22 January 2017
9:45:59 PM
image
Sambad News
ରାଜନୀତି

ଆରମ୍ଭ ହେଲା ପ୍ରାର୍ଥିପତ୍ର ଦାଖଲ : ବିଜେଡିକୁ ଅସ୍ତରଙ୍ଗ ଚିନ୍ତା

By Sambad | Date: Jan 12 2017 1:58AM
ଆରମ୍ଭ ହେଲା ପ୍ରାର୍ଥିପତ୍ର ଦାଖଲ : ବିଜେଡିକୁ ଅସ୍ତରଙ୍ଗ ଚିନ୍ତା

ପୁରୀ : ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ବିଜେଡ଼ିର ଭାଗ ଛିଣ୍ଡୁନି। ଦଳ ଭିତରେ ବିଦ୍ରୋହୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଏବେ ବଡ଼ମୁଣ୍ଡିଆ ନେତା ଚିନ୍ତାରେ। ତେବେ ଅସ୍ତରଙ୍ଗ ଚିନ୍ତା ମହେଶ୍ୱରଙ୍କୁ ବେଶି ଘାରିଛି। ଅସ୍ତରଙ୍ଗରେ ବିଜେଡ଼ି ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ସୁରେନ୍ଦ୍ର ସେଠୀ ବିଜେଡ଼ିର ବିଧାୟକ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ପୁଅ ସ୍ୱାଧୀନ ନାୟକ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଅଛନ୍ତି। ଉଭୟଙ୍କ ମଧ୍ୟରେ ଅହି-ନକୁଳ ସମ୍ପର୍କ ବିଜେଡ଼ି ପାଇଁ କାଳ ହୋଇଛି। 
 
ବିଧାୟକ ଗୋଟିଏ ପାଖରେ ଶୋଭାଯାତ୍ରା କରିବା ବେଳେ ଅନ୍ୟପାଖରେ ବ୍ଲକ ଅଧ୍ୟକ୍ଷ ଶୋଭାଯାତ୍ର କରୁଛନ୍ତି। ଏଠାରେ ସଂଖ୍ୟାର ଖେଳ ଚାଲିଛି। ଶୋଭାଯାତ୍ରାରେ ସଂଖ୍ୟାକୁ ନେଇ ସେମାନେ ନିଜନିଜର ପତିଆରା ଜାହିର କରୁଛନ୍ତି। ବଡ଼କଥା ହେଉଛି ଏହି ଦୁଇ ନେତାଙ୍କ କଳିରେ ଜନସ୍ୱାର୍ଥ ବଳିପଡ଼ିଛି। ଉଭୟଙ୍କ ମଧ୍ୟରେ ଉତ୍ତମ ସଂପର୍କ ନଥିବାରୁ ସବୁ ସମସ୍ୟା ହୋଇଛି। ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବିଧାୟକଙ୍କ ତତ୍ତ୍ୱାବଧାନରେ ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି ସେଥିରେ ଅନିୟମିତତା ତଥା ହିତାଧିକାରୀ ଚୟନରେ ପକ୍ଷପାତିତା କରାଯାଇଥିବା ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ ନାୟକ ଅଭିଯୋଗ କରିଛନ୍ତି। କେବଳ ଅଭିଯୋଗ କରିନାହାନ୍ତି ବରଂ କୋର୍ଟର ଦ୍ଵାରସ୍ଥ ହୋଇଥିବାରୁ ଦୀର୍ଘ ଦିନ ହେବ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରିନାହିଁ। କାରଣ ହାଇକୋର୍ଟ ଏହା ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି। ଗୋଟିଏ ଦଳରେ ଏବଂ କ୍ଷମତାରେ ଥାଇ ଖୋଲାଖୋଲି ଭାବରେ ଜନସ୍ୱାର୍ଥରେ ବାଧା ସୃଷ୍ଟି କରିବା ପୁରୀ ରାଜନୀତି ଇତିହାସରେ ପ୍ରଥମ ବୋଲି କୁହାଯାଉଛି। 
 
ସ୍ୱାଧୀନଙ୍କ ବାପା ସୁରେନ୍ଦ୍ରନାଥ ନାୟକ ପୁରୁଖା ନେତା ହୋଇଥିଲେ ମଧ୍ୟ ତାଙ୍କୁ ନିର୍ବାଚନରେ ଏକ ପାଖିଆ କରି ରଖାଯାଇଛି। ଭୋଟ ମାଗିବାକୁ ଗଲେ ଭୋଟର ନେତାଙ୍କୁ ବହୁ ପ୍ରଶ୍ନ ପଚାରିବା ସମ୍ଭାବନା ରହିଛି । ବିଧାୟକଙ୍କ ଲୋକକୁ ଟିକେଟ୍‌ ଦେବେ କି ସମିତି ଅଧ୍ୟକ୍ଷଙ୍କ ଲୋକକୁ ଟିକେଟ୍‌ ଦେବେ ତାହା ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । କମ୍‌ ସମୟ ମଧ୍ୟରେ ଉଭୟଙ୍କୁ ଏକାଠି ବସାଇବା ମଧ୍ୟ ସମ୍ଭବ ହେଉ ନାହିଁ । ବୈଠକ ପରେ ବୈଠକ ବସିଥିଲେ ମଧ୍ୟ ଅସ୍ତରଙ୍ଗ ଜିଲ୍ଲା ପରିଷଦ ସଦସ୍ୟଙ୍କ ନାମ ଘୋଷଣା ହୋଇ ପାରୁନାହିଁ। ବୁଧବାର କେବଳ ୱାର୍ଡ଼ ମେମ୍ବର ପାଇଁ ୧୦ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ବେଳେ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ପାଇର୍ ପ୍ରାର୍ଥୀପତ୍ର ଦାଖଲ ହୋଇ ନାହିଁ। 
 
କାକଟପୁର ବିଧାନସଭା ଆସନ ସଂରକ୍ଷିତ ହେବା ପରେ ଶ୍ରୀ ସେଠୀଙ୍କୁ ବିଜେଡ଼ି ଟିକଟ୍‌ ମିଳିଥିଲା। ତାଙ୍କୁ ବିଜୟ କରିବାରେ ନାୟକ ବାପ-ପୁଅଙ୍କ ସହଯୋଗ ଥିଲା। ପାଖାପାଖି ଅଢେଇ ବର୍ଷ ପର୍ଯ୍ୟନ୍ତ ସମନ୍ଵୟରେ କାମ ଚାଲିଥିଲା। ତେବେ ବିଜେଡ଼ି ବ୍ଲକ ସଭାପତି ଚୟନକୁ ନେଇ ମତାନ୍ତର ହୋଇଥିଲା। ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ଏଥିରେ ହସ୍ତକ୍ଷେପ କଲେ। ତାଙ୍କ ନିଷ୍ପତ୍ତି କ୍ରମେ ବ୍ଲକ ଅଧ୍ୟକ୍ଷଙ୍କ ସମର୍ଥିତ କୁଞ୍ଜବିହାରୀ ପ୍ରଧାନ ଗତ ଫେବୃଆରୀ ୨୯ ତାରିଖରେ ସଭାପତି ହେଲେ। ଅସ୍ତରଙ୍ଗରେ ଜିଲ୍ଲା ପରିଷଦ ପଦ ୨ ରହିଥିବାରୁ ଉଭୟଙ୍କୁ ସନ୍ତୁଷ୍ଟ କରିବା ଯୋଜନା ହେଉଛି। ସରପଞ୍ଚ ପଦ ୧୪ ଥିବା ବେଳେ ଏଥର ଗୋଟିଏ ନୂଆ ପଞ୍ଚାୟତ ହୋଇଛି। ୧୪ ସରପଞ୍ଚଙ୍କ ମଧ୍ୟରୁ ବିଧାୟକଙ୍କର ୨ ସମର୍ଥକ ରହିଥିବା ବେଳେ ଅଧିକ ବ୍ଲକ ଅଧ୍ୟକ୍ଷଙ୍କ ସମର୍ଥନ ରହିଛି। ଏଣୁ ଜିଲ୍ଲା ସଭାପତିଙ୍କ ନିଷ୍ପତ୍ତି ଉପରେ ବିଜେଡ଼ିର ଭାଗ୍ୟ ନିର୍ଭର କରୁଛି। ଏହି ବିବାଦ ଅନ୍ୟ ଦଳ ପାଇଁ ସୁଯୋଗ ସୃଷ୍ଟି କରିବା ସମ୍ଭାବନା ରହିଛି।