22 February 2017
11:42:39 AM
Sambad News
ରାୟଗଡ଼ା

ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତକୁ ୭ବର୍ଷ ଜେଲ୍‌

By Sambad | Date: Jan 6 2017 12:42AM
ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତକୁ ୭ବର୍ଷ ଜେଲ୍‌
Photo by : static.dnaindia.com

ଗୁଣପୁର : ଜଣେ ବିବାହିତ ମହିଳାଙ୍କୁ ଅସଦାଚରଣ କରିବା ମାମଲାର ଶୁଣାଣି କରି ଗୁଣପୁର ଏଡିଜେ ରମାନାଥ ପଣ୍ଡା ଅଭିଯୁକ୍ତକୁ ୭ବର୍ଷ ଜେଲ୍‌ ସହ ୨୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି ମଧ୍ୟ କରିଛନ୍ତି। ସୂଚନା ଅନୁଯାୟୀ, ହାଟମୁନିଗୁଡା ପଞ୍ଚାୟତ ଅନ୍ତର୍ଗତ ଝିନଝିରିପଙ୍ଗା ଗ୍ରାମର ଜନୈକ ବିବାହିତ ମହିଳାଙ୍କୁ ସେହି ଗ୍ରାମର ଲକ୍ଷ୍ମଣ ହିଆଲ(୩୨) ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। 

 
ଗତ ୨୦୧୪ ସେପ୍ଟେମ୍ବର ୨୧ତାରିଖ ରାତି ୭ଟାରେ ମହିଳା ଜଣକ ଘର ନିକଟରେ ଥିବା ନଳକୂପକୁ ଯାଇଥିଲେ। ମହିଳାଙ୍କ ସ୍ୱାମୀ ଦୀର୍ଘ ଦିନ ହେଲା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଗ୍ରାମର ଲକ୍ଷ୍ମଣ ହିଆଲ ସଂପୃକ୍ତ ମହିଳାଙ୍କୁ ଅସଦାଚରଣ କରିଥିଲେ। ଏନେଇ ମହିଳା ଜଣକ ତାଙ୍କ ଶାଶୁ ଘରେ ଜଣାଇଥିଲେ। ଏହାର ପରଦିନ ସରପଞ୍ଚଙ୍କ ଉପସ୍ଥିତିରେ ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଭିଯୁକ୍ତ ଲକ୍ଷ୍ମଣ ନିଜ ଦୋଷ ମଧ୍ୟ ସ୍ୱୀକାର କରିଥିଲା। ଏହାକୁ ଆଧାର କରି ୨୦୧୪ସେପ୍ଟେମ୍ବର ୨୫ତାରିଖରେ ମୁନିଗୁଡା ଥାନାରେ ପୀଡିତା ଏତଲା ଦେଇଥିଲେ। 
 
ପରେ ପୁଲିସ ଏନେଇ କେଶ୍‌ ନଂ- ୧୦୩/୧୪ ଅନୁଯାୟୀ ଏକ ମାମଲା ରୁଜୁ କରି ସେପ୍ଟେମ୍ବର ୨୬ତାରିଖଷର ଅଭିଯୁକ୍ତ ଲକ୍ଷ୍ମଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗୁଣପୁର ଏଡିଜେ ରମାନାଥ ପଣ୍ଡା ଆଜି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଲକ୍ଷ୍ମଣଙ୍କୁ ୭ବର୍ଷ ଜେଲ୍‌ ଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ୨୦ହଜାର ଟଙ୍କା ପୀଡିତାଙ୍କୁ ପ୍ରଦାନ କରିବା ନିମନ୍ତେ ଏଡିଜେ ନିର୍ଦେଶ ଦେଇଥିବା ଜଣାପଡିଛି।