28 March 2017
7:25:57 PM
Sambad News
ପୁରୀ

୨ ହରିଣ ଉଦ୍ଧାର

By Sambad | Date: Jan 12 2017 2:13AM
୨ ହରିଣ ଉଦ୍ଧାର
Photo by : worldartsme.com

ପୁରୀ : ପୁରୀ ବନଖଣ୍ଡ ପକ୍ଷରୁ ୨ ହରିଣଙ୍କୁ ଉଦ୍ଧାର କରାଯାଇଛି। ଗୋଟିଏ ଗାଡ଼ି ଧକ୍କାରେ ଗୁରୁତର ଅବସ୍ଥାରେ ପୁରୀ-କୋଣାର୍କ ବେଳାମାର୍ଗ ବାଲିଗୁଆଳି ଛକରୁ ଉଦ୍ଧାର ହୋଇଥିବା ବେଳେ ଅନ୍ୟଟି ବାଟମଙ୍ଗଳା ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି। ଉଭୟ ହରିଣଙ୍କୁ ଚିକିତ୍ସା କରାଯାଉଛି। ସୁସ୍ଥ ହେବା ପରେ ସେମାନଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବାଲୁଖଣ୍ଡ ରେଞ୍ଜର ଅସିତ ମିଶ୍ର କହିଛନ୍ତି। 

 
ବାଟମଙ୍ଗଳା ମନ୍ଦିର ନିକଟରେ ଏକ ହରିଣ ଦୀର୍ଘ ଦିନ ହେବ ବନ୍ଧା ହୋଇ ରହିଥିବା ନେଇ ପିଉପୁଲସ୍‌ ଫର ଆନିମଲସ ପକ୍ଷରୁ ବନବିଭାଗକୁ ଏକ ତାଗିଦା ଆସିଥିଲା। ଏହାକୁ ତୁରନ୍ତ ଉଦ୍ଧାର କରିବା ସହ ଆବଶ୍ୟକ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠିରେ କୁହାଯାଇ ଥିଲା। ଚିଠି ପହଞ୍ଚିବା ପରେ ପୁରୀ ବନଖଣ୍ଡ ପକ୍ଷରୁ ମଙ୍ଗଳବାର ରାତି ୯ଟାରେ ଚଢ଼ଉ ହୋଇଥିଲା। ଚଢ଼ଉ ସମୟରେ ମନ୍ଦିର ପରିସରରେ ହରିଣ ବନ୍ଧା ହୋଇ ରହିଥିବା ଦେଖାଯାଇଥିଲା। ହରିଣଟି ଖାଦ୍ୟ ଅନେ୍ଵଷଣରେ ଚାଲି ଆସିଥିଲା। ଏଣୁ ତାକୁ ଏଠାକାର ସ୍ଥାନୀୟ ବାସିନ୍ଦା ରଖି ଦେଇଥିଲେ ବୋଲି କହିଥିଲେ। ଏହି ମାଈ ହରିଣର ବୟସ ୮ରୁ ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତାକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ଏହାକୁ ଦୀର୍ଘ ଦିନ ଧରି ମନ୍ଦିରରେ ରଖର ଯିବା ପରେ ଏହା ଘାସ ଖାଇବା ଛାଡି ଦେଇଛି। ଉଦ୍ଦାର ପରେ ଏହାକୁ କଦଳୀ ଓ ବିସ୍କୁଟ ଦିଆଯାଉଛି। ଏହାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହା ଘାସଖାଇବା ଆରମ୍ଭ କଲେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି କୁହାଯାଇଛି। 
 
ଅନ୍ୟ ହରିଣଟିକୁ ବାଲିଗୁଆଳି ଛକ ଠାରୁ ଉଦ୍ଧାର କରାଯାଇଛି। ଏହି ମାଈ ହରିଣଟିର ବୟସ ୬ ମାସ ହେବ ବୋଲି ଅନୁମାନ କରାଯାଉଛି। ମଙ୍ଗଳବାର ରାତି ପ୍ରାୟ ୮ ଟା ସମୟରେ ହରିଣଟି ରାଜପଥ ଅତିକ୍ରମ କରୁଥିବା ବେଳେ ଏକ ୪ ଚକିଆ ଗାଡ଼ି ଦ୍ରୁତଗତିରେ ଧକ୍କା ଦେଇଥିଲା। ହରିଣଟି ପ୍ରାୟ ୨୦ ଫୁଟ ଦୂରକୁ ଛିଟିକି ପଡ଼ିଥିଲା। ଶରୀରରେ ଗଭୀର କ୍ଷତ ହେବା ସହ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ବିଭାଗୀୟ କର୍ମଚାରୀ ପହଞ୍ଚି ତାକୁ ଉଦ୍ଧାର କରିବା ସହ ଚିକିତ୍ସା କରାଉଛନ୍ତି। ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ କହିଛି।