28 March 2017
5:51:52 AM
Sambad News
ରାୟଗଡ଼ା

ନିୟମଗିରିରେ ନିର୍ବାଚନ ତାତି : ପ୍ରାର୍ଥୀ ବଦଳାଇଲେ, ଧମକ ଦେଲେ

ନିଷ୍ପତ୍ତିକୁ ବିରୋଧ କଲେ ଗାଁରୁ ତଡ଼ିିବା ଚେତାବନୀ

By Sambad | Date: Jan 9 2017 6:25AM
ନିୟମଗିରିରେ ନିର୍ବାଚନ ତାତି : ପ୍ରାର୍ଥୀ ବଦଳାଇଲେ, ଧମକ ଦେଲେ

କଲ୍ୟାଣସିଂହପୁର : ଏଥର ନିୟମଗିରିରେ ପଞ୍ଚାୟତ ନିର୍ବାଚନରେ ମନୋନୟନ ପ୍ରକ୍ରିୟାରେ ନେତା ବଛା ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।  ଗତ ଶୁକ୍ରବାର ଦିନ ୩୪ ଖଣ୍ଡ ଗାଁର ଲୋକଙ୍କ ଉପସ୍ଥିତିରେ ନିୟମଗିରି ସୁରକ୍ଷା ସମିତି ପ୍ରାର୍ଥୀ ବାଛିଥିଲା। ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ୧୧ଟି ୱାର୍ଡର ସଭ୍ୟଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। କିନ୍ତୁ ଆଜି ସିପିଆଇ(ଏମଏଲ) ପ୍ରତିନିଧି ଏହି ଅଞ୍ଚଳକୁ ଯିବା ପରେ ଏହି ତାଲିକାକୁ ବଦଳାଇ ଦିଆଯାଇଛି। ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। 

 
ଏଥିସହ ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତିଙ୍କୁ ତାଗିଦ କରାଯାଇଛି। ପଞ୍ଚାୟତ ନିର୍ବାଚନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହାକୁ ବିରୋଧ କଲେ ଗାଁରୁ ତଡ଼ି ଦିଆଯିବ। ଯଦି କେହି ଚାଲାକି କରନ୍ତି ସେମାନଙ୍କୁ ମଧ୍ୟ କଠୋର ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।
 
ଆଜି  ସିପିଆଇଏମଏଲ ଲିବେରସନ ରାଜ୍ୟ ସମିତି ସଦସ୍ୟ ରାମଚନ୍ଦ୍ର ପ୍ରାସ୍କା, ବ୍ଲକ ସମ୍ପାଦକ ଏମ. ଗରଡ଼ିଆ, ଜିଲ୍ଲା କମିଟି ସଦସ୍ୟ ସୁରେଶ ମହାନନ୍ଦିଆ, ପାର୍ସାଲି ସମ୍ପାଦକ ରାଜେନ୍ଦ୍ର ନାୟକ ପ୍ରମୁଖ ନିୟମଗିିରିର ଡଙ୍ଗାମାଟି ଲାଖପଦରକୁ ଯାଇଥିଲେ। ସେଠାରେ ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିିକକା, ଡ୍ରିଞ୍ଜ କୁଲୁସିକା, ହୁଇକା ସାମ୍ବା, କୃଷ୍ଣ ସିକକା, ଦଦି ସିକକା, ଡ୍ରିକା କାଡ଼୍ରାକାଙ୍କ ସମେତ ବହୁ ଡଙ୍ଗରିଆ କନ୍ଧଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଉପରୋକ୍ତ ନିଷ୍ପତ୍ତି ସମ୍ପର୍କରେ ପ୍ରତିନିଧି ଦଳ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏନେଇ ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦସିକକାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଏଠାରେ ପ୍ରକାଶ ଥାଉକି କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତରେ ମଧ୍ୟ ଅନୁରୂପ ପ୍ରାର୍ଥୀ ଚୟନ କରାଯାଇଛି। କିନ୍ତୁ ଏନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।
 
ସୂଚନାଯୋଗ୍ୟ ଯେ ସିପିଆଇ ଏମ୍‌ଏଲ୍‌ ଏହି ଅଞ୍ଚଳରେ ନିଜ ଦବଦବା କାଏମ ରଖିବାକୁ ବିଜେଡି, ବିଜେପି, କଂଗ୍ରେସ କିମ୍ବା ଅନ୍ୟ କେଉଁ ଦଳଙ୍କୁ ଏଠାରେ ପୂରାଇ ନ ଦେବାକୁ ଯୋଜନା ଚଳାଇଛି।