23 August 2017
11:14:21 PM
image
Sambad News
ରାୟଗଡ଼ା

ଦେଢ ମାସ ହେଲା ପାମ୍‌ ଅଏଲ କଂପାନିରେ ତାଲା

ଜୀବିକା ହରାଇଲେ ଶତାଧିକ ଚାଷୀ, ଶ୍ରମିକ

By Sambad | Date: Jan 5 2017 10:46AM
ଦେଢ ମାସ ହେଲା ପାମ୍‌ ଅଏଲ କଂପାନିରେ ତାଲା

ରାୟଗଡା: ରାୟଗଡା-ଆନ୍ଧ୍ର ରାସ୍ତାର ଅତଡା ନିକଟରେ ଥିବା ଲକ୍ଷ୍ମୀ ବାଲାଜୀ ଅଏଲ ପ୍ରାଇଭେଟ ଲିଃ ନାମକ ପାମ୍‌ ଅଏଲ କଂପାନି ଗତ ନଭେମ୍ବର ମାସ ୨୨ତାରିଖରୁ ବନ୍ଦ ହୋଇଯାଇଛି। ଯାହାଫଳରେ ଏହି କଂପାନି ସହ ସଂପୃକ୍ତ ଥିବା ଶତାଧିକ ଚାଷୀ ଏବଂ ଶ୍ରମିକ ଜୀବିକା ହରାଇ ବସିଛନ୍ତି। ଉକ୍ତ କଂପାନିରେ ଅତଡା ଗ୍ରାମର ବହୁ ଲୋକ ଶ୍ରମିକ ଭାବେ କାମ କରୁଥିବା ବେଳେ ମାସିକ ସେମାନଙ୍କୁ ୪ହଜାର ଟଙ୍କା ଦରମା ମିଳୁଥିଲା। ଏହାବ୍ୟତୀତ ରାୟଗଡା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ପାମ୍‌ ଅଏଲ ଚାଷୀ ଏହି ମିଲକୁ ୮୮୪ ହେକ୍ଟର ଜମିରୁ  ପାମ୍‌ ଅଏଲ ମଞ୍ଜି ଉତ୍ପାଦନ କରି ଏହି କଂପାନିକୁ ଦେଉଥିଲେ।

ତେଣୁ ୨୦୦୬ ମସିହାରୁ ପ୍ରାୟ ହଜାରରୁ ଊର୍ଧ୍ୱ ଚାଷୀ ଏବଂ ଶ୍ରମିକ ଜୀବିକା ପାଇଥିଲେ। ବର୍ଷ ତମାମ ଏବଂ ଦୈନିକ ପ୍ରାୟ ୨୦ ଘଣ୍ଟା ମିଲ ଚାଲୁଥିଲା। ଘଣ୍ଟାକୁ ୧୦ ଟନ୍‌ ତେଲ ବାହାର କରିବା କ୍ଷମତା ଥିଲା। ୧ କୁଇଣ୍ଟାଲ ମଞ୍ଜିରେ ୧୮କିଲୋ ପାମ୍‌ ଅଏଲ ବାହାରୁଥିବା ବେଳେ ଏହା ବଜାରରେ କିଲୋ ପିଛା ୮୦ଟଙ୍କାରେ ବିକ୍ରି କରାଯାଉଥିଲା। କିନ୍ତୁ ଚାଷୀଙ୍କୁ କୁଇଣ୍ଟାଲ ପିଛା ମଞ୍ଜି ପାଇଁ ଦିଆଯାଉଥିବା ମାତ୍ର ୭ଶହ ଟଙ୍କା। ଏଭଳି ବ୍ୟବସାୟ ଦ୍ୱାରା ମିଲ୍‌ର ଭଲ ଲାଭ ହେଉଥିବା ବେଳେ ମିଲ୍‌ କର୍ତ୍ତୃପକ୍ଷ ବିନା କୌଣସି ସୂଚନାରେ ଗତ ନଭେମ୍ବର ୨୨ ତାରିଖ ଦିନ ହଠାତ୍‌ ତାଲା ପକାଇ ଆନ୍ଧ୍ର ଚାଲିଯାଇଥିଲେ। ମାଲିକ ଆନ୍ଧ୍ରର ହୋଇଥିବାରୁ କୌଣସି କାମରେ ଯାଇଥିବା ନେଇ ବିଶେଷ ଗୁରୁତ୍ୱ ଦିଆଯାଇ ନଥିଲା। ପରେ କଂପାନି ବନ୍ଦ ନେଇ ସୂଚନା ମିଳିବାରୁ ମାଲିକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।

ଏପରିକି ଶ୍ରମିକଙ୍କ ବେକେୟା ପ୍ରାପ୍ୟ ବି ଦିଆଯାଇ ନଥିବାରୁ ଶତାଧିକ ଶ୍ରମିକ ଗତ ଡିସେମ୍ବର ୫ ତାରିଖରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଏବଂ ଅତିରିକ୍ତ ଶ୍ରମ ଆୟୁକ୍ତ କୁମୁଦ ଚନ୍ଦ୍ର ଦାସଙ୍କୁ ଭେଟି କହିଥିଲେ। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ପ୍ରତିଶୃତି ଦେଇଥିଲେ। ଏହାପରେ ଅତିରିକ୍ତ ଶ୍ରମ ଆୟୁକ୍ତ କୁମୁଦ ରଂଜନ ଦାସ ଏହାର ତଦନ୍ତ କରି ଗତ ୧୪ ତାରିଖରେ ଉଭୟ ପକ୍ଷଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲେ।

କିନ୍ତୁ ମାଲକ ଉକ୍ତ ତାରିଖରେ ମାଲିକ ହାଜର ନହେବାରୁ ଶତାଧିକ ଚାଷୀ ପୁଣି ଥରେ ଜିଲ୍ଲପାଳ, ଶ୍ରମ ଅଧିକାରୀ ଏବଂ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ଗୁହାରି କରିଥିଲେ। ଏସଂପର୍କରେ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଆନନ୍ଦ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ କଂପାନି ବନ୍ଦ ସଂପର୍କରେ ଜିଲ୍ଲାପାଳ ଏବଂ ବିଭାଗ ତରଫରୁ ନିର୍ଦ୍ଦେଶକଙ୍କୁ ଜଣାଇ ପଦକ୍ଷେପ ନେବାପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି। ଏକ ନିର୍ଭର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମିଲ୍‌କୁ ଅତଡା ନିକଟରୁ ଆନ୍ଧ୍ରକୁ ସ୍ଥାନାନ୍ତର ପାଇଁ ଯୋଜନା କରୁଥିବା ଜଣାପଡିଛି।