25 July 2017
6:08:28 PM
image
Sambad News
ରାଜନୀତି

ପ୍ରଚାର ମଇଦାନରେ ଓଲିିଉଡ୍‌

ବିଜେଡିରେ ୧୦, ବିଜେପିରେ ୨ ବାଦ୍‌ ପଡ଼ିଲେ ପପୁ ପମ୍‌ପମ୍‌

By Sambad | Date: Jan 12 2017 5:48AM
ପ୍ରଚାର ମଇଦାନରେ ଓଲିିଉଡ୍‌

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ଓଲିଉଡ୍‌ ତାରକାଙ୍କ କ୍ରେଜ୍‌ ଦେଖିବାକୁ ମିଳିଛି। ପ୍ରଚାର ଅଭିଯାନରେ ତାରକାଙ୍କୁ ସାମିଲ୍‌ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ଅଣ୍ଟା ଭିଡ଼ିଛନ୍ତି। ଏଥିରେ ଆଗରେ ଅଛି ଶାସକ ବିଜୁ ଜନତା ଦଳ। ୧୦ ଜଣ ତାରକାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବିଜେଡି। ବିଜେପି ୨ ଜଣ ତାରକାଙ୍କୁ ପ୍ରଚାରରେ ସାମିଲ୍‌ କରାଇଛି। ଗତ କିଛି ବର୍ଷ ହେବ ଓଡ଼ିଶା ରାଜନୀତି ଓ ଓଲିଉଡ୍‌ର ସମ୍ପର୍କ ଦୃଢ଼ ହେଉଥିବା ଦେଖିବାକୁ ମିଳିଛି। 

 
ବିଜେଡିର ୨୦ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୯ ଜଣଙ୍କୁ ‘ଷ୍ଟାର୍‌ କ୍ୟାମ୍ପେନର୍‌’ ତାଲିକାରେ ରଖାଯାଇନାହିଁ। କେବଳ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ହୋଇଥିବା କାରଣରୁ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଏଥିରେ ସ୍ଥାନ ପାଇଛନ୍ତି। ସେହିପରି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଓ ବିଧାୟକ ଆକାଶ ଦାସନାୟକ ଦଳ ପାଇଁ ବିଭିନ୍ନ ଜିଲ୍ଲା ବୁଲି ପ୍ରଚାର କରିବେ। ବିଜେଡି ରାଜନୀତିରେ ସକ୍ରିୟ ଥିବା ପ୍ରଶାନ୍ତ ନନ୍ଦ ଓ ମୁନା ଖାନ୍‌ ବି ପ୍ରଚାର ଅଭିଯାନରେ ସାମିଲ୍‌ ହେବେ। ବିଜେଡିର ଦଳୀୟ ରାଜନୀତିରେ ସକ୍ରିୟ ନ ଥିବା ପାଞ୍ଚ ଜଣ ଅଭିନେତା ଓ କଣ୍ଠଶିଳ୍ପୀଙ୍କୁ ବିଜେଡି ପ୍ରଚାର କାର୍ଯ୍ୟରେ ବ୍ୟବହାର କରିବ। ସେମାନେ ହେଲେ ମିହିର ଦାସ, ଅରିନ୍ଦମ, କୁନା ତ୍ରିପାଠୀ, ସାତ୍ୟକୀ ମିଶ୍ର ଓ ତୃପ୍ତି ଦାସ। ଭବିଷ୍ୟତରେ ଏହି କଳାକାରମାନେ ସକ୍ରିୟ ରାଜନୀତିରେ ରହିବେ ନା କେବଳ ବିଜେଡି ପାଇଁ ପ୍ରଚାର ଅଭିଯାନରେ ନିଜକୁ ସୀମିତ ରଖିବେ, ତାହା ଜଣାପଡ଼ି ନାହିଁ। ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀଙ୍କୁ ବିବାହ କଲା ପରେ ଅରିନ୍ଦମ ପ୍ରଥମ ଥର ପାଇଁ ବିଜେଡି ସପକ୍ଷରେ ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଥିବା ଦେଖାଯାଇଛି। 
 
ଗତ ନିର୍ବାଚନରେ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଥିବା ପପୁ ପମ୍‌ପମ୍‌ଙ୍କୁ ଏଥର ପ୍ରଚାରରେ ସାମିଲ୍‌ କରାଯିବ ନାହିଁ। ବିଭିନ୍ନ ଅଭିଯୋଗରେ ବଦନାମ ମୁଣ୍ଡାଇଥିବା ପପୁଙ୍କୁ ଦଳରୁ ନିଲମ୍ବିତ ବି କରାଯାଇଛି। ତେଣୁ ଏଥର ନିର୍ବାଚନରେ ପପୁଙ୍କ କ୍ରେଜ୍‌ ଆଉ ରହିବ ନାହିଁ।  
 
ଓଲିଉଡ୍‌ର ଅଧିକାଂଶ ଆଗ ଧାଡ଼ିର କଳାକାରଙ୍କୁ ବିଜେଡି ନେଇଯାଇଥିଲା ବେଳେ ବିଜେପି କେବଳ ଶ୍ରୀତମ ଦାସ ଓ ପିଙ୍କି ପ୍ରଧାନଙ୍କୁ ପ୍ରଚାରରେ ସାମିଲ୍‌ କରାଇବ। ଏହି ଦୁଇ କଳାକାର ବହୁ ପୂର୍ବରୁ ବିଜେପିରେ ସାମିଲ୍‌ ହୋଇ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଆସୁଛନ୍ତି। କଂଗ୍ରେସ ତାହାର ‘ଷ୍ଟାର୍‌ କ୍ୟାମ୍ପେନର୍‌’ଙ୍କ ତାଲିକା ପ୍ରକାଶ କଲା ପରେ ସେଥିରେ ଓଲିଉଡ୍‌ ଅଭିନେତା, ଅଭିନେତ୍ରୀ ସାମିଲ୍‌ ହେଉଛନ୍ତି କି ନାହିଁ ଜଣାପଡ଼ିବ।