21 July 2017
1:58:35 AM
image
Sambad News
ସମ୍ବଲପୁର

ଯୁଯୁମୁରା ଧାନ ଦୁର୍ନୀତି: କୁଇଣ୍ଟାଲ ପିଛା କମିସନ ୫୦ ଟଙ୍କା

ନକଲି ଭାଗ ଚାଷୀଙ୍କ ସମେତ ୨ ଗିରଫ

By Sambad | Date: Dec 27 2016 5:25AM
ଯୁଯୁମୁରା ଧାନ ଦୁର୍ନୀତି: କୁଇଣ୍ଟାଲ ପିଛା କମିସନ ୫୦ ଟଙ୍କା

ସମ୍ବଲପୁର: ଧାନ ଦୁର୍ନୀତି ମାମଲାରେ ସମ୍ବଲପୁର ଜିଲ୍ଲାରେ ପୁଣି ୨ ଜଣ ଗିରଫ ହୋଇ ଜେଲ୍‌ ହାଜତକୁ ଯାଇଛନ୍ତି। ଏଥି ସହିତ କାଗଜପତ୍ର ଜାଲିଆତି କରି ଧାନ ବିକିବା ପାଇଁ ଜମି ପଂଜୀକରଣ କରିଥିବା ଅଭିଯୋଗରେ ଗିରଫ ବ୍ୟକ୍ତିିଙ୍କ ସଂଖ୍ୟା ୭ରେ ପହଂଚିଛି। ଅପରପକ୍ଷରେ ବେପାରିମାନଙ୍କୁ ମଣ୍ଡିରେ ଧାନ ବିକିବା ପାଇଁ ଜାଲ୍‌ କାଗଜପତ୍ର ଯୋଗାଉଥିବା ତଥାକଥିତ ଚାଷୀଙ୍କୁ କୁଇଣ୍ଟାଲ ପିଛା ୫୦ ଟଙ୍କା ଲେଖାଏଁ ଦିଆଯାଉଥିବା ଅନୁସନ୍ଧାନରୁ ଜଣାପଡ଼ିଛି।
 

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କଂସର ପଞ୍ଚାୟତ ବୁଢ଼ିଆକଟା ଗାଁ ନିବାସୀ ସାନ ଗାନ୍ଧାରୀ, ତୋଷ ମୁଣ୍ଡା ଓ କନ ମୁଣ୍ଡା ନାମରେ ଯଥାକ୍ରମେ ୧୧ ଏକର ୮୭ ଡେସିମିଲ, ୨୭ ଏକର ୮୧  ଡେସିମିଲ୍‌ ଓ ୧୫ ଏକର ୬୫ ଡେସିମିଲ୍‌ ଜମି ରହିଛି। ସେମାନଙ୍କ ପରିବାରବର୍ଗ ଏବେ ଜମିକୁ ନିୟମିତ ଚାଷ କରି ଆସୁଛନ୍ତି। ହେଲେ ଯୁଯୁମୁରା ଛକରେ ଚାଓମିନ୍‌ ଦୋକାନ ଦେଇଥିବା ମାସିଦାସ ଟପ୍ନୋ ନିଜକୁ ଭାଗ ଚାଷୀ ଦର୍ଶାଇ ସେମାନଙ୍କ ଜମିରେ ଧାନ ବିକିବା ପାଇଁ ନାମ ପଂଜୀକରଣ କରାଇଥିଲା।

ମାସିଦାସର ନିଜ ଘର ବୁଢ଼ିଆକଟା ଗାଁରେ ହୋଇଥିବା ବେଳେ ସେ ତାର ଶ୍ୱଶୁରଘର ଗାଁ ଯୁଯୁମୁରା ପାଖ ଗୟଲଗୁଡ଼ିରେ ରହୁଛି। ମାସିଦାସ ନିଜେ ଚାଷ କରୁ ନାହିଁ। ତେବେ ମିଥ୍ୟା ତଥ୍ୟ ଦେଇ ଜମି ପଂଜୀକରଣ କରାଇ ସେ ୧ ଲକ୍ଷ ୮୬ ହଜାର ଟଙ୍କାର ଧାନ ବିକିଥିଲା।  ଗତ ୨୪ ତାରିଖ କନ, ତୋଷ ଓ ସାନଙ୍କ ସଂପର୍କୀୟ ଶିବଲାଲ ହର ଓ ଅନ୍ୟ ୪ ବ୍ୟକ୍ତିି ଯୁଯୁମୁରା ଥାନାରେ ଘଟଣା ସଂକ୍ରାନ୍ତରେ ଏତଲା ଦେଇଛନ୍ତି। ଯୁଯୁମୁରା ଥାନା ପୁଲିସ୍‌  ମାସିଦାସ ଟପ୍‌ନୋ ଓ ଅନ୍ୟମାନଙ୍କ ନାମରେ ଆଇପିସର ଧାରା ୪୧୯(ଭାଗ ଚାଷୀ ନହୋଇ ମିଥ୍ୟା ପରିଚୟ ଦେବା), ୪୨୦(ଠକେଇ), ୪୬୮ ଓ ୪୭୧( କାଗଜପତ୍ର ଜାଳିଆତି କରିବା) ଆଦି ଦଫାରେ କେସ୍‌ ନମ୍ବର ୧୪୬/୨୪.୧୨.୨୦୧୬ ରୁଜୁ କରିଥିଲା। ପ୍ରାଥମିକ ତଦନ୍ତ ପରେ ଆଜି ପୁଲିସ୍‌ ମାସିଦାସ ଟପ୍ନୋ ଓ ସୁନୀଲ ବାର୍ଲାକୁ ଗିରଫ କରି କୋର୍ଟଚାଲାଣ କରିଛି।

ସୁନୀଲର ସହଯୋଗରେ ମାସିଦାସ କାଗଜପତ୍ର ପ୍ରସ୍ତୁତ କରି ଧାନ ବିକ୍ରି କରିଥିବା ପୁଲିସ୍‌ କହିଛି। ତେବେ ତଦନ୍ତ ବେଳେ ମାସିଦାସ ସଂପୃକ୍ତ କାଗଜପତ୍ରରେ କୌଣସି ଦଲାଲକୁ ଧାନ ନବିକି ନିଜ ଧାନ ମଣ୍ଡିରେ ବିିକିଥିବା ପୁଲିସ୍‌କୁ କହିଛି। ତେବେ ଯୁଯୁମୁରା ପୁଲିସ୍‌ ସ୍ଥାନୀୟ ଆର୍‌ଆଇଙ୍କଠାରୁ ରିପୋର୍ଟ ମାଗିଛି। ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ରିପୋର୍ଟ ମଧ୍ୟ ସଂଗ୍ରହ କରିଛି। ଅପରପକ୍ଷରେ ମାସିଦାସ ନାମରେ ଅଭିଯୋଗ ହେବା ପରେ ସେ ବିକ୍ରି କରିଥିବା ଧାନ ବାବଦ ଅର୍ଥକୁ ବିଭାଗ ଆଉ ଦେଇନଥିବା ଯୁଯୁମୁରା ଥାନା ଅଧିକାରୀ ବିଶ୍ୱପତି ପଣ୍ଡା ସୂଚନା ଦେଇଛନ୍ତି।

ତେବେ ଏହି ମାମଲାରେ ଯେଉଁମାନେ ସଂପୃକ୍ତ ସମସ୍ତେ ଗିରଫ ହେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସାହାସପୁରରେ ମଧ୍ୟ ସମାନ ଧରଣର ଦୁର୍ନୀତି ହୋଇଥିଲା। ସେହି ମାମଲାରେ ସଂପୃକ୍ତ ପେକ୍ସର ସଂପାଦକ ସାଂଗକୁ ଅନ୍ୟ ଜଣେ କର୍ମଚାରୀ, ଧାନ ବେପାରି ପ୍ରମୁଖ ଗିରଫ ହୋଇଥିଲେ। ଯୁଯୁମୁରା ପୁଲିସ୍‌ ଯଦି ସମସ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ ନକରେ, ତାହେଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ବିଜେପିର ବରିଷ୍ଠ ନେତା ବେଣୁଧର ଦାଶ କହିଛନ୍ତି। ଏହି ମାମଲାରେ କେତେକ ବରିଷ୍ଠ ଅଧିକାରୀ ଧାନ ବେପାରି ଓ ପେକ୍ସ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ ଚଲାଇଛନ୍ତି। ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ଦାଶ କହିଛନ୍ତି।