19 September 2017
5:10:43 PM
Sambad News
ରାୟଗଡ଼ା

ତେଲୁଗୁ ମତଦାତା ନିର୍ଣ୍ଣାୟକ ଭୂମିକା ନେବେ

ରାୟଗଡା ଜିଲ୍ଲା ପରିଷଦ ଜୋନ୍‌-୨

By Sambad | Date: Jan 7 2017 11:01AM
ତେଲୁଗୁ ମତଦାତା ନିର୍ଣ୍ଣାୟକ ଭୂମିକା ନେବେ

ରାୟଗଡା: ୧୩ଟି ପଞ୍ଚାୟତକୁ ନେଇ ଗଠିତ ରାୟଗଡା ସଦର ବ୍ଲକର ଜିଲ୍ଲା ପରିଷଦ ଜୋନ-୨ର ଅଧିକାଂଶ ଅଞ୍ଚଳ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଅଟେ। ଏହି ଜୋନରେ ତେଲୁଗୁ ସଂପ୍ରଦାୟର ମତଦାତା ଅଧିକ ଥିବାରୁ  ଏମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।
     

ରାୟଗଡାରୁ ଆନ୍ଧ୍ର ରାସ୍ତାର ଜେମାଦେଇପେଣ୍ଠ, କେରେଡା, ହାଟଶେଷଖାଲ, ଘାଟି ଅଞ୍ଚଳରେ ଡାଙ୍ଗଲୋଡି, ମୀରାବାଲି, କାରୁବାଇ, ବଡ ଆଲୁବାଡି, କେ.ମାଲିଗାଁ, ବାଇସିଂ, ପିପଲଗୁଡା, ଦୁର୍ଗାପାଡୁ, ବୈରାଗି ହାଲୁଆ ଏବଂ କୁଲି ଆଦି ୧୩ଟି ପଞ୍ଚାୟତଏବଂ ୧୪୭ଟି ୱାର୍ଡକୁ ନେଇ ଏହି ଜୋନ୍‌ ଗଠିତ। ଏହି ଜୋନ୍‌ରେ ୨୮ ହଜାର ୨୮୯ ଭୋଟର ମଧ୍ୟରୁ ପୁରୁଷ ଭୋଟର ୧୨ ହଜାର ୫୯୮ ଏବଂ ମହିଳା ଭୋଟର ୧୫ ହଜାର ୬୯୧ ରହିଛନ୍ତି। ଗତ ୨୦୧୨ ମସିହା ତ୍ରିସ୍ତରୀୟ ନିର୍ବାଚନ ବେଳେ ଏହି ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ପାଇଁ ବିଜେଡି, କଂଗ୍ରେସ, ବିଜେପି ଏବଂ ଅନ୍ୟାନ୍ୟ ଦଳର ୫ ଜଣ ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ  ଦଳର ଶୁଭ୍ରସ୍ମିତା ଜିଲାକାରା ୪୧୬୦ ଭୋଟ ବ୍ୟବଧାନରେ ବିଜେଡ଼ିର ହେପ୍‌ରିକା ଆମୁଲୁଙ୍କୁ ପରାସ୍ତ କରିଥିଲେ।

ଗତ ଜିଲ୍ଲାପରିଷଦ  ନିର୍ବାଚନରେ କଂଗ୍ରେସର ଶୁଭ୍ରସ୍ମିତା ଜିଲାକାରା ସର୍ବାଧିକ ୧୦ ହଜାର ୯୭୮ ଭୋଟ ପାଇଥିବା ବେଳେ ବିଜେଡ଼ିର ହେପରିକା ଆମୁଲୁ ୬ ହଜାର ୮୧୮ ଭୋଟ, ସିନାଲୁ କୋଣ୍ଡାଗରି ୨୧୪୭, ଗିତାଞଳି ପାଲକା ୧୨୨୨ ଏବଂ ଗୀତା ହୁଇକା ୬୩୯ ଭୋଟ ପାଇଥିଲେ। ଗତ ନିର୍ବାଚନ ଅପେକ୍ଷା ଏଥର  ପ୍ରାୟ ୩ ହଜାର ଭୋଟର ସଂଖ୍ୟା ବୃଦ୍ଧି ପାଇଛି।  ସେତେବେଳେ ବିଜୟୀ ଶୁଭ୍ରସ୍ମିତା ଜିଲାକାରା ଅଞ୍ଚଳର ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଉନ୍ନତି ପାଇଁ  ପ୍ରତିଶ୍ରୁତି ଦେଇଥିଲେ। ତେବେ ଶାସକ ବିଜେଡ଼ି ଦଳର ଚାପରେ ଜିଲ୍ଲା ପ୍ରଶାସନ ତାଙ୍କ  ପ୍ରସ୍ତାବିତ ଅନେକ ଉନ୍ନୟନ କାର୍ଯ୍ୟ କରେଇ ଦେଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ନିଜ ସାମର୍ଥ୍ୟ ଅନୁଯାୟୀ ଲୋକଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରିଛି ବୋଲି ଶୁଭସ୍ମିତା କହିଛନ୍ତି। ଏହି ଅଞ୍ଚଳର ଗମନାଗମନ ପାଇଁ ନାଗାବଳୀ ନଦୀ ଉପରେ ସେତୁ ନିର୍ମାଣ ସହ ଝୋଲା ବ୍ରିଜ ତାଙ୍କ ସମୟରେ ହୋଇଥିବା ନେଇ ସେ  ଦାବି କରିଛନ୍ତି।  ଆଉ ମାସେ ପରେ ପୁଣି ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳ ପ୍ରାର୍ଥୀ ଚୟନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ନିର୍ବାଚନ ପାଇଁ କୌଣସି ରାଜନୈତିକ ଦଳ ତରଫରୁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇନଥିବା ବେଳେ ବୈଠକ ପରେ ବୈଠକ ଚାଲିଛି।

   ଆଉ ଚଳିତ ଥର କିଏ ନିର୍ବାଚନ ବୈତରଣୀ ପାର ହେବ ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ଦୁର୍ଗମ ଗ୍ରାମଗୁଡିକରେ ବୈଠକ କରି ମନାଇବା ପାଇଁ ଚେଷ୍ଟା ଚଲାଇଛନ୍ତି।    ନିକଟରେ ନିଜର ସ୍ଥିତିକୁ ଦେଖାଇବା ପାଇଁ ଆଶାୟୀ ପ୍ରାର୍ଥୀ ଗାଁ ମୁହାଁ ହୋଇଛନ୍ତି। ଗତଥର ବିଜେଡ଼ିର ହାତ ଛଡ଼ା ହୋଇଯାଇଥିବା ଉକ୍ତ ଆସନକୁ  ହାତେଇବା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।  ଆଉ ଚଳିତ ଥର କିଏ ନିର୍ବାଚନ ବୈତରଣୀ ପାର ହେବ ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ଦୁର୍ଗମ ଗ୍ରାମଗୁଡିକରେ ବୈଠକ କରି ଲୋକଙ୍କୁ ମନାଇବା ପାଇଁ ଚେଷ୍ଟା ଚଲାଇଛନ୍ତି।   ଏହି ଜୋନ୍‌ରେ ଅଧିକାଂଶ ଲୋକ ତେଲୁଗୁ ଭାଷାଭାଷୀ ହେଉଥିବାରୁ ଉଭୟ ତେଲୁଗୁ- ଓଡ଼ିଆ ଜାଣିଥିବା ପ୍ରାର୍ଥୀ ଖୋଜା ଚାଲିଛି। ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କ ନିଜ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ  ତାଙ୍କ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଛି।

ଏହି ଜୋନ୍‌ର ୧୩ଟି ପଞ୍ଚାୟତର ସବୁ ଗ୍ରାମକୁ  ରାସ୍ତା ସୁବିଧା ନାହିଁ। ବାଇସିଂ ପଞ୍ଚାୟତର ଜୁରୁଡି, ଜରାବାଡି, ଉପରରାମୁ, ଜଗାଗୁଡା, ପୁଜାରିବାମୁ, ଡାଙ୍ଗଲୋଡି ପଞ୍ଚାୟତର ମେଣ୍ଟାବାଡି, ପାଙ୍ଗାବାଇ, ଡଙ୍ଗରତୁଲସି, ପାଙ୍ଗାତୁଲସି, ହାଟଶେଷଖାଲ ପଞ୍ଚାୟତର ଜୁଞ୍ଜାମଣି, ତାରାମ୍‌, କୁଲି ପଞ୍ଚାୟତର ମନ୍ତ୍ରଝୋଲା, ପିପଲଗୁଡା ପଞ୍ଚାୟତର ଟିକରପଡା ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ନାହିଁ। ସେହିଭଳି ଜେମାଦେଇପେଣ୍ଠ, କେରେଡା ଏବଂ ହାଟଶେଷଖାଲ ଗ୍ରାମର ଅନେକ ଗ୍ରାମ ନାଗାବଳୀ ନଦୀ ପାର୍ଶ୍ୱରେ ଥିବାରୁ କୂଳ ଖାଇଯାଇଥିବାରୁ ଗ୍ରାମବାସୀ ଭୟରେ ଜୀବନ ବିତାଉଛନ୍ତି।

ସାମାନ୍ୟ ବର୍ଷା ହେଲେ ଗ୍ରାମବାସୀଙ୍କ ନିଦ ହଜିଯାଉଛି। ପ୍ରାୟ ୩ ବର୍ଷ ଧରି ନଦୀ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀ ନଦୀରେ ସୁରକ୍ଷା ପାଚେରୀ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ ସେଥିପ୍ରତି ନା ଲୋକପ୍ରତିନିଧି କିମ୍ବା ପ୍ରଶାସନ କାହାରି ଦୃଷ୍ଟି ନାହିଁ। ତେଣୁ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ଯିଏ କରିବ ସେହି ଭୋଟ ପାଇବ ବୋଲି କହୁଛନ୍ତି।
 

image