30 March 2017
12:14:25 PM
Sambad News
ରାଜ୍ୟ

ନୂଆ ବିପଦ : ଜଗମୋହନ ଚକ୍ରରେ ଫାଟ

ଦଉଡ଼ିରେ ବନ୍ଧା ହେଲା, କଳସ ଯାଞ୍ଚ ବେଳେ ଜଣାପଡ଼ିଲା

By Sambad | Date: Jan 11 2017 11:56PM
ନୂଆ ବିପଦ : ଜଗମୋହନ ଚକ୍ରରେ ଫାଟ

ପୁରୀ : ଶ୍ରୀମନ୍ଦିର ଜଗମୋହନଚକ୍ରରେ ଫାଟ। ଗୋଟିଏ କିମ୍ବା ଦୁଇଟି ନୁହେଁ, ୭ଟି ଜାଗାରେ ଫାଟି ଯାଇଛି ଏହି ବହୁମୂଲ୍ୟ ଚକ୍ର। କଳସ ଯାଞ୍ଚ ବେଳେ ଏହି ଅଘଟଣ ସମ୍ବନ୍ଧରେ ସୂଚନା ମିଳିଛି। ଅଷ୍ଟଧାତୁରେ ନିର୍ମିତ ଏହି ଚକ୍ରକୁ ଦଉଡ଼ି ବନ୍ଧା ଯାଇ ରଖାଯାଇଛି। ଅଷ୍ଟଧାତୁରେ ନିର୍ମାଣ ହୋଇଥିବାରୁ ଏହାକୁ ଏବେ କି ଭଳି ମରାମତି କରାଯିବ ସେ ନେଇ ଚିନ୍ତା ବଢ଼ିଛି। ଦୀର୍ଘ ତିନିଦିନ ହେବ ଜଣାପଡ଼ିଥିଲେ ମଧ୍ୟ ଏହାର ମରାମତିକୁ ନେଇ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ଏଣୁ ଏହା ସେହିଭଳି ବନ୍ଧା ହେବା ଅବସ୍ଥାରେ ରହିଛି। ଏହା କେବଳ ଫାଟି ନାହିଁ ବରଂ ମୂଳରୁ ଦୋହଲୁଛି। ମୂଳରୁ କେତେଦୂର ଦୂର୍ବଳ ହୋଇଛି ତାହା ମଧ୍ୟ ଯାଞ୍ଚ ହୋଇଛି। ଏହା ଏବେ ଜଗମୋହନକୁ ନୂଆ ବିପଦ ହୋଇ ଛିଡ଼ା ହୋଇଛି। 

 
ଅନ୍ୟପଟେ ପୋର୍ଟାଲ ଫ୍ରେମ୍‌ ପୂର୍ବରୁ ଏହାକୁ ମରାମତି ନ କଲେ  ବିପଦ ହେବ ବୋଲି କୁହାଯାଉଛି। ଏହାକୁ ଯଦି ଆଗ ମରାମତି କରାଯାଏ ତେବେ ଏହି ପୋର୍ଟାଲ ଫ୍ରେମ୍‌ ସ୍ଥାପନ ବିଳମ୍ବ ହେବା ସମ୍ଭାବନା ରହିଛି। ଏଣୁ ନିର୍ଧାରିତ ସମୟରେ ଜଗମୋହନ ମରାମତି ହେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପୋର୍ଟାଲ ଫ୍ରେମ୍‌ ଡିିଜାଇନ୍‌ ବିବାଦ ସମାଧାନ ହେବା ପରେ ଏହି ନୂଆ ସମସ୍ୟା ପୁଣି ଥରେ ଏଏସ୍‌ଆଇର ଚିନ୍ତା ବଢାଇଛି। 
 
ଜଗମୋହନର ବାହାର ଚାରି ପାର୍ଶ୍ୱରେ ପୀଢ଼ ଠାରୁ ତଳକୁ ସଂରକ୍ଷଣ କାମ ଶେଷ ହୋଇଥିବାରୁ ରବିବାର ଠାରୁ ଭାରା ଖୋଲା ଆରମ୍ଭ ହୋଇଛି। ପୀଢ଼ ଚାଳିର ଚୁନଛଡ଼ା ଓ ସଂରକ୍ଷଣ କାମ ବାକି ରହିଛି। କଳସରେ ଭାରା ବନ୍ଧାଯାଇ ଏହାକୁ ଯାଞ୍ଚ କରାଯାଇଛି। ଏହାକୁ ଯାଞ୍ଚ କଲାବେଳେ ଏହି ଗମ୍ଭୀର ସମସ୍ୟା ବାବଦରେ ସୂଚନା ମିଳିଛି। କଳସର ୨ଟି ବୋଲ୍‌ଟକୁ ଟାଇଟ୍‌ କରାଯାଇଥିବା ବେଳେ ଏହି ଚକ୍ରକୁ ଦଉଡ଼ି ବନ୍ଧା ଯାଇ ରଖାଯାଇଛି। ପାଖାପାଖି ଗୋଟିଏ ବର୍ଷ ହେବ ଜଗମୋହନର ଏହି ବାହାର ପାର୍ଶ୍ୱ ସଂରକ୍ଷଣ କାମ ଆରମ୍ଭ ହୋଇଥିଲା। ଶତାଧିକ ଦୂର୍ବଳ ପଥର ପରିବର୍ତ୍ତନ ହୋଇଥିବା ବେଳେ ଚୁନଛଡ଼ା, ଗ୍ରାଉଟିଂ, ଜଏଣ୍ଟ ସିଲିଂ, ରସାୟନ ପ୍ରଲେପ ପ୍ରଭୃତି କାମ କରାଯାଉଥିଲା। ହେଲେ ଏହି ଅଷ୍ଟଧାତୁ ଚକ୍ର ଯାଞ୍ଚ କରାଯାଇନଥିଲା। ଯାଞ୍ଚ କରାଯିବା ପରେ ଏହି ସମସ୍ୟା ବାବଦରେ ଜଣାପଡ଼ିଛି। ଏହା କିଭଳି ଫାଟିଛି ତାହାକୁ ନେଇ ନାନା ମତ ପ୍ରକାଶ ପାଇଛି। ଆଗକୁ ବିପଦ ଆସୁଥିବାର ଏହା ସୂଚନା ବୋଲି କେତେକ ପୁରୁଖା ଲୋକ କହୁଥିବା ବେଳେ ହାଇକୋର୍ଟର ଆଳ ଦେଖାଇ ଏଏସ୍‌ଆଇ ମୁହଁ ଖୋଲି ନାହିଁ।