26 June 2017
3:57:00 AM
Sambad News
ପୁରୀ

ବାର୍ଡ ଫ୍ଲୁ ଆଶଙ୍କା ବଢ଼ିଲା : ୨୪ ଘଣ୍ଟାରେ ୧୦ ପକ୍ଷୀ ମୃତ

ପରୀକ୍ଷା ପାଇଁ ଭୋପାଳ ଗଲା ପକ୍ଷୀ ଶବ

By Sambad | Date: Jan 10 2017 6:59AM
ବାର୍ଡ ଫ୍ଲୁ ଆଶଙ୍କା ବଢ଼ିଲା : ୨୪ ଘଣ୍ଟାରେ ୧୦ ପକ୍ଷୀ ମୃତ

ବ୍ରହ୍ମଗିରି : ଚିଲିକା କୂଳ ବ୍ରହ୍ମଗିରି ବନ ବିଭାଗ ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ୧୦ଟି ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଅସ୍ୱାଭାବିିକ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ୧୦ ବିରଳ ପ୍ରଜାତିର ବିଦେଶୀ ଶଂଖଚିଲ ଥିବା ଜଣାପଡ଼ିଛି। ଏହାକୁ ନେଇ ବ୍ରହ୍ମଗିରି ଓ ଚିଲିକା ସଂଲଗ୍ନ ଅନ୍ୟାନ୍ୟ ଅଞ୍ଚଳରେ ବାର୍ଡ ଫ୍ଲୁ ଭୟ ବଢ଼ିଯାଇଛି।
 
ଦୁଇ ଦିନ ପୂର୍ବେ ଗୋଟିଏ ଶଙ୍ଖଚିଲର ମୃତ୍ୟୁ ହୋଇଥିବା ବେଳେ ଗତ କାଲି ସଂଧ୍ୟାରୁ ରାତି ମଧ୍ୟରେ ୧୦ଟି ବ୍ରାହ୍ମିଣ କାଇଟ୍‌ (ବିରଳ ପ୍ରଜାତିର ବିଦେଶୀ ଶଙ୍ଖଚିଲ) ମରିଥିବା ଜଣାପଡ଼ଛି। ଆଜି ସକାଳୁ ତନିଟି ପାରା ଓ ୪ଟି କାଉ ମଧ୍ୟ ମରି ପଡ଼ିଥିବା ଜଣାପଡ଼ିଛି। ବନ ବିଭାଗ ଦୁଇଟି ବିରଳ ଶଂଖଚିଲ ଓ ଗୋଟିଏ ପାରାକୁ ଉଦ୍ଧାର କରି ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟକୁ ହସ୍ତାନ୍ତର କରିଛି। ପ୍ରାଣୀ ଚିକିତ୍ସାଳୟ ପକ୍ଷୀ ତିନିଟିର ଶବକୁ ସ୍ୱତନ୍ତ୍ର ଭାବେ ସଂରକ୍ଷଣ କରି ଜିଲ୍ଲା ପ୍ରାଣୀ ଚିକିତ୍ସାଳୟକୁ ପଠାଇଛି। ସେଠାରୁ ଏହା ଏଡିଆର୍‌ଆଇକୁ ଯିବା ପରେ ଭୋପାଳ ଯିବ ବୋଲି ପ୍ରାଣୀ ଚିକିତ୍ସାଳୟ ବ୍ରହ୍ମଗିରି ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରିତିତୋଷ ମହାପାତ୍ର କହିଛନ୍ତି। 
 
ଖବର ନେବାରେ ଜଣାପଡ଼ିଛି, ଗତ କାଲି ସଂଧ୍ୟାରେ ବ୍ରହ୍ମଗିରି ରେଞ୍ଜ ବୋଦାମୁଣ୍ଡ ଗାଁ ନିକଟରେ ହଠାତ ଏକ ଶଂଖଚିଲ ଦଳ ଉଡୁଥିବା ବେଳେ ସେଥିମଧ୍ୟରୁ ୧୦ଟି ପକ୍ଷୀ ତଳକୁ ଖସି ପଡ଼ିଥିଲେ । କିଛି ସମୟ ଧରି ଛଟପଟ ହେବା ପରେ ମରି ଯାଇଥିଲେ । ଏତେ ସଂଖ୍ୟକ ପକ୍ଷୀ କାହିଁକି ହଠାତ ମରି ପଡ଼ିଲେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତୁରନ୍ତ ଲୋକେ ବ୍ରହ୍ମଗିରି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ସଦଳବଳେ ଘଟଣାସ୍ଥଳରେ ପହଞ୍ଚବା ବେଳକୁ ଦୁଇଟି ପକ୍ଷୀକୁ ଉଦ୍ଧାର କରିଥିଲା । କିନ୍ତୁ ଅନ୍ୟ ୮ଟି ପକ୍ଷୀକୁ ବନ ବିଭାଗ ଖୋଜି ପାଇ ପାରି ନଥିଲା । ଆଜି ସକାଳୁ ପୁଣି ଥରେ ବ୍ରହ୍ମଗିରି ବଜାର ଢାବା ଛକ ନିକଟରେ ଏକ ପାରାର ଶବକୁ ବନ ବିଭାଗ ଉଦ୍ଧାର କରିଥିଲା । ଥାନା ଆଗରେ ଦୁଇଟି ପାରାର ଶବକୁ କୁକୁର ନେଇ ପଳାଇଥିଲା । ସେହିପରି କୂଅପଦା ମାତଲାପୁର ରାସ୍ତାରେ ୪ଟି କାଉ ମରି ପଡିଥିବା ଜଣାପଡିଛି । ରେଞ୍ଜ ଅଧିକାରୀ ସାହାଜି ଚରଣ ବିଶ୍ୱାଳ କହିଛନ୍ତି ଗତ କାଲି ୧୦ରୁ ୧୫ଟି ପକ୍ଷୀ ମରିଛନ୍ତି।