25 June 2017
9:01:32 AM
Sambad News
ରାୟଗଡ଼ା

୪୭ଏକର ଗଞ୍ଜେଇ ଚାଷ ନଷ୍ଟ

By Sambad | Date: Dec 26 2016 6:25AM
୪୭ଏକର ଗଞ୍ଜେଇ ଚାଷ ନଷ୍ଟ

ଚନ୍ଦ୍ରପୁର : ରାୟଗଡା ଜିଲ୍ଲାର ଦୁର୍ଗମ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ପୁଲିସ ସହାୟତାରେ ଚଢାଉ କରାଯାଇ  ୪୭ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ୩ଦିନ ଧରି ଚାଲିଥିବା ଏହି ଚଢାଉ ସମୟରେ ଜମ୍ବାଖାଲରେ ୧୩ଏକର, ବୁଡୁବାଲିରେ ୩ଏକର, କୋଡିସୁରରେ ୧୦ଏକର, ଡାବେରୀରେ ୮ଏକର, କୁଟିଂଗୁଡାରେ ୯ଏକର ଓ ବୋରିଖାଲରେ ୪ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ଓପାଡି ଦିଆଯାଇଥିଲା। ପରେ ସମସ୍ତ ଗଞ୍ଜେଇ ଗଛକୁ ପୋଡି ଦିଆଯାଇଥିବା ଜଣାପଡିଛି। 

 
ଏହି ଚଢାଉରେ ବିଡିଓ ବିକାଶ ଚନ୍ଦ୍ର ବାଇନ୍‌ ମାଜିଷ୍ଟ୍ରେଟ୍‌ ଭାବେ ଉପସ୍ଥିତ ଥିବା ବେଳେ ଏସଡିପିଓ ଅନନ୍ତ ପ୍ରସାଦ ମଲ୍ଲିକ, ଆଇଆଇସି କପିଳେଶ୍ୱର ବେହେରା, ଏସ୍‌ଆଇ ରଘୁନାଥ ଗୌଡ, ଚନ୍ଦ୍ରଶେଖର ଜେନା, ଡାଙ୍ଗସୋରଡା ଏସ୍‌ଆଇ ଲକ୍ଷ୍ମଣ ମାଝୀଙ୍କ ସମେତ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ସାମିଲ ଥିଲେ। ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏଭଳି ବେଆଇନ ଗଞ୍ଜେଇ ଚାଷ କରାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବାରୁ ସାମାଜିକ ବିଶୃଙ୍ଖଳା ନିୟନ୍ତ୍ରଣ ହେଉନି ବୋଲି ଭୁବନେଶ୍ୱର ନିଶାଦ୍ରବ୍ୟ ନିୟନ୍ତ୍ରକ ଅଧିକାରୀ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏଭଳି ଚଢାଉ ଜାରି ରହି ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।