24 September 2017
11:10:57 PM
Sambad News
ରାଜନୀତି

କଶ୍ମୀର ସଂକଟ : ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଗୁରୁତ୍ୱ

ପେଲେଟ ଗନ ନିଷିଦ୍ଧ ପାଇଁ କଶ୍ମୀର ବିରୋଧୀ ଦଳଙ୍କ ଦାବି

By Sambad | Date: Aug 23 2016 6:38AM
କଶ୍ମୀର ସଂକଟ : ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଗୁରୁତ୍ୱ

ନୂଆଦିଲ୍ଲୀ: କଶ୍ମୀରରେ ଜାରି ରହିଥିବା ଅଶାନ୍ତ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ଗଭୀର ଚିନ୍ତା ପ୍ରକଟ କରିବା ସହ ଦୁଃଖ ପ୍ରକାଶ କରିଛନ୍ତିି। ସମ୍ବାଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ  ଆଲୋଚନା ମାଧ୍ୟମରେ ଏହି ସଂକଟର ସ୍ଥାୟୀ ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କଶ୍ମୀର ହିଂସାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନେ ଆମର ଏବଂ ଆମ ଦେଶର ଅଂଶବିଶେଷ। ତେଣୁ ଏହି ସଂଘର୍ଷରେ ସୁରକ୍ଷାକର୍ମୀ  କିମ୍ବା ସ୍ଥାନୀୟ ଯୁବକଙ୍କ ପ୍ରାଣହାନୀ ଆମ ପାଇଁ ଦୁଃଖଦାୟକ ବୋଲି ମୋଦି କହିଛନ୍ତି।  ଜମ୍ମୁ-କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ସହ ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କ ସରକାର ସର୍ବଦା ଚେଷ୍ଟିତ।  ସେଠାରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ସମସ୍ତଙ୍କ ସହଯୋଗ ଦ୍ୱାରା ଆଲୋଚନା ମାଧ୍ୟମରେ ଏହି ପ୍ରସଂଗର ସ୍ଥାୟୀ ସମାଧାନର ବାଟ ବାହାରି ପାରିବ। ତେଣୁ ସମସ୍ତେ ମିଳିତ ଭାବେ ଏଦିଗରେ ପ୍ରୟାସ କରିବା ପାଇଁ ମୋଦି ଜମ୍ମୁ-କଶ୍ମୀର ବିରୋଧୀ ଦଳଙ୍କୁ ଆହ୍ଵାନ ଦେଇଛି।
 ଲଗାତାର ୪୫ ଦିନ ଧରି କଶ୍ମୀରରେ କର୍ଫ୍ୟୁ ଜାରି ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲାଙ୍କ ନେତୃତ୍ୱରେ ଜମ୍ମୁ-କଶ୍ମୀର ବିରୋଧୀ ଦଳଙ୍କ ଏକ ଆଠ ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୁରହନ ଓ୍ଵାନିର ମୃତ୍ୟୁ ପରେ କଶ୍ମୀରେ  ଜାରି ରହିଥିବା ଅଶାନ୍ତି ଏବଂ ଅଚଳାବସ୍ଥା ସଂପର୍କରେ ସବିଶେଷ ତଥ୍ୟ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।  ଜମ୍ମୁ-କଶ୍ମୀରରେ ସୃଷ୍ଟି ହୋଇଥିବା ଅଶାନ୍ତି ଏକ ରାଜନୈତିକ ସମସ୍ୟା ତେଣୁ ଏହାର ରାଜନୈତିକ ସମାଧାନ କରିବାକୁ ସେମାନେ ଅନୁରୋଧ କରିଥିଲେ। ଏହାସହ ପେଲେଟ ଗନ୍‌ର ବ୍ୟବହାରକୁ ତୁରନ୍ତ ନିଷିଦ୍ଧ କରିବା ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ସେହପରି ସମସ୍ତ ପକ୍ଷଙ୍କ ଯଥାଶିଘ୍ର ଆଲୋଚନା ପ୍ରକ୍ରିୟା ଆରମ୍ଭ ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ  ଅନୁରୋଧ କରିଥିଲେ। କେବଳ ବିକାଶ ଦ୍ୱାରା କଶ୍ମୀର ପ୍ରସଂଗର ସମାଧାନ ହୋଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଏକମତ ହୋଇଥିବା ଓମାର ଅବ୍‌ଦୁଲ୍ଲା ସୂଚନା ଦେଇଛନ୍ତି।

image