25 September 2017
3:25:09 PM
Sambad News
ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ : ନାମାଙ୍କନ ପତ୍ର ଦାଖଲ ବେଳେ ଅପରାଧୀ!

ନିରପେକ୍ଷ ନିର୍ବାଚନ ନେଇ ଆଶଙ୍କା

By Sambad | Date: Jan 12 2017 5:59AM
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ  : ନାମାଙ୍କନ ପତ୍ର ଦାଖଲ ବେଳେ ଅପରାଧୀ!

ହିଞ୍ଜିିଳିକାଟୁ : ପଞ୍ଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌୍‌ପିଙ୍କ ତତ୍ୱାବଧାନରେ ଚାଲିଛି ଘନଘନ ଅପରାଧ ସମୀକ୍ଷା ବୈଠକ। କୌଣସି ପରିସ୍ଥିତିରେ ମଧ୍ୟ ଅପରାଧୀଙ୍କୁ ଖୁଲମଖୁଲା ବୁଲିବାକୁ ଦିଆଯିବନି। ଅପରାଧୀ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରାଯିବା ସହ ଓ୍ଵାରେଣ୍ଟ ଜାରି ହୋଇଥିବା ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇବାକୁ ସମୀକ୍ଷା ବୈଠକରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ନିର୍ଦେଶ ବି ଜାରି ହେଉଛି। ହେଲେ ଦୀପତଳ ଅନ୍ଧାର ନ୍ୟାୟରେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଚିତ୍ର ପୂରାପୂରି ଅଲଗା। ଏଠାରେ ଓ୍ଵାରେଣ୍ଟ ଜାରି ହୋଇଥିବା ଅପରାଧୀଙ୍କୁ ପୁଲିସ ହାତ ମାରିବାକୁ ବି ଭୟ କରୁଛି। ଯାହାଫଳରେ ଖୁଲମଖୁଲା ଅପରାଧୀମାନେ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାୟରେ ପଇଁତରା ମାରିବା ଦେଖିବାକୁ ମିଳୁଛି। 
 
ଏହାର ନଜିର୍‌ ଦେଖିବାକୁ ମିଳିଛି ହିଂଜିଳି ବ୍ଲକ ଓ ଚାନ୍ଦୁଲି ପଞ୍ଚାୟତ କାର୍ଯ୍ୟାଳୟରେ। ୨ଜଣ ଅଭିଯୁକ୍ତ ତଥା ଦୁଇ ଭାଇ ଆଲୋକ ସାହୁ ଓ ସୁବ୍ରତ ସାହୁଙ୍କ ନାଁରେ ହିଂଜିଳି ଜେଏମ୍‌ଏଫସି କୋର୍ଟ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଥିଲେ ବି ସେମାନେ ଖୁଲମଖୁଲା ବୁଲୁଥିବା ଦେଖିବାକୁ ମିଳିଛି। ପୁଲିସ ସେମାନଙ୍କୁ ଦେଖୁଥିଲେ ବି ହାତ ଦେଉନାହିଁ। ଉଭୟଙ୍କ ନାଁରେ ଥାନାରେ କୋର୍ଟରୁ ଆସିଥିବା ଓ୍ଵାରେଣ୍ଟ କାଗଜ ଆସି ଖତ ଖାଉଛି। ଫଳରେ ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ କିଭଳି ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳିତ ହେବ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
 
ହିଞ୍ଜିଳିକାଟୁରେ ଆଜି ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିନରେ ଚାନ୍ଦୁଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଚାନ୍ଦୁଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ସମୟରେ ସରପଞ୍ଚଙ୍କ ସମର୍ଥକ ଆଲୋକ ସାହୁ ଓ ତାଙ୍କ ଭାଇ ସୁବ୍ରତ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ପୁଲିସ ସେଠାରେ ଉପସ୍ଥିତ ରହି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ବିସ୍ମୟ ସୃଷ୍ଟି କରିଥିଲା। ପରେ ଦୁଇ ଭାଇ ଆଲୋକ ଓ  ସୁବ୍ରତ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଆଲୋକଙ୍କ ପତ୍ନୀ ସମିତି ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। କିନ୍ତୁ ସେଠାରେ ବି ପୁଲିସ ନିରବ ଥିଲା। 
 
ସୂଚନା ଥାଉକି, ଖଣ୍ଡରା ଗ୍ରାମର କେଦାରନାଥ ସାହୁଙ୍କ ପୁଅକୁ ମାର୍‌ପିଟ୍‌ କରିବା ଓ ହତ୍ୟା ଧମକ ନେଇ ଜେଏମ୍‌ଏଫ୍‌ସି କୋର୍ଟରେ ନଂ. ୬/୧୫ ମାମଲା ରୁଜୁ ହୋଇଥିଲା। କେଦାର ଏନେଇ  ଅଭିଯୋଗ କରିଥିଲେ। ମାମଲା ଚାଲିଥିବା ବେଳେ କୋର୍ଟ ପକ୍ଷରୁ ଉଭୟଙ୍କୁ ହାଜର ପାଇଁ ନୋଟିସ୍‌ ହୋଇଥିଲା। କିନ୍ତୁ ସେମାନେ ହାଜର ନ ହେବାରୁ ଜେଏମ୍‌ଏଫସିଙ୍କ ପକ୍ଷରୁ ଜାମିନ ବିହୀନ ଗିରଫ ପରଓ୍ଵାନା ଗତ ୩ ତାରିଖରେ ଜାରି ହୋଇଥିଲା। ତେବେ ପୁଲିସ ଉଭୟଙ୍କୁ ଗିରଫ କରିନଥିଲା।  ୮ଦିନ ପରେ ବି ଅଭିଯୁକ୍ତ ଦୁଇଜଣ ଖୁଲମଖୁଲା ବ୍ଲକ ଓ ପଞ୍ଚାୟତ ଅଫିସରେ ନାମାଙ୍କନ ଦାଖଲ ବେଳେ ବୁଲୁଥିଲେ। ଏ ଖବର ପାଇ କେଦାରଙ୍କ ପକ୍ଷରୁ ପୁଲିସ ନିକଟରେ ଅଭିଯୋଗ କରିବାରୁ ଉଭୟଙ୍କୁ ଡାକି ଗେଟ ମୁହଁରୁ ଛାଡ଼ି ଦିଆଯାଇଥିଲା; କିନ୍ତୁ ଗିରଫ କରାଯାଇନଥିଲା।  ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ପୁଲିସ କାହିଁକି ଓ୍ଵାରେଣ୍ଟ ଥିବା ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଛି ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

image