21 January 2017
4:16:23 PM
image
Sambad News
ପୁରୀ

ଆଇନଜୀବୀ ଚନ୍ଦନ ବେହେରା ହତ୍ୟାକାଣ୍ଡ : ‘ଦରମା ବନ୍ଦ ହେବାରୁ ମାରିଦେଲୁ’

By Sambad | Date: Jan 12 2017 2:21AM
ଆଇନଜୀବୀ ଚନ୍ଦନ ବେହେରା ହତ୍ୟାକାଣ୍ଡ : ‘ଦରମା ବନ୍ଦ ହେବାରୁ ମାରିଦେଲୁ’

ପୁରୀ : ଦରମା ବନ୍ଦ ହେବାରୁ ମାରି ଦେଲୁ ବୋଲି ଆଇନଜୀବୀ ଚନ୍ଦନ ବେହେରା ହତ୍ୟା ଘଟଣାରେ ଗିରଫ ତିନି ଅଭିଯୁକ୍ତ ପୁଲିସକୁ କହିଛନ୍ତି। ପୁଲିସ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି, ବାଲେଶ୍ୱରର ଚନ୍ଦନ ପୁରୀକୁ ଆସି ସାଇ ଚନ୍ଦନ ରେସିଡେନ୍‌ସିକୁ କିଣିଥିଲେ। ଏହି ହୋଟେଲକୁ କିଣିବା ସମୟରେ ତାଙ୍କୁ ଲିଟୁ, ଜଗା, କପିଳା ଓ ବରଜୁ ସହଯୋଗ କରିଥିଲେ। ସେହିପରି କୋର୍ଟ ପାଖରେ ଥିବା ଶାରଦା କୁଟୀରକୁ କିଣିବା ସମୟରେ ମଧ୍ୟ ଲିଟୁ ଓ ଅନ୍ୟମାନେ ସହଯୋଗ କରିଥଲେ। 
 
ସେଠାରେ ଖୁସି ରେସ୍ତୋଁରା ନିର୍ମାଣ କରିବା ଏବଂ ଏହା ସମ୍ମୁଖରେ ଜବରଦଖଲ ହଟାଇବାରେ ସହଯୋଗ ପାଇଁ ଏମାନେ ଚନ୍ଦନଙ୍କ ଠାରୁ ମୋଟା ଅର୍ଥ ମଧ୍ୟ ନେଇଥାନ୍ତି। ତେବେ ୨୦୧୪ରେ ଚନ୍ଦନ ରେଣୁକା ଗଳିରେ ଥିବା ସାଇ ଚନ୍ଦନ ରେସିଡେନ୍‌ସି ହୋଟେଲ୍‌କୁ ଲିଜ୍‌ରେ ଦେଇଥିଲେ। ତେଣୁ ଲିଜଧାରୀ ଲିଟୁ, କପିଳା ଓ ବରଜୁଙ୍କୁ ସେଠାରେ ଆଉ କର୍ମଚାରୀ ଭାବେ ରଖିଲେ ନାହିଁ। ସାଇ ଚନ୍ଦନ ରେସିଡେନ୍‌ସିରୁ ବାହାରିବା ପରେ ଲିଟୁ ଅନ୍ୟମାନଙ୍କୁ ନେଇ ସି ସାଇନ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ ନିୟୋଜିତ କରାଇଥିଲା। କିନ୍ତୁ ଚନ୍ଦନ ଏହି ତିନି ଜଣଙ୍କୁ ଖୁସି ରେସ୍ତୋଁରାରେ ଥଇଥାନ କରିଥିଲେ। ଏମାନଙ୍କୁ ଶାରଦା କୁଟୀରରେ ଏକ ରୁମ୍‌ ଦେବା ସହିତ ଖୁସି ରେଷ୍ଟୁରାଣ୍ଟରେ ଦୈନିକ ଖାଇବା ପିଇବା ପାଇଁ ସୁବିଧା କରାଇଥିଲେ। ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏ ନେଇ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। 
 
ଚନ୍ଦନଙ୍କ ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର ଆଦି ଅଞ୍ଚଳରେ ମଧ୍ୟ ବ୍ୟବସାୟ ଥିବାରୁ ସେ ପୁରୀ ଖୁବ୍‌ କମ୍‌ ଆସନ୍ତି। ଫଳରେ ଶାରଦା କୁଟୀରକୁ ହାତେଇବା ପାଇଁ ଲିଟୁ ଓ ଅନ୍ୟମାନଙ୍କ ମନରେ ଲୋଭ ହୋଇଥିଲା। ଗତ ଛଅ ମାସ ହେବ ଚନ୍ଦନ ଏହି ତିନି ଜଣଙ୍କୁ ଦରମା ଦେଉନଥିଲେ। ତେଣୁ ସେମାନଙ୍କ ମଧ୍ୟରେ ଚନ୍ଦନଙ୍କ ପ୍ରତି ରାଗ ବଢ଼ିଯାଇଥିଲା। ଅନ୍ୟପକ୍ଷରେ ଚନ୍ଦନ ଏହା ଜାଣିବା ପରେ ସେମାନଙ୍କୁ ଚାକିରିରୁ ବାହାର କରିଦେବା ପାଇଁ ଧମକ ଦେଇଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏହି ତିନି ଜଣ ମନସ୍ଥ କରିଥିଲେ ବୋଲି ସେମାନେ ପୁଲିସକୁ କହିଛନ୍ତି। ପୂର୍ବ ଯୋଜନା ଅନୁଯାୟୀ ଏହି ହତ୍ୟାକାରୀମାନେ ଗତ ୮ ତାରିଖ ଦିନ ଖୁସି ରେସ୍ତୋଁରା ମଧ୍ୟରେ ହତିଆର ଲୁଚାଇ ରଖିଥିଲେ। ସଂଧ୍ୟା ୬ଟା ୪୮ ମିନିଟ ସମୟରେ ଚନ୍ଦନ ତାଙ୍କ କର୍ମଚାରୀ କୃଷ୍ଣ ସହିତ ସ୍କୁଟିରେ ଆସି ପହଞ୍ଚିବା ପରେ ପ୍ରଥମେ ଜଗା ଚାପଡ଼ରେ ହାଣିଥିଲା। ଏହାପରେ କପିଳା ଓ ବରଜୁ ଖଣ୍ଡାରେ ହାଣି ଚନ୍ଦନଙ୍କୁ ହତ୍ୟା କରିଥିଲେ ବୋଲି ପୁଲିସ ସୂତ୍ରରୁ କଣାପଡ଼ିଛି। 
 
ଚନ୍ଦନଙ୍କ ଭାଇକୁ ପଚରାଉଚରା
ରାଉରକେଲା : ରାଉରକେଲାର ବ୍ୟବସାୟୀ ତଥା ଆଇନଜୀବୀ ଚନ୍ଦନ ବେହେରାଙ୍କ ହତ୍ୟା ମାମଲାରେ ଆଜି ପୁରୀ ପୁଲିସ ମୃତକଙ୍କ ଭାଇ ଉତ୍ତମ ବେହେରାଙ୍କୁ ଉଠାଇ ନେଇଛି। ଅପରାହ୍ନ ପ୍ରାୟ ୩ଟାରେ ମହିଳା ଥାନା ପୁଲିସ୍‌ ସହାୟତାରେ ତାଙ୍କ ଶକ୍ତିନଗରସ୍ଥିତ ବାସଭବନରୁ ଉତ୍ତମଙ୍କୁ ଡାକିନେବା ପରେ  ତାଙ୍କୁ ରାତି ପର୍ଯ୍ୟନ୍ତ ମହିଳା ଥାନାରେ ଅଟକ ରଖାଯାଇଥିଲା। ପୁରୀ ପୁଲିସ୍‌ ତାଙ୍କୁ ବିଳମ୍ବିତ ରାତି ଯାଏ ପଚରାଉଚରା ଜାରି ରଖିଥିଲା। ତେବେ ଚନ୍ଦନ ହତ୍ୟାକାଣ୍ଡରେ ସାନଭାଇ ଉତ୍ତମଙ୍କର କୌଣସି ଭୂମିକା ଅଛି କି ନାହିଁ, ପୁଲିସ୍‌ ତାହା  ସ୍ପଷ୍ଟ କରିନାହିଁ। ପୁଲିସ୍‌ ଉତ୍ତମଙ୍କୁ ଘରୁ ଡାକିନେବା ପରେ ତାଙ୍କ ମୋବାଇଲ୍‌ ଫୋନ୍‌ ବନ୍ଦ ହୋଇଯାଇଥିଲା। ତାଙ୍କ ପତ୍ନୀ ବିଭିନ୍ନ ଥାନାକୁ ଫୋନ୍‌ କରି ଉତ୍ତମ କେଉଁଠି ଅଛନ୍ତି ବୋଲି ପଚାରିଥିଲେ। ସେ କହିଛନ୍ତି, ପୁରୀରେ ଚନ୍ଦନଙ୍କୁ ହତ୍ୟା କରାଯିବା ମାମଲାରେ ଉତ୍ତମ ଆଦୌ ସମ୍ପୃକ୍ତ ନୁହଁନ୍ତି। 
 
ଉଲ୍ଲେଖଯୋଗ୍ୟ, ପ୍ରାୟ ୪ ମାସ ତଳେ ଚନ୍ଦନଙ୍କ ଦ୍ୱାରା ସ୍ଥାନୀୟ କୋଏଲ୍‌ନଗରରେ ପରିଚାଳିତ ଘରୋଇ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଜାଲ୍‌ ଘୋଷଣା କରିଥିଲେ। ନିର୍ଦ୍ଦେଶକ ମଣ୍ଡଳୀରେ ଉତ୍ତମ ଥିଲେ ମଧ୍ୟ ତାଙ୍କର ଅର୍ଥ କାରବାର କ୍ଷମତା ନଥିଲା ବୋଲି ତାଙ୍କ ପତ୍ନୀ କହିଛନ୍ତି। ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଚନ୍ଦନ ପୁରୀରେ ନିହତ ହେବା ଖବର ଜଣାପଡ଼ିବା ପରେ ପଡ଼ୋଶୀଙ୍କ ପରାମର୍ଶକ୍ରମେ ତାଙ୍କ ପତ୍ନୀ ନିବେଦିତା ସେଠାକୁ ଯାଇଥିଲେ। ମାତ୍ର ଉତ୍ତମ କିମ୍ବା ତାଙ୍କ ପରିବାରରୁ କେହି ସେଠାକୁ ଯାଇନଥିଲେ।
 
ବାଣୀ ମାଡାମ୍‌ କିଏ?
ପୁରୀ : ଚନ୍ଦନ ହତ୍ୟାକାଣ୍ଡ ପଛରେ ବାଣୀ ନାମକ ଜଣେ ଯୁବତୀଙ୍କ ମଧ୍ୟ ହାତ ଥିବା ସନ୍ଦେହ କରାଯାଉଛି। ଚନ୍ଦନ ପୁରୀକୁ ଯେତେବେଳେ ଆସନ୍ତି ସାଙ୍ଗରେ ବାଣୀ ମାଡାମ୍‌ ରୁହନ୍ତି। ବାଣୀ ତାଙ୍କର ସଂପର୍କୀୟା ବୋଲି ସମସ୍ତଙ୍କ ସମ୍ମୁଖରେ ଚନ୍ଦନ ପରିଚୟ ଦେଇ ଥାଆନ୍ତି। ବାଣୀ ଅଧିକାଂଶ ସମୟ ଚନ୍ଦନଙ୍କ ସହିତ ପୁରୀକୁ ଆସନ୍ତି। ସାଇ ଚନ୍ଦନ ରେସିଡେନ୍‌ସି ହୋଟେଲରେ ତାଙ୍କ ପାଇଁ ଉଦ୍ଦିଷ୍ଟ ରୁମରେ ଉଭୟ ରୁହନ୍ତି। ତେବେ ଏହି ବାଣୀ ମାଡାମ ଚନ୍ଦନଙ୍କ ପୁରୀରେ ଥିବା ସମସ୍ତ ସମ୍ପତ୍ତିକୁ ହାତେଇବା ପାଇଁ ଚକ୍ରାନ୍ତ କରିନାହାଁନ୍ତି ତ ବୋଲି ସାଧାରଣରେ ଏବେ ପ୍ରଶ୍ନ ଉଠିଛି। ପୁଲିସ ଏହି ଦିଗପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍‌। ପ୍ରକୃତରେ ଚନ୍ଦନଙ୍କ ସହିତ ବାଣୀଙ୍କ ସହିତ କି ସମ୍ପର୍କ ଥିଲା, ତାହା ତଦନ୍ତ ସାପେକ୍ଷ। 

ପାରିବାରିକ ଜୀବନ ବିଶୃଙ୍ଖଳିତ ଥିଲା
ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଡ. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି, ଚନ୍ଦନଙ୍କ ପାରିବାରିକ ଜୀବନ ବିଶୃଙ୍ଖଳିତ ଥିଲା। ସେ ନିଜ ପରିବାର ସହିତ ରୁହନ୍ତି ନାହିଁ। ରାଉରକେଲାରେ ରହୁଥିବା ତାଙ୍କ ପତ୍ନୀ ଓ ପିଲାମାନେ ଚନ୍ଦନଙ୍କ ଠାରୁ ଅଲଗା ରହୁଥିବାରୁ ତାଙ୍କ ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନଙ୍କ ସହିତ ସେ ଯୋଗାଯୋଗରେ ରହୁଥିଲେ। ପତ୍ନୀଙ୍କ ଚରିତ୍ର ପ୍ରତି ଚନ୍ଦନ ଭିନ୍ନ ଦୃଷ୍ଟିରେ ଦେଖିବା କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା। ଏହି କାରଣରୁ ଚନ୍ଦନଙ୍କୁ କିଛି ଦିନ ଜେଲ ଯିବାକୁ ପଡ଼ିଥିଲା। ଏହାପରେ ଯଦିଓ ଚନ୍ଦନ ନିଜ ପତ୍ନୀଙ୍କୁ ମାସିକ ଖର୍ଚ୍ଚ ଦେଇଥାଆନ୍ତି, ମାତ୍ର ତାଙ୍କ ସହିତ ଗୋଟିଏ ଘରେ ରୁହନ୍ତି ନାହିଁ। ତେଣୁ ଚନ୍ଦନଙ୍କର ପୁରୀ ସମ୍ପତ୍ତିକୁ ହାତେଇବା ପାଇଁ ତାଙ୍କର ମଧ୍ୟ ଯୋଜନା ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।