22 January 2017
5:42:28 PM
image
Sambad News
ପୁରୀ

ମାଫିଆଙ୍କ କବ୍‌ଜାରେ ୩୦୦ ଏକର ମୋରମ ଖଣି

ପଶି ପାରୁନି ପ୍ରଶାସନ

By Sambad | Date: Jan 12 2017 1:55AM
ମାଫିଆଙ୍କ କବ୍‌ଜାରେ ୩୦୦ ଏକର ମୋରମ ଖଣି

ପିପିଲି : ପୁରୀ ଜିଲ୍ଲାର, ପିପିଲି ତହସିଲ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡ଼କୁରଖି ମୌଜାରେ ପ୍ରାୟ ୩ଶହ ଏକର ସରକାରୀ ଜମିରେ ଦୀର୍ଘ ୧୦ ବର୍ଷ ହେବ ଅବାଧରେ ଚୋରା ମୋରମ ଖଣି ଚାଲିଛି । ଏହି ଖବର ସମ୍ବାଦରେ ପ୍ରକାଶ ପାଇବା ପରେ ଏବେ ପ୍ରାୟ ୬୦ଜଣ ମାଫିଆ ଉକ୍ତ ଖଣିକୁ ଜଗି ରହିବା ସହ ବିଭିନ୍ନ ଛକରେ ପହରା ଦେଉଛନ୍ତି । ଫଳରେ ଉକ୍ତ ଖଣି ଅଞ୍ଚଳରେ ପ୍ରଶାସନ ପଶିପାରୁନି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛିା ଏହି ଖଣିରୁ ମୋରମ ଚୋରା ଚାଲାଣ ଯୋଗୁଁ ସରକାର ପ୍ରାୟ ୧୦୦ କୋଟି ଟଙ୍କାର ରାଜସ୍ୱ ହରାଇଲେଣି। 
 
ଏହି ବେଆଇନ ଖଣି ଖୋଳାରେ ସମ୍ପୃକ୍ତ ପ୍ରାୟ ୬୦ଜଣ ମାଫିଆ ଉକ୍ତ ଖଣି ସମେତ ପିପିଲି ଅକଟ୍ରାଇ ଛକ, କାକୁଡ଼ିଆ ଘାଟ ଛକ, ହରିରାଜପୁର ଛକ, ଜାମୁକୋଳି ଛକ ଆଦିରେ କଡ଼ା ପହରା ଦେଉଛନ୍ତି । ପିପିଲି ତହସିଲ କିମ୍ବା ଥାନା ଗାଡ଼ି ଉକ୍ତ ରାସ୍ତାରେ ଗଡ଼ିଲେ ତତ୍‌କ୍ଷଣାତ ଖଣିକୁ ଖବର ଦିଆଯାଉଛି। ସେଠାରେ ନିୟୋଜିତ ଜେସିବି, ହିଟାଚି ଓ ଗାଡ଼ିଗୁଡ଼ିକୁ ତୁରନ୍ତ ହଟାଇ ଦିଆଯାଉଛି। ଅତି ସତର୍କତାର ସହ ଏହି କାମ ଚାଲିଥିବାବେଳେ ଅଧିକାରୀମାନେ ସବୁ ଜାଣି ନିରବ ରହୁଛନ୍ତି । ପିପିଲି ତହସିଲଦାର ଦେବଜାନୀ ଧଳ ଗତ ଏପ୍ରିଲ୨୨ରେ ଏହି ଜବରଦଖଲ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲେ ମଧ୍ୟ ଏଥିପ୍ରତି ମାଫିଆଙ୍କର ଖାତିର ନାହିଁ । 
 
ପ୍ରତିଦିନ ରାତିସାରା ଏହି ଚୋରା ଖଣି ଅବାଧରେ ଚାଲୁଛି । ମାଫିଆମାନେ ନିଜିଗଡ଼କୁରଖ ମୌଜାରେ ଥିବା ପ୍ରାୟ ୬୦ ଏକର ଭୂଦାନ ଜମି ମଧ୍ୟ ତାଡ଼ି ମୋରମ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି । ଖଣି ନିକଟରେ ରାଜ୍ୟର ଦୁଇ ଦୁଇଟି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କର ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଚୋରା ମୋରମ ପୁଣି ସରକାରୀ କାର୍ଯ୍ୟରେ ଲାଗୁଛି । ଭୁବନେଶ୍ୱର, ଅସ୍ତରଙ୍ଗ, କାକଟପୁର, ପୁରୀ, ବ୍ରହ୍ମଗିରି, ଗୋପ, ନୂଆହାଟ, ନିମାପଡ଼ା ଓ କୋଣାର୍କ ଆଦି ଅଞ୍ଚଳକୁ ନିୟମିତ ଭାବେ ଏହି ମୋରମ ଚୋରା ଚାଲାଣ ହେଉଉଥିବା ଅଭିଯୋଗ ହେଉଛି।