18 August 2017
8:06:18 PM
Sambad News
ପୁରୀ

ପୌର ଶ୍ରମିକ ସଂଘର ବିକ୍ଷୋଭ

By Sambad | Date: Jan 10 2017 7:00AM
ପୌର ଶ୍ରମିକ ସଂଘର ବିକ୍ଷୋଭ

ପୁରୀ : ପୁରୀ ପୌରାଞ୍ଚଳର ପରିମଳ ବ୍ୟବସ୍ଥାକୁ ଘରୋଇକରଣ କରାଯିବା ପ୍ରତିବାଦରେ ଆଜି ପୌର ଶ୍ରମିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ମତ ହେଲା, ପରିମଳ ରକ୍ଷା ବିଫଳତାର ସମାଧାନ ଘରୋଇ କରଣ ନୁହେଁ। ପରିସୀମା ଆକଳନ କରି ଅଧିକ କର୍ମଚାରୀ ନିଯୁକ୍ତ କରିବା ସହ ଏବେ କାର୍ଯ୍ୟରତ ୧୨୯ ସ୍ଥାୟୀ କର୍ମଚାରୀ, ୧୩୧ ୱାର୍କଚାର୍ଜ, ୩୩ଜଣ ଆଡ଼୍‌ହକ୍‌ ଏଭଳି ମୋଟ ୬୬୯ ଜଣ କର୍ମଚାରୀଙ୍କ କାର୍ଯ୍ୟ ବିଭକ୍ତିକରଣ ସହ ଦକ୍ଷ ଓ ସ୍ୱଛ ପରିଚାଳନା କରାଗଲେ ପରିମଳ ବ୍ୟବସ୍ଥା ସୁଧୁରିଯିବ। ଏହି ପ୍ରସ୍ତାବ ଦେଇଛନ୍ତି,  ପୌର ଶ୍ରମିକ ସଂଘ ସଭାପତି ରେବତୀ ବଲ୍ଲଭ ମହାପାତ୍ର। ଆଜି ପୌରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସଭାରେ ସେ ଏହା କହିଛନ୍ତି। ପ୍ରଥମେ ଶତାଧିକ ପରିମଳ କର୍ମଚାରୀ ଏକ ଶୋଭାଯାତ୍ରାରେ ପୌରସଂସ୍ଥା ପର୍ଯ୍ୟନ୍ତ ଆସି ଏଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ସଭାର  ଆୟୋଜନ କରାଯାଇ ଥିଲା । ସାଧାରଣ ସମ୍ପାଦକ ଜଗନ୍ନାଥ ଦେଓ, ଟୁନା ନାଏକ, କୃଷ୍ଣ ନାଏକ, ପ୍ରଫୁଲ୍ଲ ନାଏକ, କାଳିନ୍ଦୀ ନାଏକ, ଜ୍ୟୋତିପ୍ରକାଶ ନାଏକ ପ୍ରମୁଖ ଏହାକୁ ପରିଚାଳନାରେ ସହଯୋଗ କରିଥିଲେ। 
 
ପରିମଳ ବିଭାଗର ୬୬୯ କର୍ମଚାରୀଙ୍କୁ ୪ ପ୍ରକାର ମଜୁରୀ ବ୍ୟବସ୍ଥା ରହିଛି। ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ୱେ ସମାନ କାମକୁ ସମାନ ଦରମା ମିଳୁନାହିଁ। ଏଥିରେ ୩୭୬ ଜଣ ଠିକା କର୍ମଚାରୀ ରହିଛନ୍ତି। ୨୦ରୁ ୨୫ ବର୍ଷ ଧରି ଏମାନେ କାମ କରୁଥିଲେ ମଧ୍ୟ ସ୍ଥାୟୀ ଚାକିରୀ ବା ଦରମା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଏମାନଙ୍କୁ ଦିଆଯାଉ ନାହିଁ। ଏବେ ୭ମ ବେତନ କମିଶନ ଲାଗୁ ହେବାକୁ ଯାଉଥିବା ବେଳେ ଏମାନେ ୫ମ ବେତନ କମିଶନ ସୁପାରିଶ ମୁତାବକ ବେତନ ପାଉଛନ୍ତି। ସେଥିରୁ ଯାହା ବକେୟା ରହୁଛି ତାକୁ ପାଉ ପାଉ କେତେକ ମୃତ୍ୟୁବରଣ କରୁଛନ୍ତି। ଏଣୁ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ଦେବା ସହ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କଲେ ଯାଇ ପରିମଳ ବ୍ୟବସ୍ଥାରେ ଉନ୍ନତି ଆସିପାରିବ ବୋଲି ସଂଘ ଦାବି କରିଛି।