28 June 2017
9:27:40 PM
image
Sambad News
ରାୟଗଡ଼ା

ରାସ୍ତପାର୍ଶ୍ୱ ପାଲଟିଛି ଡମ୍ପିଂୟାର୍ଡ

By Sambad | Date: Jan 4 2017 8:00AM
ରାସ୍ତପାର୍ଶ୍ୱ ପାଲଟିଛି ଡମ୍ପିଂୟାର୍ଡ

ରାୟଗଡା,: ରାୟଗଡା ସହରରେ ଆପାର୍ଟମେଣ୍ଟ ନିର୍ମାଣ ବେଳେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ନିର୍ମାଣ ବେଳେ ରାସ୍ତା ପାର୍ଶ୍ୱ ଡ୍ରେନକୁ ମାଟି ପୂରାଇ ଭର୍ତି କରାଯାଉଛି। ଆଉ ପରବର୍ତୀ ସମୟରେ ରାସ୍ତ ପାର୍ଶ୍ୱରେ ଲୋକେ ନେଇ ଅଳିଆ ଗଦା କରିଛନ୍ତି। ଏଥିପାଇଁ ସାଧାରଣ ଜନତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ସହରର ଗାନ୍ଧୀନଗର ତେଜସ୍ୱୀ ହୋଟେଲ ଛକରେ ଏକ ଆପାର୍ଟମେଣ୍ଟ ନିର୍ମାଣ ଚାଲିଥିବା ବେଳେ ଦୁଇ ପାର୍ଶ୍ୱ ରାସ୍ତାର ଡ୍ରେନକୁ ମାଟି ପୂରାଇ ବନ୍ଦ କରିଦିଆ ଯାଇଛି। ଫଳରେ ଆପାର୍ଟମେଣ୍ଟ ନିର୍ମାଣ ସ୍ଥଳ ଚାରିପାର୍ଶ୍ୱରେ ବାସ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଡ୍ରେନକୁ ଭର୍ତି ହୋଇଥିବାରୁ ବିଭିନ୍ନ ସ୍ଥାନରେ ଆବର୍ଜନା ପାଣି ଗଛିତ ହୋଇ ରହୁଛି। ସନ୍ଧ୍ୟା ହେଲେ ମଶା ଉପଦ୍ରବ ବୃଦ୍ଧି ପାଇବା ସହ ପଚା ଦୁର୍ଗନ୍ଧ ବାହାରୁଛି। ପ୍ରାୟ ମାସେରୁ ଊର୍ଧ୍ୱ ହେଲା ଏଭଳି ଅବସ୍ଥା ଲାଗି ରହିଛି। କିନ୍ତୁ ନିର୍ମାଣକାରୀ ମାଲିକ କିମ୍ବା ପୌର ସଂସ୍ଥା ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନାହିଁ। ସେହିପରି ରାସ୍ତା ପାର୍ଶ୍ୱରେ ଇଟା, ବାଲି, ଲୁହା ଛଡ ରଖାଯାଉଥିବାରୁ ଲୋକଙ୍କୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି।

ରାସ୍ତା ସାରା ବାଲି ମାଡିଯିବାରୁ ମୋଟର ସାଇକେଲ ଯିବା ଦୂରର କଥା ଚାଲି ଚାଲିଯିବାରେ କଷ୍ଟ ହେଉଛି। ସେହିଭଳି ଆପାର୍ଟମେଣ୍ଟ ନିର୍ମାଣ ସ୍ଥଳ ଚାରିପାର୍ଶ୍ୱକୁ ବନ୍ଦ ରଖିବା ପାଇଁ ନିୟମ ରହିଥିବା ବେଳେ ଖୋଲାମେଲାରେ ନିର୍ମାଣ ଚାଲିଛି। ରାତିରେ ମଧ୍ୟ ସେହିଭଳି ଛାଡି ଦିଆଯାଉ ଥିବାରୁ ଗାଈଗୋରୁ କିମ୍ବା କେହି ଅନ୍ଧାରରେ ପଡି ଆହତ ହେବା ଆଶଙ୍କା ମଧ୍ୟ ରହିଛି। ଜିଲ୍ଲାପାଳ ଏବଂ ଏସପିଙ୍କ ବାସଭବନ ରାସ୍ତାରେ ଏଭଳି ଅନିୟମିତତା ଚାଲିଥିବା ବେଳେ କାହାରି ଦୃଷ୍ଟି ନପଡିବା ଆଶ୍ଚର୍ଯ୍ୟ ହୋଇପଡିଛି।