26 February 2017
11:40:03 AM
Sambad News
ରାୟଗଡ଼ା

ଇତିଶ୍ରୀ ହତ୍ୟା ମାମଲା : ଦଣ୍ଡସେନାଙ୍କ ହେବ ନାର୍କୋଟିକ୍‌ ଟେଷ୍ଟ

ଗୁଜୁରାଟ ନେଲାଗଲା ସିବିଆଇ

By Sambad | Date: Jan 6 2017 12:48AM
ଇତିଶ୍ରୀ ହତ୍ୟା ମାମଲା : ଦଣ୍ଡସେନାଙ୍କ ହେବ ନାର୍କୋଟିକ୍‌ ଟେଷ୍ଟ

ରାୟଗଡା : ଶିକ୍ଷା ସହାୟିକା  ଇତିଶ୍ରୀ  ପ୍ରଧାନ ହତ୍ୟା ମାମଲାରେ କୂଳକିନାରା ପାଉନାହିଁ ସିବିଆଇ। ବାରମ୍ବାର ଜେରା ଏବଂ ତଥ୍ୟକୁ ଅନୁଧ୍ୟାନ କରିବା ସତ୍ୱେ ହତ୍ୟାକାରୀର ଟେର ସିବିଆଇକୁ ମିଳିଲା ନାହିଁ।  ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ଚାପ ଯୋଗୁଁ ତଦନ୍ତର ଦିଗ ବଦଳାଇବାକୁ ବାଧ୍ୟ ହୋଇଛି। ଆଉ ପ୍ରଥମ ପଦକ୍ଷେପ ସ୍ୱରୂପ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ନାର୍କୋଟିକ ପରୀକ୍ଷା ପାଇଁ ସିବିଆଇ ନିଷ୍ପତ୍ତି ନେଇଛି। ଏଥିପାଇଁ ଗତ ଶନିବାରଠାରୁ ଗୋପନୀୟ ଭାବେ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଜେଲରୁ ନେଇ ସାରିଲାଣି। ଏନେଇ ସାମାନ୍ୟ ସୁରାକ ବି କାହାକୁ ମିଳି ପାରିଲାନିି। ନେତ୍ରାନନ୍ଦଙ୍କ ନାର୍କୋ ଟେଷ୍ଟ ଗୁଜୁରାଟରେ ହେବ ବୋଲି ଜଣାପଡିଛି।
 
ଗତ ଶନିବାର ଦିନ ସିବିଆଇର ୪ ଜଣିଆ ଟିମ୍‌ କୋରାପୁଟରେ ପହଞ୍ଚିଥିଲା। ଜିଲ୍ଲା କାରାଗାର ଯାଇ ସେଠାରୁ ଆଜୀବନ କଏଦୀ ଦଣ୍ଡସେନାଙ୍କୁ ନେଇ ଯାଇଥିଲା। ତେବେ ନେତ୍ରାନନ୍ଦଙ୍କୁ ସିବିଆଇର କେଉଁ ଅଧିକାରୀ ନେଇଛନ୍ତି ତାହା ଜଣାପଡିନାହିଁ। ଏସଂପର୍କରେ କୋରାପୁଟ ଜେଲ ଅଧୀକ୍ଷକଙ୍କୁ ପଚାରିବାରୁ ସିବିଆଇ ନେଇଥିବା ସ୍ୱୀକାର କରିଥିଲେ ହେଁ କେଉଁ ଅଧିକାରୀ ନେଇଛନ୍ତି ଜାଣିନଥିବା କହିଥିଲେ। ସିବିଆଇର ଏଭଳି ଲୁଚାଛପା ଉଠାଇନେବା ଘଟଣାକୁ ତାଙ୍କ ଓକିଲ ବିଷ୍ଣୁପ୍ରସାଦ ପଣ୍ଡା ଦୃଢ ବିରୋଧ କରିଛନ୍ତି। ନେତ୍ରାନନ୍ଦଙ୍କୁ ନାର୍କୋଟିକ୍‌ ଟେଷ୍ଟ ପାଇଁ ସିବିଆଇ ଗତ ଅଗଷ୍ଟ ମାସରେ ରାୟଗଡା କୋର୍ଟରେ ଆବେଦନ କରିବା ବେଳେ ନେତ୍ରାନନ୍ଦ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ବୋଲି କହିଥିଲେ। କିନ୍ତୁ ତାଙ୍କୁ ଯାତ୍ରା ବେଳେ ସହାୟକ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ଏଭଳି ସ୍ଥିତିରେ ସିବିଆଇ ନେତ୍ରାନନ୍ଦଙ୍କ ଓକିଲ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ ନଜଣାଇ ଗତ ଶନିବାର ଦିନ ଗୁଜୁରାଟ ନେଇଥିବା ଓକିଲ ବିଷ୍ଣୁ ପ୍ରସାଦ ପଣ୍ଡା କହିଛନ୍ତି। 
 
ସୂଚନାଯୋଗ୍ୟ ଯେ ଟିକିରି ସ୍କୁଲର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ଗତ ୨୦୧୩ ମସିହା ଅକ୍ଟୋବର ୨୬ ତାରିଖରେ ସ୍କୁଲ ପରିସରରେ ନିଜ କୋଠରୀରେ ଶୋଇଥିବା ବେଳେ ଅଜଣା ଦୁର୍ବୃତ୍ତ ଦେହରେ କିରୋସିନ ନିଆଁ ଲଗାଇ ଦେଇଥିଲେ। ଇତିଶ୍ରୀଙ୍କୁ ଗୁରୁତର ଅବସ୍ଥାରେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ, ଏହାପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବିଶାଖାପାଟଣାର ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ବର ୧ ତାରିଖରେ ଇତିଶ୍ରୀ ମୃତ୍ୟୁ ବରଣ କରିଥିଲେ।