22 January 2017
9:45:20 PM
image
Sambad News
ରାଜନୀତି

କର୍ମୀଙ୍କୁ ମୁଲାୟମଙ୍କ ଆଶ୍ୱାସନା, ଦଳ ଭାଙ୍ଗଯିବାକୁ ଦେବିନି

ଅଖିଳାରତୀୟ ସମାଜବାଦୀ ପାର୍ଟି ଗଠନ ଯୋଜନା ଚାଲିଛି

By Sambad | Date: Jan 12 2017 12:11AM
କର୍ମୀଙ୍କୁ ମୁଲାୟମଙ୍କ ଆଶ୍ୱାସନା, ଦଳ ଭାଙ୍ଗଯିବାକୁ ଦେବିନି

ଲକ୍ଷ୍ନୌ:  ସମାଜବାଦୀ ପାର୍ଟି ଦୁଇ ଫାଳ ହୋଇଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିବା ବେଳେ ଦଳ ସୁପ୍ରିମୋ ମୁଲାୟମ ସିଂହ ଯାଦବ ଆଜି କର୍ମୀଙ୍କ ସହ ସିଧାସଳଖ ଯୋଗାଯୋଗ କରିଛନ୍ତି।  ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କ ଆଭିମୁଖ୍ୟକୁ କଠୋର କରି ପିତା ମୁଲାୟମ ସିଂହ ଯାଦବ ଏବଂ କାକା ଶିବପାଲ ଯାଦବଙ୍କ ସହ କୌଣସି ସାଲିସ କରିବେ ନାହିଁ  ବୋଲି  ଜଣାଇଦେବା ପରେ ମୁଲାୟମ ଏବେ ଭିନ୍ନ ରାସ୍ତା ଧରିଛନ୍ତି।  ମୁଲାୟମ କର୍ମୀ ସମାବେଶରେ ଉଦ୍‌୍‌ବୋଧନ ଦେଇ କହିଛନ୍ତି ଯେ  ଯଉଁ ଦଳକୁ ବ୍ୟାପକ ସଂଘର୍ଷ ଭିତରେ ଜରୁରୀ ପରିସ୍ଥିତି ସମୟରେ ମୁଁ ଗଠନ କରିଥିଲି ତାହାକୁ ଭାଙ୍ଗିଯିବାକୁ ଦେବିନାହିଁ।

ଅଖିଳେଶଙ୍କ ଆଚରଣରେ କ୍ଷୁବ୍ଧ ମୁଲାୟମ ଆବେଗଭରା କଣ୍ଠରେ କହିଥିଲେ  ମୋ ପାଖରେ ଏବେ କିଛି ନାହିଁ, କେବଳ କର୍ମୀଙ୍କ ମନୋବଳ ରହିଛି। ମୁଁ ସବୁ କ୍ଷମତା  ସେମାନଙ୍କୁ( ଅଖିଳେଶ-ରାମଗୋପାଳ) ଦେଇଥିଲି, ଏବେ ସେମାନେ ବିବାଦକୁ ବଢ଼ାଇ ଦଳକୁ ଦୁଇ ଫାଳ କରିବାକୁ ଚାହୁଛନ୍ତି। ଦଳର ମହାସଚିବ ରାମଗୋପାଳ ଯାଦବଙ୍କୁ କଡ଼ା ସମାଲୋଚନା କରି ମୁଲାୟମ କହିଥିଲେ ଯେ ରାମଗୋପାଳ ନିଜ ପୁଅ ଏବଂ ବୋହୂର ଦୁର୍ନୀତିକୁ ଘୋଡ଼ାଇବା ପାଇଁ ଦଳକୁ ବୁଡ଼ାଇବାକୁ ଚାହୁଛନ୍ତି। ଯାଞ୍ଚରୁ  ରକ୍ଷା ପାଇବା ପାଇଁ ସେ ସମାଜବାଦୀ ପାର୍ଟିକୁ ଷଡ଼ଯନ୍ତ୍ରର ଶିକାର କରାଇଛନ୍ତି। ରାମଗୋପାଳ ଦଳରେ ବିଭାଜନ ସୃଷ୍ଟି କରିବା ବଦଳରେ ତାଙ୍କର ଶରଣାପନ୍ନ ହୋଇଥିଲେଏଥିରୁ ରକ୍ଷା ପାଇପାରିଥାନ୍ତେ ବୋଲି ମୁଲାୟମ ସିଧାସଳଖ କହିଛନ୍ତି।  ରାମଗୋପାଳ ଏବେ ଅଖିଳେଶଙ୍କୁ ମତାଇ ନୂଆ ଦଳ ଗଠନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ଦଳର ନାମ ଅଖିଳ ଭାରତୀୟ ସମାଜବାଦୀ ପାର୍ଟି (ଏବିଏସ୍‌ପି) ଏବଂ ଏହି ଦଳ ପାଇଁ ମୋଟର ସାଇକେଲ ସଙ୍କେତ ଆଣିବା ନିମନ୍ତେ ଜୋରସୋର ପ୍ରୟାସ ଚାଲିଛି । ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟ ମୁଁ ଭଲଭାବେ ଜାଣିଛି ବୋଲି ମୁଲାୟମ କହିଛନ୍ତି। ରାମଗୋପାଳଙ୍କୁ ଇଙ୍ଗିତ କରି ମୁଲାୟମ କହିଥିଲେ ଯେ ଅନ୍ୟ ଏକ ଦଳର ସଭାପତିଙ୍କ ସହିତ ଏହି ନେତା ୩ ଥର ମିଶିଥିଲେ ଏବଂ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା ତାହା ମୁଁ ଜାଣିଛି। 

ଦଳର ପ୍ରତିଷ୍ଠା ସଂପର୍କରେ ଉଲ୍ଲେଖ କରି ମୁଲାୟମ କହିଛନ୍ତି ଯେ ଦଳ ଗଠନ ହେବାବେଳେ ଅଖିଳେଶଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିଲା। ବହୁ ସଂଘର୍ଷ ଭିତରେ ଦଳ ଆଜିର ସ୍ଥିତିରେ ପହଞ୍ଚିଛି।  ସୂଚନାଯୋଗ୍ୟ, ଗତକାଲି ମୁଲାୟମ ଅଖିଳେଶଙ୍କ ସହ ଦଳୀୟ ବିବାଦର ସମାଧାନ ପାଇଁ ୨ ଘଣ୍ଟା ଧରି ଆଲୋଚନା କରିଥିଲେ। ଆଲୋଚନା ବେଳେ ମୁଲାୟମ ଦେଇଥିବା ସମସ୍ତ ପ୍ରସ୍ତାବକୁ ଅଖିଳେଶ ପ୍ରତ୍ୟାଖ୍ୟାନ କରିବା ସହ ଦଳର ମହାସଚିବ ରାମଗୋପାଳ ଯାଦବଙ୍କ ଦ୍ୱାରା ନିଆଯାଇଥିବା କୌଣସି ନିଷ୍ପତ୍ତି ବଦଳିବ ନାହିଁ ବୋଲି  ରୋକ୍‌ଠୋକ ଶୁଣାଇ ଦେଇଥିଲେ। ଏବେ  ଉଭୟ ପକ୍ଷ ଦଳ ଉପରେ ନିୟନ୍ତ୍ରଣ ନେଇ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି।  ଦଳର ୨୨୯ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୨ ଶହ ବିଧାୟକ ଅଖିଳେଶଙ୍କ ସପକ୍ଷରେ ଥିବାରୁ ଏବେ ସେ ଆଉ ସାଲିସ୍‌ କରିବାକୁ ଚାହୁନାହାନ୍ତି।    ତେବେ ଦଳର ନିର୍ବାଚନୀ ସଙ୍କେତ ‘ସାଇକେଲ’ କାହାକୁ ମିଳିବ ସେ ନେଇ ଆଗାମୀ ୧୩ ତାରିଖରେ ନିର୍ବାଚନ କମିସନ ରାୟ ଶୁଣାଇବେ।