22 August 2017
4:35:43 PM
image
Sambad News
ରାଜନୀତି

ପ୍ରଧାନମନ୍ତ୍ରୀଙ୍କ ପଦ୍ମାସନ ଦେଖିଛନ୍ତି?: ରାହୁଳ ଗାନ୍ଧୀ

By Sambad | Date: Jan 11 2017 1:46PM
ପ୍ରଧାନମନ୍ତ୍ରୀଙ୍କ ପଦ୍ମାସନ ଦେଖିଛନ୍ତି?: ରାହୁଳ ଗାନ୍ଧୀ
Photo Courtesy: News Nation

ନୂଆଦିଲ୍ଲୀ: ସଦ୍ୟ ଛୁଟି କଟାଇ ଫେରିଥିବା କଂଗ୍ରେସ ନେତା ରାହୁଳ ଗାନ୍ଧୀ ଯୋଗରସିକ ପ୍ରଧାନମନ୍ତ୍ରୀ ମୋଦି ‘ପଦ୍ମାସନ’ କରିବାରେ ଅସମର୍ଥ ହେଉଥିବା କଥା କହି ସମାଲୋଚନା କରିଛନ୍ତି। 

ଦିଲ୍ଲୀରେ ଅନୁଷ୍ଠିତ ‘ଜନ ବେଦନା ସମ୍ମେଳନ’ରେ କଂଗ୍ରେସ ଉପାଧ୍ୟକ୍ଷ କହିଲେ- ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଯୋଗ କରୁଥିବାର ମୁଁ ଦେଖିଲି। ପ୍ରଧାନମନ୍ତ୍ରୀ ସବୁ ରକମ ଆସନ ଉତ୍ତମ ରୂପେ କଲେ। କିନ୍ତୁ, ସେ ପଦ୍ମାସନ କରିପାରିଲେ ନାହିଁ।

ମୁଁ ଯୋଗ କରିଛି। ମାନୁଛି, ମୁଁ ଉତ୍ତମ ଯୋଗ କରିପାରେ ନାହିଁ। କିନ୍ତୁ, ମୋ ଯୋଗ ଗୁରୁ ମୋତେ କହୁଥିଲେ ଯଦି ତୁମେ ନିୟମିତ ଯୋଗାଭ୍ୟାସ କରିବ, ତୁମେ ଅନାୟାସରେ ପଦ୍ମାସନ କରିପାରିବ। ଅର୍ଥାତ୍‌ ନିୟମିତ ଯୋଗ କରୁ ନ ଥିବା ବ୍ୟକ୍ତି ପଦ୍ମାସନ କରିପାରିବେ ନାହିଁ।

ଯୋଗ ଦୃଷ୍ଟାନ୍ତ ଦେଇ ପ୍ରଧାନମନ୍ତ୍ରୀଙ୍କୁ ନାନା କଥା ପାଇଁ ଖୋଲାମେଲା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ଗୋଟିଏ ଆଡୁ, ପ୍ରଧାନମନ୍ତ୍ରୀ କୌଣସି କାର୍ଯ୍ୟ ସୁଚାରୁ ରୂପେ କରିପାରୁ ନାହାନ୍ତି। ପୁଣି, କୌଣସି କାର୍ଯ୍ୟରେ ତାଙ୍କର ନିଷ୍ଠା ନାହିଁ। 

ବିମୁଦ୍ରାୟନକୁ ରାହୁଳ ପ୍ରଧାନମନ୍ତ୍ରୀଙ୍କର ଅପାରଗପଣିଆର ଅନ୍ୟ ଏକ ଉଦାହରଣ ବୋଲି କହିଥିଲେ। ରାହୁଳ କହିଲେ, ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଝାଡୁ ଧରାଇ, ‘ଦୁର୍ନୀତିଗ୍ରସ୍ତ ଭାରତ’କୁ ସେ ନିଜେ କିପରି ପରିଷ୍କାର କରିବାକୁ ଯାଉଛନ୍ତି ତାହା ନିଜେ ଏକ ଝାଡୁ ଧରି ଦେଖାଇଦେଲେ।

ହାଁ’ କରି ଅନାଇଥିବା ଲୋକମାନଙ୍କୁ ରାହୁଳ ପଚାରିଲେ- ଭାରତ ପରିଷ୍କାର କରିବାକୁ ଗଲାବେଳେ ପ୍ରଧାନମନ୍ତ୍ରୀ କିପରି ଝାଡୁ ଧରିଥିଲେ ଦେଖିଛନ୍ତି? 

ବିମୁଦ୍ରାୟନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତ୍ୟକ୍ଷ ସମାଲୋଚନା କରି ରାହୁଳ କହିଲେ- ପ୍ରଥମ ଥର ଲାଗି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଏ ଭଳି ପଦକ୍ଷପ ଲାଗି ବିଶ୍ୱରେ ନିନ୍ଦିତ ହୋଇଛନ୍ତି। କୌଣସି ଅର୍ଥନୈତିଜ୍ଞ ବିମୁଦ୍ରାୟନକୁ ସମର୍ଥନ କରି ନାହାନ୍ତି।