21 January 2017
10:59:15 PM
image
Sambad News
ନୂଆପଡ଼ା

ନୂତନ ପଞ୍ଚାୟତର ସଦର ମହକୁମା ସ୍ଥାପନକୁ ବିରୋଧ

୨ ଗାଁର ବାସିନ୍ଦାଙ୍କ ଭୋଟ ବର୍ଜନ ନିଷ୍ପତ୍ତି

By Sambad | Date: Jan 7 2017 10:10AM
ନୂତନ ପଞ୍ଚାୟତର ସଦର ମହକୁମା ସ୍ଥାପନକୁ ବିରୋଧ

ଖଡ଼ିଆଳ: ଲୋକଙ୍କୁ ଅଧିକ ସୁବିଧା ଓ ସୁଯୋଗ ପ୍ରଦାନ ସହ ପଞ୍ଚାୟତ କାର୍ଯ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାର ନୂତନ ପଞ୍ଚାୟତ ଗଠନ କରିଥିବା ବେଳେ ଏହି ପଞ୍ଚାୟତ ଗଠନରେ କିଛିକାଂଶରେ ଲୋକେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଥିବା ବେଳେ କିଛି ସ୍ଥାନରେ ନୂତନ ପଞ୍ଚାୟତ ଗଠନରେ ଲାଗି ରହିଥିବା ସମସ୍ୟାକୁ ନେଇ ବିରୋଧାଭାଷ ଦେଖାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ରେ ଥିବା ତୁକୁଲା ଗ୍ରାମପଞ୍ଚାୟତରୁ ସରଗାଦି, ନରସିଂଗପୁର ଓ ରୁଷିଗାଁକୁ ସ୍ୱତନ୍ତ୍ର କରି ରୁଷିଗାଁ ପଞ୍ଚାୟତ ଗଠନ ପରେ ସରଗାଦି ଓ ନରସିଙ୍ଗପୁର ଗ୍ରାମବାସୀଏହାକୁ ବିରୋଧ କରିଆସିଛନ୍ତି। ଏପରି ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନକୁ ଅଭିଯୋଗ ଦେବା ସହ ମାନ୍ୟବର କୋର୍ଟରେ ମାମଲା ମଧ୍ୟ ଦିଆଯଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

କିନ୍ତୁ ନୂତନ ପଞ୍ଚାୟତ ଭାବେ ରୁଷିଗାଁକୁ ଘୋଷଣା ପରେ ତୁକୁଲା ପଞ୍ଚାୟତରେ ଥିବା କଲେଜ ନିକଟବର୍ତ୍ତୀ ଅଞ୍ଚଳରେ ରୁଷିଗାଁ ପଞ୍ଚାୟତର ସଦର ମହକୁମା କାର୍ଯ୍ୟାଳୟ ଉଦ୍‌ଘାଟନ ପରେ ସରଗାଦି ଓ ନୂଆପଡ଼ା ଗ୍ରାମବାସୀ ଏହାକୁ ବିରୋଧ କରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଭୋଟ ବର୍ଜନ କରିଛନ୍ତି। ଗ୍ରାମରେ ସମସ୍ତ ଲୋକ ଏକାଠି ହୋଇ ଏକ ସଭା କରିବା ସହ ନିର୍ବାଚନରେ କୌଣସି ଜନପ୍ରତିନିଧି ଭାଗ ନନେବା ସହ ଭୋଟର ଭୋଟ ନଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନରସିଂଙ୍ଗପୁରରେ ୪ଟି ଓ୍ଵାର୍ଡ ଓ ସରଗାଦିରେ ୨ଟି ଓ୍ଵାର୍ଡ ଥିବା ବେଳେ ରୁଷିଗାଁରେ ୫ଟି ଓ୍ଵାର୍ଡ ରହିଛି।

ମୋଟ ୧୧ଟି ଓ୍ଵାର୍ଡ ମଧ୍ୟରୁ ନୂତନ ପଞ୍ଚାୟତର ୬ଟି ଓ୍ଵାର୍ଡର ଲୋକେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିବାରୁ ନୂତନ ପଞ୍ଚାୟତ ଗଠନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମସ୍ୟା ଦେଖା ଦେବା ସୁନିଶ୍ଚିତ ହୋଇଯାଇଛି। ନୂତନ ପଞ୍ଚାୟତ ଘୋଷଣା ପରେ ସରଗାଦି, ନରସିଙ୍ଗପୁର ଓ ରୁଷିଗାଁର ମଧ୍ୟବର୍ତ୍ତୀ ସ୍ଥାନରେ ସଦର ମହକୁମା କାର୍ଯ୍ୟାଳୟ ସ୍ଥାପନ ବଦଳରେ ତୁକୁଲା ପଞ୍ଚାୟତର କଲେଜ ନିକଟବର୍ତ୍ତୀ ସ୍ଥାନରେ କାର୍ଯ୍ୟାଳୟ ସ୍ଥାପନ ଯୋଗୁଁ ତୁକୁଲା ପଞ୍ଚାୟତର କେବଳ  ନାମ ପରିବର୍ତ୍ତନ ହୋଇ ରୁଷିଗାଁ ହୋଇଥିବା ଓ ସେହି ପଞ୍ଚାୟତରେ ହିଁ ନୂତନ କାର୍ଯ୍ୟାଳୟ ସ୍ଥାପନ ଯୋଗୁଁ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।