28 March 2017
7:19:07 PM
Sambad News
ରାୟଗଡ଼ା

ମାଙ୍ଗାନିଜ୍‌ ଟ୍ରକ୍‌ ଜବତ, ଡ୍ରାଇଭର ଅଟକ

By Sambad | Date: Dec 30 2016 11:25AM
ମାଙ୍ଗାନିଜ୍‌ ଟ୍ରକ୍‌ ଜବତ, ଡ୍ରାଇଭର ଅଟକ

ରାୟଗଡା: ରାୟଗଡା ଦେଇ ଆନ୍ଧ୍ରକୁ ଯାଉଥିବା ମାଙ୍ଗାନିଜ୍‌ ବୋଝେଇ ଟ୍ରକକୁ ଆଜି ରାୟଗଡା ବନ ବିଭାଗ ଜବତ କରିଛି। କେରେଡା ଗ୍ରାମର ଡ୍ରାଇଭର ହୁଇକା ଶଙ୍କର ରାଓଙ୍କୁ ଅଟକ ରଖି ଜେରା କରାଯାଉଛି। ମିଳିଥିବା ସୂଚନା ଅନୁସାରେ ରାୟଗଡା ରେଞ୍ଜ ଅନ୍ତର୍ଗତ ଗୁମ୍ମାରୁ ପ୍ରାୟ ୧୨ କିମି ଦୂର ବଡ ବାଲେଶ୍ୱର ନିକଟରୁ ମାଙ୍ଗାନିଜ୍‌ ସଂଗ୍ରହ କରି ଟ୍ରକ୍‌ (ଏପି ୩୫ଟିଟି ୧୪୩୬)ରେ ଆନ୍ଧ୍ରର ବୋବିଲିକୁ ବାହାରିଥିଲା। ରାୟଗଡା ସହରର କୋଟଲାଗୁଡା ତନଖି ଫାଟକ ନିକଟରେ ଗାଡି ଅଟକାଇ ଯାଞ୍ଚ ବେଳେ ମାଙ୍ଗାନିଜ୍‌ ଥିବା ଜଣାପଡିଥିଲା।

ତେବେ ଗାଡି ଡ୍ରାଇଭର ମାଙ୍ଗାନିଜ୍‌ ସଂପର୍କିତ କୌଣସି କାଗଜପତ୍ର ଦେଖାଇ ପାରିନଥିବାରୁ ବନ କର୍ମଚାରୀ ଡ୍ରାଇଭରକୁ ନେଇ ଉତ୍ତୋଳନ ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଉତ୍ତୋଳନ ସ୍ଥଳ ବନ ବିଭାଗ ଅଧିନରେ ଆସୁନଥିବାରୁ ଜବତ ଗାଡିକୁ ଖଣି ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ରେଂଜ ଅଧିକାରୀ ପ୍ରଭାକର ସେନାପତି ସୂଚନା ଦେଇଛନ୍ତି। ସୂଚନାଥାଉକି ରାୟଗଡା ରେଂଜ ଅନ୍ତର୍ଗତ କୁମ୍ଭିକୋଟା, ଗୁମ୍ମା ଏବଂ ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା ଗ୍ରାମରୁ ଦୈନିକ ବେଆଇନ ମାଙ୍ଗାନିଜ୍‌ ଗାଡି ଚୋରାଚାଲାଣ ହେଉଛି। କେତେବେଳ ଫୁଲକୋଣା ରାସ୍ତା ଦେଇ କୁମ୍ଭାରୀପୁଟ, ନୀଲାବାଡି ଦେଇ ଆନ୍ଧ୍ରକୁ ଯାଉଛି ତ ଆଉ କେତେବେଳେ ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ ଦେଇ ଆନ୍ଧ୍ରକୁ ଚାଲାଣ ହେଉଛି। ଏବଂ ଆଉ କେତେବେଳେ ରାୟଗଡା ଦେଇ ଆନ୍ଧ୍ରକୁ ଚାଲାଣ ହେଉଛି। ଏହି ଅଞ୍ଚଳ ଖଣି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି।