21 August 2017
1:59:46 PM
image
Sambad News
ରାୟଗଡ଼ା

ରାୟଗଡାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ

୬ଶହ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

By Sambad | Date: Dec 27 2016 5:52AM
ରାୟଗଡାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ

ରାୟଗଡା: ରାୟଗଡା ସହରରେ ଏଣିକି ଆଉ କଚ୍ଚା ଘର ରହିବ ନାହିଁ। ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଉଚ୍ଚ ଶିକ୍ଷା ତଥା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ.ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍‌ସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭ ଉଦ୍‌ଘାଟନ କରିଥିବା ବେଳେ  ରାୟଗଡ଼ା  ଅଶୋକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମନ୍ତ୍ରୀ ଡ଼. ପାଣିଗ୍ରାହୀ ରାୟଗଡ଼ା ପୌରାଞ୍ଚଳର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ପୌରାଞ୍ଚଳର ୬ଶହ ହିତାଧିକାରୀଙ୍କୁ ଚିହ୍ନଟ କରି ଏହି କାର୍ଯ୍ୟାଦେଶ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଗୁହା ପୁନମ୍‌ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ତଥା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ.ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମେତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାଜ୍ୟସଭା ସାଂସଦ ଏନ୍‌.ଭାସ୍କର ରାଓ, କୋରାପୁଟ ସାଂସଦ ଝିନ ହିକକା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରଥ, ପୌରାଧ୍ୟକ୍ଷା ଭି.ଗୌରୀ ଜୟନ୍ତୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।

ପୈାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରି  ଯେଉଁ ବ୍ୟକ୍ତିଙ୍କ ବାର୍ଷିକ ଆଦାୟ ୧ ଲକ୍ଷ ୧୮ ହଜାର ଟଙ୍କାରୁ କମ୍‌, ନିଜସ୍ୱ ଗୃହ ନଥାଇ ଜମି ପଟ୍ଟା ଥିବ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ୪ଟି କିସ୍ତିରେ ୨ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯିବ। ବଳକା ୧ ଲକ୍ଷ ଟଙ୍କା ହିତାଧିକାରୀଙ୍କୁ ଶ୍ରମ ଦାନ କିମ୍ବା ଟଙ୍କା ଆକାରରେ ଦେବାକୁ ପଡିବ। ପୌରସଂସ୍ଥା ପକ୍ଷରୁ କାର୍ଯ୍ୟାଦେଶ ବଣ୍ଟନର ୯୦ଦିନ ମଧ୍ୟରେ ଫାଉଣ୍ଡେସନ ପକାଇ ୧ବର୍ଷ ମଧ୍ୟରେ ଘର ସଂପୂର୍ଣ୍ଣ କରିବାକୁ  ନିର୍ଦ୍ଧାରିତ କରାଯାଇଛି ବୋଲି ସୂଚନା ଦେଇଥିଲେ।

ପୌର ଉପାଧ୍ୟକ୍ଷ  ଡ଼. ନିରଂଜନ ବକ୍ସିପାତ୍ର  ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ  କୋଲନରା ଏବିଡିଓ ନୃସିଂହ ଚରଣ ପଟନାୟକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ୯ନଂ ୱାର୍ଡର କାଉନସିଲର ମଂଜୁଶ୍ରୀ ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ  ରାୟଗଡା ସହରର ୨୪ ନଂ ୱାର୍ଡରେ ସର୍ବାଧିକ ୯୩ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ୧୯ନଂ ୱାର୍ଡରେ ୭୨, ୧୧ନଂ ୱାର୍ଡରେ ୬୧, ୨୩ନଂ ୱାର୍ଡରେ ୫୭, ୧୪ନଂ ୱାର୍ଡରେ ୫୪, ୯ନଂ ୱାର୍ଡରେ ୪୫, ୧୬ନଂ ୱାର୍ଡରେ ୨୯, ୨୨ନଂ ୱାର୍ଡରେ ୨୬, ୧ ଏବଂ ୧୦ନଂ ୱାର୍ଡରେ ୨୨ ଜଣଙ୍କୁ ବାସହୀନ ଭାବେ  ଚିହ୍ନଟ କରି କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।