23 February 2017
8:16:34 AM
Sambad News
ରାଜନୀତି

ଏକଚାଟିଆ ନିଷ୍ପତ୍ତି ଦେଶକୁ ବରବାଦ କରିଛି: ରାହୁଲ

ବିମୁଦ୍ରାୟନ ବିରୋଧରେ କଂଗ୍ରେସର ଜନ ବେଦନା ସମାବେଶ

By Sambad | Date: Jan 12 2017 12:10AM
ଏକଚାଟିଆ ନିଷ୍ପତ୍ତି ଦେଶକୁ ବରବାଦ କରିଛି: ରାହୁଲ

ନୂଆଦିଲ୍ଲୀ: ବିଦେଶରୁ ଛୁଟି କଟାଇ ଫେରିବା ପରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବଡ଼ ନୋଟ୍‌ ଅଚଳ ନିଷ୍ପତ୍ତି ମୋଦିଙ୍କର ଏକ ଅପରିଣାମଦର୍ଶୀ ପଦକ୍ଷେପ। କାହା ସହିତ  ବିଚାର ବିମର୍ଶ ନକରି ମୋଦି ତାଙ୍କର ବ୍ୟକ୍ତିଗତ ଏକଚାଟିଆ ନିଷ୍ପତ୍ତିକୁ ଦେଶ ଉପରେ ଲଦି ଦେଇଛନ୍ତି। ଏହା ଦ୍ୱାରା ଦେଶର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ସେ କହିଛନ୍ତି।  
 
କଂଗ୍ରେସର ‘ଜନ ବେଦନା’ ସମାବେଶରେ ଉଦ୍‌ବୋଧନ ଦେି ରାହୁଲ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଯୋଗମୁଦ୍ରା ପରିବର୍ତ୍ତନ କରିବା ଭଳି ଗୋଟିଏ ପରେ ଗୋଟିଏ ସରକାରୀ ଯୋଜନା ପ୍ରଣୟନ କରିଚାଲିଛନ୍ତି। ମାତ୍ର କୌଣସି ଗୋଟିଏ ବି ଯୋଜନାକୁ ସେ ଠିକ ଭାବେ କାର୍ଯ୍ୟକାରୀ କରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଯୋଗ କରିବା ପାଇଁ ପ୍ରବର୍ତ୍ତାଉ ଥିବାବଳେ ନିଜେ ପଦ୍ମାସନ କରିପାରୁ ନାହାନ୍ତି। ପଦ୍ମାସନ ଜାଣି ନଥିବା ଲୋକ ଯୋଗ କରିବାକୁ ଯୋଗ୍ୟ ନୁହେଁ ବୋଲି ରାହୁଲ କହିଛନ୍ତି।   ବିଜେପି ମାତ୍ର ଅଢ଼େଇ ବର୍ଷରେ ଦେଶର ବିଭିନ୍ନ ଅନୁଷ୍ଠାନକୁ ଗୌଣ କରି କେବଳ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରୁଛି। ଏନ୍‌୍‌ଡିଏ ସରକାର ଆରବିଆଇ, ନ୍ୟାୟପାଳିକା ଭଳି ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ   ଦୁର୍ବଳ କରି ଦେଇଥିବା ରାହୁଲ ଅଭିଯୋଗ କରିଛନ୍ତି। ଦେଶର ‘ଅଚ୍ଛେଦିନ’ ଆସିଥିବା ମୋଦି ପ୍ରଚାର କରୁଛନ୍ତି। ମାତ୍ର ବିଜେପି ଶାସନରେ କେବେ ବି ଏହି ଅଚ୍ଛେଦିନ ଆସିପାରିବ ନାହିଁ। ଆସନ୍ତା ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସିବା ପରେ ପ୍ରକୃତ ଅଚ୍ଛେଦିନ ଆସିବ ବୋଲି ସେ କହିଛନ୍ତି। ସେହପରି ବିମୁଦ୍ରାୟନ ଭାରତର ଅର୍ଥନୀତି ଉପରେ ଖରାପ  ପ୍ରଭାବ ପକାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ କହିଛନ୍ତି। ତେବେ ଏହା ଯୋଗୁୁଁ ଆଗାମୀ ଦିନରେ ଆହୁରି ଦୁସ୍ଥିତିର ସମ୍ମୁଖୀନ  ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। 
 
ରାହୁଲଙ୍କ ବୟାନକୁ ବିଜେପି ମଧ୍ୟ ତୀବ୍ର ସମାଲୋଚନା କରିଛି। ରାହୁଲ ଜଣେ କାମଚଳା ରାଜନେତା। ତାଙ୍କ ବକ୍ତବ୍ୟର କିଛି ଗୁରୁତ୍ୱନାହିଁ। ସଂସଦରେ ବିଶୃଙ୍ଖଳା  ସୃଷ୍ଟିକରି  ଅଚଳ ରଖିବା ପାଇଁ ରାହୁଲଙ୍କ ଷଡ଼ଯନ୍ତ୍ର କାହାକୁ ଅଛପା ନାହିଁ। ଯଦି ସେ ପ୍ରକୃତରେ ଦେଶ କଥା ଚିନ୍ତା କରୁଥାନ୍ତେ ତାହେଲେ ତା’ହେଲେ ଛୁଟି କଟାଇବାକୁ ପଳାଉ ନଥାନ୍ତେ ବୋଲି ବିଜେପି କହିଛି।