29 April 2017
6:54:48 PM
image
Sambad News
ରାଜନୀତି

ଗାଁରେ ନିର୍ବାଚନ, ରାଜଧାନୀରେ ଗୋଟିଚାଳନା: ପୋଷ୍ଟର୍‌ ଓ୍ଵାର୍‌ ଓ ଭୋଜି ପ୍ରତିଯୋଗିତା ଜମୁଛି

ପଞ୍ଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

By Sambad | Date: Jan 11 2017 3:41PM
ଗାଁରେ ନିର୍ବାଚନ, ରାଜଧାନୀରେ ଗୋଟିଚାଳନା: ପୋଷ୍ଟର୍‌ ଓ୍ଵାର୍‌ ଓ ଭୋଜି ପ୍ରତିଯୋଗିତା ଜମୁଛି

ଖଣ୍ଡଗିରି: ଭୁବନେଶ୍ୱର ବ୍ଲକରେ ଜଟଣୀ, ଏକାମ୍ର ଓ ଉତ୍ତର ଭୁବନେଶ୍ୱର ଏମିତି ୩ ନିର୍ବାଚନ ମଣ୍ଡଳୀର ୨୦ଟି ପଞ୍ଚାୟତ ରହିଛି। ଖୋର୍ଧା ଜିଲ୍ଲା ପରିଷଦର ଜୋନ୍‌ ନଂ ୨୮ ଓ ୨୯ ଏହି ବ୍ଲକ୍‌ରେ ରହିଛି। ଏଥିରେ ବିଜେଡି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନିର୍ବାଚନ ମଣ୍ଡଳୀର ୭ଟି ପଞ୍ଚାୟତ ରହିଥିବାବେଳେ ଜଟଣୀ ବିଧାୟକ ଭାଗୀରଥି ବଡ଼ଜେନା(ମିଟୁ)ଙ୍କ ୯ଟି ଓ ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ୪ଟି ପଞ୍ଚାୟତ ରହିଛି। ଖୋର୍ଧା ଜିଲ୍ଲା ବିଜେଡି ସଭାପତି ତଥା ଜଟଣୀର ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଦଳୀୟ ମୁଖିଆ ହିସାବରେ ନିର୍ବାଚନ ରଣନୀତିରେ ସକ୍ରିୟ ରହିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ପାଇଁ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ ପଦାକୁ ଆସି ନଥିଲେ ବି ବହୁ ପଞ୍ଚାୟତରେ କିନ୍ତୁ ବିଜେଡି  ଫାଳ ଫାଳ ହୋଇ ପଡ଼ିଛି।

ନେତାମାନଙ୍କ ଭିତରେ ଚାଲିଥିବା ଛାୟାଯୁଦ୍ଧ ଯୋଗୁଁ ବହୁ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଏକାଧିକ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ସାରିଲେଣି। ବିଶେଷ କରି କିଛି ଗୋଷ୍ଠୀ ବିଭୂତିଙ୍କ ଚେନ୍‌ରେ ରହିଛନ୍ତି ବୋଲି କହୁଥିବାବେଳେ କିଛି ବିଧାୟକ ମିଟୁଙ୍କ ସମର୍ଥକ ବୋଲି କହି ବୁଲୁଛନ୍ତି। ପ୍ରାୟ ସବୁ ପଞ୍ଚାୟତରେ ଏମିତି ବିରୋଧୀ ଗୋଷ୍ଠୀ ଭିତରେ ଚାଲିଛି ଛକାପଞ୍ଝା। ତେଣୁ ସମସ୍ୟାରେ ପଡ଼ି ଯାଇଛନ୍ତି ଜିଲ୍ଲା ପରିଷଦ ସଦସ୍ୟତା ପାଇଁ ଲଢ଼ୁଥିବା ଆଶୟୀ ପ୍ରାର୍ଥୀମାନେ। କାହା ଗୋଷ୍ଠୀକୁ ଧରି ସେମାନେ ପଞ୍ଚାୟତରୁ ଭୋଟ ଗୋଟାଇବେ ସେହି ଚିିନ୍ତାରେ ସେମାନେ ପଡ଼ି ଯାଇଛନ୍ତି। ଏହି ଛକାପଞ୍ଝା ସେମାନଙ୍କ ପାଇଁ କାଳ ହୋଇପାରେ ବୋଲି ସେମାନେ ଆଶଙ୍କାରେ। ଅପରପକ୍ଷେ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଏକୁଟିଆ ନିର୍ବାଚନ ମଙ୍ଗ ଧରିଛନ୍ତି।

ଦଳର ପଞ୍ଚାୟତସ୍ତରୀୟ ବହୁ ଛାମୁଆ ନେତା ଏ ପର୍ଯ୍ୟନ୍ତ ନିରବ ରହିଥିବାରୁ ଦଳର ସମର୍ଥିତ ଆଶୟୀ ପ୍ରାର୍ଥୀମାନେ ଆଶଙ୍କାରେ ଅଛନ୍ତି। ତେଣୁ ନିଜ ନିଜର ଦମ୍‌ ନେଇ ସେମାନେ ଲୋକଙ୍କ ନିକଟତର ହେବାକୁ ଲାଗି ପଡ଼ିଛନ୍ତି। ସେହିଭଳି ବିଜେପି ପକ୍ଷରୁ ଆରମ୍ଭ ହୋଇଛି ସମରସଜ୍ଜା। ବହୁ ପଞ୍ଚାୟତରେ ଦଳୀୟ ସଂଗଠନ ଦୁର୍ବଳ ଥିଲେ ବି କିଛି କିଛି ପଞ୍ଚାୟତରେ ପ୍ରାର୍ଥୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନେଇ ଅଣ୍ଟା ଭିଡ଼ିଛନ୍ତି।

ତେବେ ବିଜେଡିର ଗୋଷ୍ଠୀ କନ୍ଦଳରୁ ବହୁ ପଞ୍ଚାୟତରେ ଅଣବିଜେଡ଼ି ପ୍ରାର୍ଥୀମାନେ ଫାଇଦା ଉଠାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ବଡ଼ କଥା ହେଉଛି କିଛି କିଛି ପଞ୍ଚାୟତରେ ଉଭୟ କଂଗ୍ରେସ ଓ ବିଜେପି ସମର୍ଥିତ ପ୍ରାର୍ଥୀମାନଙ୍କ ଦର୍ଶନ ମିଳିନାହିଁ। ତେଣୁ ଏହି ଦୁଇ ଦଳ ସବୁ ପଞ୍ଚାୟତରେ ପ୍ରାର୍ଥୀ ଦେଇ ପାରିବେ କି ନା ତାହା ଉପରେ ସମସ୍ତଙ୍କ ନଜର।
 

image