21 January 2017
3:32:38 AM
image
Sambad News
ରାଜ୍ୟ

ମହାପ୍ରୟାଣ ଯୋଜନା ଫେଲ୍‌: ପୁରୀରେ ଟ୍ରଲିରେ ବୁହାହେଲା ଶବ

By Sambad | Date: Jan 10 2017 11:34PM
ମହାପ୍ରୟାଣ ଯୋଜନା ଫେଲ୍‌: ପୁରୀରେ ଟ୍ରଲିରେ ବୁହାହେଲା ଶବ

ପୁରୀ: ମୃତ ଶରୀରକୁ ସମ୍ମାନ ଦେବା ପାଇଁ ରାଜ୍ୟ ସରକାର ‘ମହାପ୍ରୟାଣ’ ଯୋଜନା ପ୍ରଣୟନ କରିଛନ୍ତି। ଯୋଜନାର ରୂପରେଖ ଅନୁଯାୟୀ ସରକାର ଗରିବ ଲୋକଙ୍କୁ ବିନା ଖର୍ଚ୍ଚରେ ହସ୍ପିଟାଲରୁ ଶବ ଘରକୁ ନେବାର ବ୍ୟବସ୍ଥା କରିଛନ୍ତିି। କିନ୍ତୁ ଦୁଃଖର କଥା ଯେ, ପ୍ରଶାସନର ଅପରାଗତା ଯୋଗୁଁ ଏହି ଯୋଜନା ସାଧାରଣ ଲୋକଙ୍କ ପାଇଁ ନିରର୍ଥକ ପାଲଟିଛି। ଏମିତି ଏକ ଘଟଣା ଶ୍ରୀକ୍ଷେତ୍ର ପୁରୀରେ ମଙ୍ଗଳବାର ଦେଖିବାକୁ ମିଳିଛି। ଅନ୍ତିମ ସଂସ୍କାର ପାଇଁ ଶବକୁ ଟ୍ରଲିରେ ସ୍ୱର୍ଗଦ୍ୱାର ନେବା ଘଟଣା ହଜାର ହଜାର ପର୍ଯ୍ୟଟକ, ଦର୍ଶକ ଓ ବୁଦ୍ଧିଜୀବିଙ୍କୁ ଚକିତ କରିଦେଇଛି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ଜଣେ ପର୍ଯ୍ୟଟକଙ୍କର ଆଜି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହେଲା ପରେ ତାଙ୍କର ଶବକୁ ଏକ ଟ୍ରଲି ମାଧ୍ୟମରେ ସ୍ୱର୍ଗଦ୍ୱାର ନିଆଯାଇଥିଲା। ଏ ସଂପର୍କରେ ଉପଜିଲାପାଳ ମଧୁସୂଦନ ଦାଶଙ୍କୁ ସୂଚନା ମିଳବା ପରେ, ସେ ଘଟଣାଳରେ ପହଞ୍ଚି ଶବକୁ ଆମ୍ବୁଲାନ୍ସ ଯୋଗେ ସ୍ୱର୍ଗଦ୍ୱାର ପଠାଇବାର ବନ୍ଦୋବସ୍ତ କରିଥିଲେ। ଅପରପକ୍ଷେ ଏଭଳି ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକଙ୍କ ମନରେ ପ୍ରଶାସନ ପ୍ରତି ବିତୃଷ୍ଣାଭାବ ଆଣି ଦେଇଛି।

ଉଲ୍ଲେଖନୀୟ, ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡ଼ା ଅଂଚଳରୁ ପାଖାପାଖି ୫୦ ପର୍ଯ୍ୟଟକ ଶ୍ରୀଜଗନ୍ନାଥ ଦର୍ଶନ ନିମନ୍ତେ ଟ୍ରେନ ଯୋଗେ ଗତକାଲି ପୁରୀ ପହଞ୍ଚି ଥିଲେ। ସେମାନେ ପୁରୀ ରେଲେଓ୍ଵ ଷ୍ଟେସନ ନିକଟସ୍ଥ ଏକ ଆଶ୍ରୟସ୍ଥଳରେ ରାତ୍ରୀଯାପନ କରିଥିଲେ। ଶ୍ରଦ୍ଧାଳୁ ଦଳ ଆଜି ଭୁବନେଶ୍ୱର ଅଭିମୁଖେ ବାହାରିବା ପୂର୍ବରୁ ଦୁର୍ନୀ ବନ୍ଦେବେଡା (୫୫) ପେଟରେ ଯନ୍ତ୍ରଣା ଅନୁଭବ କଲେ। ତାଙ୍କୁ ଏକ ବେସରକାରୀ ଚିକିତ୍ସାଳୟରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଦେହ ଭଲ ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସ୍ୱାସ୍ଥ୍ୟ ଠିକ୍‌ ହେବା ପରେ ବନ୍ଦେବେଡାକୁ ହସ୍ପିଟାଲରୁ ଯିବାକୁ ଦିଆଯାଇଥିଲା। କିନ୍ତୁ ବନ୍ଦବେଡା ଅପରାହ୍ଣ ୪ରେ ପୁଣି ଥରେ ବାନ୍ତି କରିବା ଆରମ୍ଭ କରିଥିଲେ। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପାଇଁ ପୁଣି ଥରେ ନିଆଗଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିଲା ପରେ ଡାକ୍ତର ବନ୍ଦେବେଡାଙ୍କୁ ମୃତ ଘୋଷଣା କରିଥିଲେ।