27 June 2017
2:16:36 PM
image
Sambad News
ପୁରୀ

ଆଇନଜୀବୀ ହତ୍ୟା ଘଟଣାର ପ୍ରତିକ୍ରିୟା : ଏସ୍‌ପିଙ୍କ ବଦଳି ଦାବିରେ ରାସ୍ତାରୋକ

ଆଜିଠାରୁ ଓକିଲଙ୍କ କାର୍ଯ୍ୟବନ୍ଦ, ଖିଅ ଖୋଜୁଛି ପୁଲିସ

By Sambad | Date: Jan 10 2017 7:02AM
ଆଇନଜୀବୀ ହତ୍ୟା ଘଟଣାର ପ୍ରତିକ୍ରିୟା : ଏସ୍‌ପିଙ୍କ ବଦଳି ଦାବିରେ ରାସ୍ତାରୋକ

ପୁରୀ : ଗତକାଲି ସମୁଦ୍ରକୂଳ ଥାନାର ଅତି ନିକଟରେ ଜଣେ ବ୍ୟବସାୟୀ ତଥା ଆଇନଜୀବୀଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ଆଜି ସହରରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁରୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇଥିବା ଦର୍ଶାଇ ଆଇନଜୀବୀ ଓ ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। 
 
ଟାଉନ ଥାନା ପୁଲିସ ଆଇନଜୀବୀ ତଥା ଶିଳ୍ପପତି ଚନ୍ଦନ ବେହେରାଙ୍କ ଶବକୁ ନେଇ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିଥିଲା। ଏହାପରେ ଶବକୁ ପରିବାର ଲୋକଙ୍କ ଜିମାରେ ଦେଇଥିଲା। ପରିବାର ଲୋକେ ଚନ୍ଦନଙ୍କ ମରଶରୀରକୁ ନେଇ ସ୍ୱର୍ଗଦ୍ଵାରଠାରେ ଅନ୍ତିମ ସଂସ୍କାର କରିଛନ୍ତି। ଅନ୍ୟପଟେ ଟାଉନ ଥାନା ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଖୁସି ରେସ୍ତୋଁରା କର୍ମଚାରୀ, ଚନ୍ଦନଙ୍କ ଡ୍ରାଇଭର ଓ ଆକ୍ରମଣର ଶିକାର ହୋଇଥିବା କୃଷ୍ଣଚନ୍ଦ୍ରଙ୍କୁ ଅଟକ ରଖି ପୁଲିସ ପଚରା ଉଚରା କରୁଛି। ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ୍‌ ଦୁଇଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା କହିଛି।
 
ତେବେ ମାସିକିଆ ବଟି ନେଉଥିବା ଏହି ଅଭିଯୁକ୍ତମାନେ କାହିଁକି ଚନ୍ଦନଙ୍କୁ ହତ୍ୟା କଲେ ତାହା ରହସ୍ୟ ଘେରରେ ରହିଛି। ଅଭିଯୁକ୍ତମାନଙ୍କ ପଛରେ କେଉଁ ନାୟକ ଅଛି, ସେ ସମ୍ପର୍କରେ ମଧ୍ୟ ପୁଲିସ ତଦନ୍ତ ଚଳାଇଛି। ଆକ୍ରମଣରେ ଆହତ ଚନ୍ଦନଙ୍କ ସହଯୋଗୀ କୃଷ୍ଣଚନ୍ଦ୍ର ଅଭିଯୁକ୍ତମାନଙ୍କ ନାମ ପୁଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି। ତେବେ ପୁଲିସ ଖୁସି ରେସ୍ତୋଁରାରେ ଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି। ଚନ୍ଦନଙ୍କର ରେଣୁକା ଗଳିରେ ଥିବା ସାଇ ଚନ୍ଦନ ରେସିଡେନ୍‌ସି ହୋଟେଲର ଜମିକୁ ନେଇ ମଧ୍ୟ ଅନ୍ୟ ଏକ ହୋଟେଲ ସହିତ ବିବାଦ ରହିଥିଲା। ବାଲେଶ୍ୱରରୁ ପୁରୀକୁ ଆସି ଏଠାରେ ବ୍ୟବସାୟ କରୁଥିବା ଚନ୍ଦନଙ୍କ ପତିଆରାରେ ହୁଏତ କେହି ଇର୍ଷାନ୍ଵିତ ହୋଇ ଏହିଭଳି କରିପାରିଥାଆନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। 
 
ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇଥିବା ଅଭିଯୋଗରେ ପୁରୀ ବାର୍‌ ଆସୋସିଏସନ ଓକିଲମାନେ ରାସ୍ତାରେ ବସି ରାସ୍ତାରୋକ କରିବା ସହିତ ଟାୟାର ଜାଳି ପ୍ରତିବାଦ କରିଥିଲେ। ସେମାନେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁରୀ ଏସ୍‌ପି ଡ. ସାର୍ଥକ ଷଡ଼ଙ୍ଗୀଙ୍କୁ ତୁରନ୍ତ ବିଦା କରିବା ପାଇଁ ସେମାନେ ଦାବି କରିଛନ୍ତି। ଆସନ୍ତା କାଲିଠାରୁ ତିନି ଦିନ ଧରି କୋର୍ଟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ପାଇଁ ସ୍ଥିର କରାଯାଇଛି। 
 
ପୁରୀ ବାର ଆସୋସିଏସନ ପକ୍ଷରୁ ସଭାପତି ପ୍ରେମାନନ୍ଦ ମହାନ୍ତି, ସମ୍ପାଦକ ସାରଦା ସାମଲ, ପୂର୍ବତନ ସଭାପତି ଆଦିତ୍ୟ ହୃଦୟ ମିଶ୍ର, ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସମେତ ଅନେକ ଆଇନଜୀବୀ ଏଥିରେ ସାମିଲ ହୋଇଥିଲେ। ସେହିପରି ଓଡ଼ିଶା ବାର୍‌ କାଉନସିଲ ସଦସ୍ୟ ବିଭୁ ତ୍ରିପାଠୀ ପୁରୀ ଓକିଲମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ପୁରୀ ଓକିଲମାନଙ୍କ ଦାବିକୁ ପୂରଣ କରାଯିବା ପାଇଁ ସେ ମଧ୍ୟ ଦାବି କରିଛନ୍ତି। ସେହିପରି ହାଇ କୋର୍ଟର ଓକିଲମାନେ ମଧ୍ୟ ପୁରୀର ଓକିଲ ସଂଘର ଦାବିକୁ ସମର୍ଥନ କରିଥିବା ଜଣାପଡ଼ିଛି। ଏସପି ଶ୍ରୀ ଷଡ଼ଙ୍ଗୀଙ୍କୁ ଏଠାରୁ ବଦଳି କରାଯାଉ ବୋଲି ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ସାମ୍ବାଦିକ ବିଶ୍ୱଜିତ ପଟ୍ଟନାୟକ, ଆଇନଜୀବୀ ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ସ୍ମୃତିରଞ୍ଜନ ପତିଙ୍କ ନେତୃତ୍ଵରେ ଯୁବ ଆଇନଜୀବୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।