21 January 2017
5:34:19 AM
image
Sambad News
ରାୟଗଡ଼ା

ଗୁଣପୁରେ କୋର୍ଟରେ ହାଜର ହେଲେ ସବ୍ୟସାଚୀ

By Sambad | Date: Jan 12 2017 6:57AM
ଗୁଣପୁରେ କୋର୍ଟରେ ହାଜର ହେଲେ ସବ୍ୟସାଚୀ

ଗୁଣପୁର : ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି କଡା ସୁରକ୍ଷା ମଧ୍ୟରେ ଗୁଣପୁର ଏଡିଜେ କୋର୍ଟରେ ହାଜର କରାଯାଇଛି। ସବ୍ୟସାଚୀଙ୍କ ବିରୋଧରେ ଥିବା ୨୧ଟି ମାମଲା ମଧ୍ୟରୁ ୪ଟି ମାମଲାର ଶୁଣାଣି ନିମନ୍ତେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୪ଟି ମାମଲାରେ ଚାର୍ଜ ଫ୍ରେମ୍‌ ନକରିବା ସହ ଟ୍ରାଏଲ ମଧ୍ୟ ନକରିବା ଏବଂ ଡିସ୍‌ଚାର୍ଜ କରିବା ନିମନ୍ତେ ସବ୍ୟସାଚୀଙ୍କ ପକ୍ଷରୁ ଓକିଲ ବହ୍ମାନନ୍ଦ ପଟ୍ଟନାୟକ ଜବାବ ରଖିଥିଲେ।
 
ତେବେ ସିଟି ୬୫/୧୬ରେ ଏଡିଜେ କୋର୍ଟରେ ଥିବା ଏକ ମାମଲା ଉପରେ ଆଜି ଏଡିଜେ ରମାନାଥ ପଣ୍ଡା ବିଚାର କରିଥିଲେ। ଗତ ୨୦୧୩ ସେପ୍ଟେମ୍ବର ୩ତାରିଖରେ ଚନ୍ଦ୍ରପୁର ବ୍ଲକ ଲିଡିଂପଦରର ଘଞ୍ଚ ଜଙ୍ଗଲରେ କିଛି ଆଧ୍ୟାତ୍ମିକ ସଂପର୍କିତ ଲିଖିିତ ପୁସ୍ତିକା ଯାହାର ରଚୟିତା ନିଜେ ସବ୍ୟସାଚୀ ପଣ୍ଡା ଥିବା କିଛି ପୁସ୍ତିକାକୁ ପୁଲିସ ଜବତ କରିଥିଲା। ସେହିପରି ୨୫କିଲୋ ତାର ମଧ୍ୟ ଜବତ ହୋଇଥିଲା। ଏନେଇ ଦଫା ୪ ଓ ୫ ବିସ୍ଫୋରଣ ମାମଲାରେ ସବ୍ୟସାଚୀଙ୍କ ବିରୋଧରେ ଚନ୍ଦ୍ରପୁର ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି ନିମନ୍ତେ ଜାନୁଆରି ୧୯ତାରିଖ ଧାର୍ଯ୍ୟ ହୋଇଥିବାରୁ ଏହି ରାୟକୁ ସଂରକ୍ଷିତ ରଖାଯାଇଛି। ସେହିପରି ସିଟି ୬୦,୬୬,୬୨/୧୬ ମାମଲା ଗୁଡିକର ମଧ୍ୟ ଜାନୁୟାରି ୧୯ତାରିଖରେ ଶୁଣାଣି କରିବା ପାଇଁ ଧାର୍ଯ୍ୟ ହୋଇଛି।  ଅନ୍ୟପଟେ ଅବଶିଷ୍ଟ ମାମଲା ଗୁଡିକର ଶୁଣାଣି ନିମନ୍ତେ ଆସନ୍ତା ଫେବ୍ରୁଆରି ୨ତାରିଖରେ ସବ୍ୟସାଚୀଙ୍କୁ ହାଜର ହେବାକୁ ଏଡିଜେ ଶ୍ରୀ ପଣ୍ଡା ଶୁଣାଣି କରିଛନ୍ତି।
 
ଏଥି ପୂର୍ବରୁ ସବ୍ୟସାଚୀଙ୍କୁ ଗୁଣପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ପ୍ରକାଶ ଥାଉକି, ବିଷମକଟକ କୋର୍ଟ ଅଧୀନରେ ଥିବା ୪ଟି ମାମଲା ଉପରେ ଗତ ଡିସେମ୍ବର ୨୨ତାରିଖରେ ସବ୍ୟସାଚୀଙ୍କୁ ହାଜର କରାଯାଇଥିଲା। ସୂଚନା ଅଧିକାର ଆଇନ ଅନୁଯାୟୀ ଏସ୍‌ପିଙ୍କୁ ଏହି ୪ଟି ମାମଲା ଗୁଡିକର ତଥ୍ୟ ମଗାଯାଇଥିଲା। ତେବେ ଏହି ମାମଲା ଗୁଡିକର ନଥିପତ୍ର ଜୟପୁରରେ ରହିଥିବାରୁ ସେଠାରୁ ତଥ୍ୟ ଆସିବା ପରେ ଶୁଣାଣି ହେବ ବୋଲି ଏସଡିଜେଏମ ସୁଶାନ୍ତ ମଣି ଶୁଣାଣି କରିଥିଲେ। ଆସନ୍ତାକାଲି ସବ୍ୟସାଚୀଙ୍କୁ ରାୟଗଡା ସିଜେଏମ ଓ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ହାଜର କରାଯିବାକୁ ଥିବାରୁ ତାଙ୍କୁ ଆଜି ଗୁଣପୁର ବିଚରାଧୀନ ଜେଲରେ ରଖାଯାଇଥିବା ଜଣାପଡିଛି। ସବ୍ୟସାଚୀଙ୍କ ପକ୍ଷରୁ ଗୁଣପୁରର ବ୍ରହ୍ମାନନ୍ଦ ପଟ୍ଟନାୟକ ଓ ବ୍ରହ୍ମପୁରର ଦୀପକ ପଟ୍ଟନାୟକ ମାମଲା ଗୁଡିକର ପରିଚାଳନା କରିଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଓକିଲ ଉମାଚରଣ ପଟ୍ଟନାୟକ ପରିଚାଳନା କରିଥିଲେ।