28 March 2017
6:00:35 AM
Sambad News
ପୁରୀ

ସାତପଡ଼ାରେ ଚିଲିକା ମହୋତ୍ସବ ଆରମ୍ଭ

ନୌକାରେ ଆସିଲା ମା’ କାଳିଜାଈଙ୍କ ମଶାଲ

By Sambad | Date: Jan 12 2017 1:51AM
ସାତପଡ଼ାରେ ଚିଲିକା ମହୋତ୍ସବ ଆରମ୍ଭ

ବ୍ରହ୍ମଗିରି : ଆଜି ପଞ୍ଚମ ଚିଲିକା ମହୋତ୍ସବ ସାତପଡ଼ା ଠାରେ ଆରମ୍ଭ ହୋଇଛି। ପ୍ରଥମେ ଚିଲିକାର ଆରାଧ୍ୟ ଠାକୁରାଣୀ ମା କାଳିଜାଈଙ୍କଠାରୁ ଏକ ମଶାଲ ଚିଲିକାରେ ନୌକାରେ ଆସିଥିଲା। ମଶାଲ ଆସି ଅପରାହ୍ନରେ ସାତପଡ଼ା ଠାରେ ପହଞ୍ଚବା ପରେ ଚିଲିକା ମହୋତ୍ସବର ଶୁଭ ଉଦଘାଟନ ହୋଇଥିଲା । ଉଦଘାଟନ ଉତ୍ସବରେ ଉପ-ଜିଲ୍ଲାପାଳ ମଧୂସୁଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୁଷଣ ଦାଶ, ସିଡିଏ ଅଧିକାରୀ ଶୁଭସ୍ମିତା ଲେଙ୍କା, ଏସକେ ନୁରୁନ ଅମିନ, ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା ପ୍ରମୂଖ ଉପସ୍ଥିତ ରହି ସଂଧ୍ୟାରେ ଚିଲିକା ମହୋତ୍ସବ ଉଦଘାଟନ କରିଥିଲେ । 

 
ଉଦଘାଟନ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯୋଡି ଶଙ୍ଖରେ ଚିଲିକା ଉପକୂଳ କମ୍ପିଥିବା ବେଳେ ମାଲଖମ୍ବ ନୃତ୍ୟ ଦର୍ଶକଙ୍କୁ ବେଶ କିଛି ସମୟ ବାନ୍ଧି ରଖିଥିଲା। ଏହା ପରେ ଦୁର୍ଗା ନୃତ୍ୟ ଦର୍ଶକଙ୍କୁ ଶୀତୁଆ ସଂଧ୍ୟାରେ ବେଶ ମନ୍ତ୍ରମୁଗ୍ଧ କରି ରଖିଥିଲା । ଆଜିର କାର୍ଯ୍ୟକ୍ରମରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ସ୍ଥାନୀୟ ଅଞ୍ଚଳର ଦର୍ଶକଙ୍କ ସମେତ କିଛି ପର୍ଯ୍ୟଟକଙ୍କର ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା।

ମଞ୍ଚ ଉପରେ ଅଭାବନୀୟ ସ୍ଥିତି
ବ୍ରହ୍ମଗିରି : ଚିଲିକା ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ ଜଣେ ମାନସିକ ବିକୃତ ଯୁବକ  ମଞ୍ଚ ଉପରକୁ ଚଢି ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଯୁବକଙ୍କୁ କାବୁ କରିବାକୁ ପୁଲିସ ନାକେଦମ ହୋଇଥିଲା । ଲୋକେ ମଧ୍ୟ ମଞ୍ଚ ଉପରୁ ନଜର ହଟାଇ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା ।