28 March 2017
7:19:45 PM
Sambad News
କୋରାପୁଟ

କଂଗ୍ରେସର ୨ଘଣ୍ଟିଆ ରାସ୍ତା ଅବରୋଧ

By Sambad | Date: Dec 27 2016 12:08AM
କଂଗ୍ରେସର ୨ଘଣ୍ଟିଆ ରାସ୍ତା ଅବରୋଧ

ରାୟଗଡା : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜେଇ ମୃତକଙ୍କ ପରିବାରକୁ ୧୨ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରି ଆଜି ରାୟଗଡା କଂଗ୍ରେସ ଏସସି/ଏସଟି ସେଲ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ସ୍ଥାନୀୟ କପିଳାସ ଛକରେ ଦଳ ପକ୍ଷରୁ ୨ଘଣ୍ଟିଆ ରାସ୍ତା ଅବରୋଧ ବେଳେ ଗୋଟିଏ ପାର୍ଶ୍ୱ ରାସ୍ତା ବନ୍ଦ ରହିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ବନ୍ଦ ବେଳେ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ବିଜେଡି ଶାସନ ଅମଳରେ ଦଳିତ ଓ ଆଦିବାସୀଙ୍କୁ ଅଧିକ ନିର୍ଯାତିତ ହେଉଥିବା ଅଭିଯୋଗ କରାଯାଇଥିଲା। 

 
ମାଲକାନଗିରିରେ ଜେଇରେ ଶତାଧିକ ଶିଶୁ ମୃତ୍ୟୁ ବରଣ କଲେ। କିନ୍ତୁ ସରକାର ଚୁପ୍‌ ହୋଇ ରହିଲେ। ପୀଡିତ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦେବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ ବୋଲି କୁହାଯାଇଥିଲା। ତେବେ ପୀଡିତ ପରିବାରକୁ ୧୨ ଲକ୍ଷ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଥିବା ବେଳେ ମାତ୍ର ୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। 
 
ସେହିଭଳି କନ୍ଧମାଳ ଜିଲ୍ଲାର ଗୁମୁଡୁମାହା ଗୁଳିକାଣ୍ଡ, ମାଇକଞ୍ଚରେ ତିନି ଏବଂ ରାଇଘରରେ ୫ ଆଦିବାସୀ ଏବଂ ଦଳିତଙ୍କୁ ପୁଲିସ ଦ୍ୱାରା ହତ୍ୟା, କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ ବ୍ଲକର ମାଦାଗୁଡା ପଞ୍ଚାୟତରେ ଦଳିତ ଦତି ଧବଳେଶ୍ୱର ନାୟକ, ଦୁବୁଡି ନାୟକ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ନିଶାନଗୁଡା ଗ୍ରାମର ୩ ଆଦିବାସୀ ଓ ଦଳିତ, ରାୟଗଡାର ମନ୍ଦ କାଡ୍ରାକା ଓ ମାଲକାନଗିରିର ତ୍ରିନାଥ ସମର୍‌ଥଙ୍କୁ ମାଓବାଦୀ ଦମନ ନାମରେ ହତ୍ୟା କରାଯାଇଥିଲା। ରାଜ୍ୟର ବିଭିନ୍ନ ଜେଲରେ ୭୨୦ ଜଣ ବିନା ଦୋଷରେ ଜେଲ ଦଣ୍ଡ ଭୋଗୁଛନ୍ତି। 
 
କଳାହାଣ୍ଡିର ଦାନା ମାଝି ଶବ ବୁହା ଘଟଣା ରାଜ୍ୟରେ ସ୍ୱାସ୍ଥ୍ୟସେବାର ଦୁରାବସ୍ଥା ଏବଂ ପ୍ରଶାସନର ଅମାନବିକତାକୁ ପଦାରେ ପକାଇ ଦେଇଛି। କଳିଙ୍ଗ ନଗରରେ ଆଦିବାସୀଙ୍କୁ ନିର୍ମମ ହତ୍ୟା କରାଯାଇଥିବା ବେଳେ ନିୟମଗିରିରେ ରାହୁଲ ଗାନ୍ଧୀଙ୍କ ହସ୍ତକ୍ଷେପ ଯୋଗୁଁ ଏହାର ପୁନରାବୃତ୍ତି ହେଲା ନାହିଁ ବୋଲି କଂଗ୍ରେସ ପ୍ରକାଶ କରିଥିଲା। ଶେଷରେ ନବୀନ ପଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଦଳ ପକ୍ଷରୁ ୨ ଘଣ୍ଟିଆ ରାସ୍ତା ଅବରୋଧ ବେଳେ ଏସସିଏସଟି ମୋର୍ଚ୍ଚା ସଭାପତି ରାଉଲା ମାଝୀ, ସଂପାଦକ ବିଭୀଷଣ ପାଣି, ଆପଲସ୍ୱାମୀ କାଡ୍ରାକା, ଯୋଗେନ୍ଦ୍ର ପ୍ରସାଦ ନାୟକ ଏବଂ ଅନ୍ୟମାନେ ସାମିଲ ଥିଲେ। ଆଇଆଇସି ରବିନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।
 
 
ଜେଇ ମୃତକଙ୍କ ପରିବାରକୁ ୧୨ ଲକ୍ଷ ଦାବିରେ ରାସ୍ତାରେ ବସିଲା କଂଗ୍ରେସ
କୋରାପୁଟ : ଜାପାନୀ ଜ୍ୱରରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ପରିବାରକୁ ୧୨ଲକ୍ଷ ଟଙ୍କା କ୍ଷତିପୂରଣ ସହ କେବିକେ ଅଂଚଳର ସମସ୍ତ ଡାକ୍ତରଖାନାରେ ଡାକ୍ତର ପଦବି ପୂରଣ କରିବା ଦାବିରେ ଆଜି କଂଗ୍ରେସ ପକ୍ଷରୁ ଦୁଇ ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକାଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ସ୍ଥାନୀୟ ଟ୍ରାଫିକ ଛକରେ ଜାତୀୟ ରାଜପଥ-୨୬ଉପରେ ବସି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। 
 
ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଗାଡି ଚଳାଚଳ ହୋଇ ନ ପାରିବାରୁ ଶହ ଶହ ଗାଡି ଅଟକି ରହିଥିଲା। ଗୁମୁଡୁମାହ ଗୁଳିକାଣ୍ଡରେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ ସହ ନଗଡା ଅପପୁଷ୍ଟି ବିରୋଧରେ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଲୋଗାନ ଦିଆଯାଇଥିଲା। ଏହି ରାସ୍ତାରୋକ ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ଶିବ ପଟ୍ଟନାୟକ, ରାମଚନ୍ଦ୍ର କାଡାମ, ନଗର କଂଗ୍ରେସ ସଭାପତି ଭବାନୀ ଶଙ୍କର ମିଶ୍ର, ନିହାର ପାତ୍ର, ରୂପକ ତୁରୁକ, ହରିହର ସାହୁ, ଜି.ବିଜୟ କୁମାର, ଜୟନ୍ତ କୋଚିନ, ଅଜିତ ବାଘ, ସିଦ୍ଧାର୍ଥ କୁଲଦୀପଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।