27 April 2017
2:59:08 AM
image
Sambad News
ରାଜ୍ୟ

ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡରୁ ପହଞ୍ଚି ନାହିଁ ସତ୍ୟପାଠ

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର

By Sambad | Date: Jan 10 2017 11:29PM
ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡରୁ ପହଞ୍ଚି ନାହିଁ ସତ୍ୟପାଠ

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର ପାଇଁ ଗଠିତ ଜଷ୍ଟିସ ବିମଳ ପ୍ରସାଦ ଦାସ ତଦନ୍ତ କମିସନଙ୍କ କାର୍ଯ୍ୟାଳୟରେ ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ସତ୍ୟପାଠ ଏଯାଏ ପହଞ୍ଚି ନାହିଁ। କମିସନଙ୍କ କଟକସ୍ଥିତ କଳାବିକାଶ କେନ୍ଦ୍ର ନିକଟ କାର୍ଯ୍ୟାଳୟ, ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋଟ ୩୨ଟି ଡ୍ରପ୍‌ ବକ୍ସ ରଖାଯାଇଥିଲା। ଏହି ୩ ଜିଲ୍ଲାର ଡ୍ରପବକ୍ସରେ ଦାଖଲ ସତ୍ୟପାଠ ବାରମ୍ବାର ନର୍ଦ୍ଦେଶ ସତ୍ୱେ କମିସନଙ୍କ କାର୍ଯ୍ୟାଳୟରେ ସଂପୃକ୍ତ ଜିଲ୍ଲାର ପ୍ରଶାସନ ପହଞ୍ଚାଇ ନଥିବା ବେଳେ ବର୍ତ୍ତମାନ ସୁଦ୍ଧା ମିଳିଥିବା ୧୨୮୦୭ଟି ପ୍ରସ୍ତାବର ସ୍କ୍ରୁଟିନି କାର୍ଯ୍ୟ ଆରମ୍ଭ ହୋଇଛି। 

ଏଥି ମଧ୍ୟରେ ରହିଛି ୧୧ ହଜାର ୧୧୧ଟି ସତ୍ୟପାଠ, ୧୫୭୦ଟି ପ୍ରସ୍ତାବ, ଇ-ମେଲ ମାଧ୍ୟମରେ ମିଳିଥିବା ୧୨୬ଟି ପରାମର୍ଶ ବୋଲି କମିସନଙ୍କ ସଚିବ ବିଭୁ ପ୍ରସାଦ ପରିଜା ସୂଚନା ଦେଇଛନ୍ତି।

ପ୍ରକାଶିତ ୬ଟି ଟର୍ମ ଅଫ୍‌ ରେଫରେନ୍ସ ଆଧାରରେ ହସ୍ତଗତ ପ୍ରସ୍ତାବ ଗୁଡିକର ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଉଛି।  କେଉଁ ପ୍ରସଂଗରେ ପ୍ରସ୍ତାବ ଦିଆଯାଇଛି ତାହା ଅନୁଧ୍ୟାନ କରାଯାଉଛି। ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି କମିସନଙ୍କ ଦ୍ୱାରା ନିଯୁକ୍ତ  ଆସେସର। ଏହି ଆସେସରଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପୁଲିସ ଅତିରିକ୍ତ ଡିଜି ଗୋପବଂଧୁ ମଲ୍ଲିକ, ଆଇନଜୀବୀ ପ୍ରଶାନ୍ତ କୁମାର ପଣ୍ଡା ଓ ଏସ୍‌.ଆର୍‌.କାନୁନଗୋ। ଏଠାରେ ସୂଚନା ଯୋଗ୍ୟ ଯେ କମିସନ ଅଫ୍‌ ଇନକ୍ୱାରି ଆକ୍ଟର ଧାରା ୫ବିରେ କମିସନ୍‌ ଆସେସରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଦୁଇ ଜଣ ଡାଟାଏଣ୍ଟି୍ର ଅପରେଟର ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

କମିସନଙ୍କ ନିକଟରେ ଦାଖଲ ସମସ୍ତ ସତ୍ୟପାଠ ଓ ପ୍ରସ୍ତାବ ସଂପର୍କିତ ତଥ୍ୟ କଂପ୍ୟୁଟରିକରଣ କରାଯାଉଥିବା ବେଳେ ଏଥି ପାଇଁ ଦୁଇ ଜଣ ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଦେବାକୁ କମିସନ ସରକାରଙ୍କୁ ଚିଠି ଲେଖିଥିଲେ। ୨୦୧୬, ଜୁଲାଇ ୨୩ରେ ତଦନ୍ତ କମିସନ ବସିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ କମିସନଙ୍କ କାର୍ଯ୍ୟକାଳ ୬ ମାସ ଧାର୍ଯ୍ୟ କରାଯାଇଥିଲା। ଜାନୁଆରି ୨୨ ତାରିଖରେ ୬ ମାସ ପୂରୁଥିବା ବେଳେ କାର୍ଯ୍ୟକାଳ ବୃଦ୍ଧି ପାଇଁ କମିସନ ସରକାରଙ୍କୁ ଚିଠି ଲେଖିଥିଲେ। ଖୁବ୍‌ ଶୀଘ୍ର କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂପର୍କରେ ସରକାର ଘୋଷଣା କରିବେ ବୋଲି ସୂଚନା ମିଳିଛି।

image