25 June 2017
9:00:38 AM
Sambad News
ସମ୍ବଲପୁର

ଅଂଗନବାଡ଼ି ସହାୟିକାଙ୍କୁ ବହିଷ୍କାର ଦାବି

ମହିଳାଙ୍କ ରାସ୍ତାରୋକ ଉଦ୍ୟମ

By Sambad | Date: Dec 28 2016 5:07AM
ଅଂଗନବାଡ଼ି ସହାୟିକାଙ୍କୁ ବହିଷ୍କାର ଦାବି

ରେଢ଼ାଖୋଲ: ରେଢ଼ାଖୋଲ ବ୍ଲକ୍‌ ବେତଗଡ଼ ଗାଁରେ ଜଣେ ଅଂଗନବାଡ଼ି ସହାୟିକାଙ୍କୁ ନିଯୁକ୍ତି ନେଇ ମହିଳାମାନେ ପ୍ରତିବାଦରେ ରାଜରାସ୍ତା ଅବରୋଧ ଉଦ୍ୟମ କରିବା ସହ ସଂପୃକ୍ତ ସହାୟିକାଙ୍କୁ ବହିଷ୍କାର ଦାବି କରିଛନ୍ତି। ରେଢ଼ାଖୋଲ ଉପଜିଲ୍ଲାପାଳ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଆସନ୍ତା ୧୫ ଦିନ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଲା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି। ଗତ ୧୬ ନଭେମ୍ବରରୁ ଏନେଇ ମହିଳାମାନେ ପ୍ରତିବାଦ କରି ଆସୁଛନ୍ତି।

ମଂଗଳବାର ଗାଁର ଶତାଧିକ ମହିଳା ରାଜରାସ୍ତା ଉପରକୁ ଓହ୍ଲାଇବାକୁ ଉଦ୍ୟମ କରୁଥିବା ବେଳେ ଘଟଣାସ୍ଥଳକୁ ରେଢ଼ାଖୋଲ ଏସଡିପିଓ ରବିନ୍ଦ୍ର ମଲିକ, ବ୍ଲକ୍‌ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ପ୍ରମୁଖ ବୁଝାସୁଝା କରିଥିଲେ। ରାସ୍ତା ଅବରୋଧକୁ ଟାଳି ଦିଆଯାଇଥିଲା। ହେଲେ, ମହିଳାମାନେ ପରେ ଉପଜିଲ୍ଲାପାଳଙ୍କ ଅଫିସ୍‌କୁ ଆସି କାର୍ଯ୍ୟରେ ଅନିୟମିତତା କରୁଥିବା ସହାୟିକା ମାମିି ସାହୁଙ୍କୁ ତୁରନ୍ତ ବହିଷ୍କାର ପାଇଁ ଦାବି କରିଥିଲେ। ଉପଜିଲ୍ଲାପାଳ ପ୍ରସନ୍ନ ଦାସ ଏ ସଂପର୍କରେ ଅନୁଧ୍ୟାନ ଓ ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ ମହିଳାମାନେ ଗତ ଏକ ମାସରୁ ଅଧିକ ସମୟ ହେଲା ଏନେଇ ଆନ୍ଦୋଳନ କରି ଆସୁଥିଲେ ସୁଦ୍ଧା ବିଭାଗୀୟ କର୍ତୃପକ୍ଷ ପଦକ୍ଷେପ ନେବାରେ ଅବହେଳା କରୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ପୂର୍ବରୁ ସେମାନେ ଅଂଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଥିବା ବେଳେ ସ୍କୁଲ ପରିସରରେ ମଧ୍ୟ ବିଭିନ୍ନ କାରଣ ନେଇ ଉତ୍ତେଜନା ଲାଗି ରହୁଛି। ଏହି ଆନ୍ଦୋଳନରେ ପନ୍ଥେଇ ମା’ ଦୁର୍ଗା ମହିଳା ସଂଗଠନର ସଭାନେତ୍ରୀ ଚାନ୍ଦନୀ ପ୍ରଧାନ, ସୁଜାତା ଦେହୁରୀ, ଗୀତାଂଜଳି ଦେହୁରୀ, ପଦ୍ମାବତୀ ପ୍ରଧାନ, ଶିରି ରଂଗଚୁନ୍ଦିଆ, ସନ୍ତୋଷିନୀ ଦେହୁରୀ ପ୍ରମୁଖ ସାମିଲ ଥିଲେ।