22 August 2017
4:39:50 PM
image
Sambad News
ରାଜନୀତି

ଘୋଷଣାରେ ରହିଗଲା ଇସ୍ତାହାର!

ସରକାରଙ୍କ ‘ଆଇନା’କୁ ମୁକାବିଲା କରିବ କିଏ?

By Sambad | Date: Jan 11 2017 2:10PM
ଘୋଷଣାରେ ରହିଗଲା ଇସ୍ତାହାର!

ଭୁବନେଶ୍ୱର: ଆସନ୍ତାଠାରୁ ରାଜ୍ୟରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। ମାତ୍ର ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି, କଂଗ୍ରେସ କରିଥିବା ଘୋଷଣା ଅନୁଯାୟୀ ଏଯାଏ ପଞ୍ଚାୟତ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିପାରିନାହାନ୍ତି। କେବେ ଇସ୍ତାହାର ପ୍ରକାଶ କରାଯିବ, ତାହା ମଧ୍ୟ ଦଳ ଏଯାଏ ଘୋଷଣା କରିନାହିଁ। ଅନ୍ୟପକ୍ଷରେ ବିଜେଡି ନିର୍ବାଚନ ଇସ୍ତାହାର ପ୍ରକାଶ ନେଇ ନିରବ ରହିଛି।
ଉଲ୍ଲେଖଯୋଗ୍ୟ, ପଞ୍ଚାୟତିରାଜ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନିର୍ବାଚନ ଇସ୍ତାହାର ପ୍ରକାଶ କଥା କହିଥିଲା। ସେହିଭଳି କଂଗ୍ରେସ ଆଉ ଦି’ ପାଦ ଆଗକୁ ଯାଇ ଇସ୍ତାହାର କମିଟି ବି ଘୋଷଣା କରିଥିଲା। ଦଳ ପକ୍ଷରୁ କୁହାଯାଇଥିଲା ଯେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ବେଳକୁ ଏହା ପ୍ରକାଶ କରାଯିବ। ମାତ୍ର ଏଯାଏ ତାହା ସମ୍ଭବ ହୋଇନାହିଁ।
 

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ରାଜ୍ୟ ସରକାର ଅତ୍ୟନ୍ତ ଚତୁରତାର ସହିତ ‘ଆଇନା’ ପୁସ୍ତିକା ପ୍ରକାଶ କରି ତାହାକୁ ବହୁ ଆଗରୁ ବାଣ୍ଟିଛନ୍ତି। ରାଜ୍ୟ ସରକାରଙ୍କ ସବୁ ଭଲ କାମର ତାଲିକା ଏମଧ୍ୟରେ ରହିଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ଦଳୀୟ ଅନ୍ତଃକନ୍ଦଳରେ ଫସି ରହିଛି। ଏଣୁ ନିର୍ବାଚନୀ ଇସ୍ତାହାର ଅତ୍ୟନ୍ତ ଆକର୍ଷଣୀୟ ଓ ପ୍ରଭାବୀ ନ ହେଲେ କଂଗ୍ରେସ ସପକ୍ଷରେ ଜନମତ ସୃଷ୍ଟି କରିବାରେ ଏହା ବିଶେଷ ସହାୟକ ହୋଇନପାରେ। ବିଜେପି ମଧ୍ୟ ଏ କ୍ଷେତ୍ରରେ ପଛରେ ରହିଛି। ଥରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଗଲେ, ଇସ୍ତାହାର କେବଳ ଗଣମାଧ୍ୟମରେ ଅଟକିଯିବ ବୋଲି ଏହି ମହଲ ଯୁକ୍ତି ରଖିଛନ୍ତି।
 

ଉଲ୍ଲେଖଯୋଗ୍ୟ, ୨୦୧୨ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡି ଓ କଂଗ୍ରେସ ନିର୍ବାଚନ ଇସ୍ତାହାର ପ୍ରକାଶ କରିବା ଏକ ଉଲ୍ଲେଖନୀୟ ଘଟଣା ଥିଲା। ବିଜେଡି ମମତା ଯୋଜନା ଓ ବାଳିକାମାନଙ୍କୁ ସାଇକେଲ ପ୍ରଦାନ ସହ ସରକାରଙ୍କ ସଫଳତାର କାହାଣୀକୁ ନିର୍ବାଚନରେ ପ୍ରମୁଖ ଇସ୍ୟୁ କରିଥିଲା।