ୍‌ ୩୦ ତାରିଖ ସୁଦ୍ଧା ପ୍ରଶାସନ ପ୍ରତିଶ୍ରୁତି ପୂରଣରେ ବିଫଳ ହେଲେ ଆଗକୁ ଯେଉଁ ପରସ୍ଥିତି ଉପୁଜିବ ସେଥିପାଇଁ ମଞ୍ଚ ଦାୟୀ ରହିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

ଏହି ଆନ୍ଦୋଳନରେ କଂଗ୍ରେସ ଜିଲ୍ଲା ସଭାପତି ଅଧିରାଜ ପାଣିଗ୍ରାହୀ, ରାଜ୍ୟ ସଂପାଦକ ଘାସିରାମ ମାଝୀ,  ଅକ୍ଷୟ ନନ୍ଦ, ଯୁଧିଷ୍ଠିର ସାହୁ, ମେଘନାଦ ଖରସେଲ, ହନୁରାମ ମାଝୀ, ମଞ୍ଚ ଜିଲ୍ଲା ସଭାପତି ହୀରାଲାଲ ମାଝୀ, ପିଙ୍ଗଲ ମାଝୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ପରିସ୍ଥିତିକୁ ଦେଖି ପୁଲିସ ମୁତୟନ କରାଯାଇଥିଲା। ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ା, ଆଇଆଇସି ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ବ୍ୟବସ୍ଥା କଡ଼ାକଡି କରାଯାଇଥିଲା।