26 February 2017
11:39:54 AM
Sambad News
ସମ୍ବଲପୁର

କବି ଗୋପାଳକୃଷ୍ଣ ରଥଙ୍କ ପରଲୋକ

By Sambad | Date: Dec 31 2016 1:14AM
କବି ଗୋପାଳକୃଷ୍ଣ ରଥଙ୍କ ପରଲୋକ

ସମ୍ବଲପୁର : କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ପ୍ରଫେସର୍‌ ଡ. ଗୋପାଳକୃଷ୍ଣ ରଥଙ୍କର ଶୁକ୍ରବାର ଅପରାହଣ ୩ଟା ୨୦ ମିନିଟ୍‌ରେ ପୁନେଠାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଗତ ୧୯ ତାରିଖ ଦିନ ପୁନେର ରୁବି ହଲ୍‌ ହସ୍‌ପିଟାଲ୍‌ରେ ତାଙ୍କର ହୃଦୟରେ ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ଶୁକ୍ରବାର ଏକାଧିକ ଅଙ୍ଗ ଅକାମୀ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। 

 
ନିକଟରେ ପତ୍ନୀ ଡ. କିରଣବାଳା ରଥ, ଝିଅ ରୋଜି ରଥ, ଜ୍ୱାଇଁ ଆଶୁତୋଷ ରଥ ଏବଂ ଚାରି ନାତିନାତୁଣୀ ଉପସ୍ଥିତ ଥିଲେ। ପ୍ର. ରଥ ସନ୍ୟାସ ଦୀକ୍ଷା ଗ୍ରହଣ କରିଥିବାରୁ ଶୁକ୍ରବାର ରାତିରେ ପୁନେର ପିମ୍ପିରି-ଛିଞ୍ଚଓ୍ଵାଡ୍‌ଠାରେ ତାଙ୍କୁ ଭୂ-ସମାଧି ପ୍ରଦାନ କରାଯାଇଛି। ଶୁକ୍ରବାର ତାଙ୍କ ମୃତ୍ୟୁ ଖବର ପରେ ସମ୍ବଲପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଓଡ଼ିଶାର ସାହିତ୍ୟ ମହଲ ସ୍ତବ୍‌ଧ ହୋଇଯାଇଛି। ଶୁକ୍ରବାର ସଂଧ୍ୟାରେ ସମ୍ବଲପୁରରେ ହେବାକୁ ଥିବା ସମ୍ବାଦ-ସାହିତ୍ୟ ଘର ଶୀତ ଆସର ଶୋକସଭାରେ ପରିବର୍ତିତ ହୋଇଥିଲା। କବିତା ପାଠ ବନ୍ଦ କରି କବିମାନେ ନିରବ ପ୍ରାର୍ଥନା କରିବା ସହ ପ୍ର. ରଥଙ୍କ ସ୍ମୃତିଚାରଣ କରିଥିଲେ।
 
ସୂଚନାଯୋଗ୍ୟ, ଗତ ଜୁଲାଇ ୧୦ ତାରିଖରେ ପ୍ର. ରଥଙ୍କର ବଡ଼ ପୁଅ ବଜାଜ୍‌ କମ୍ପାନିର ଏଚ୍‌ଆର୍‌ ପ୍ରେସିଡେଣ୍ଟ ଅମୃତ ରଥ ଏବଂ ବୋହୁ ପଦ୍ମଜା ରଥଙ୍କର ମୁମ୍ବାଇ-ପୁନେ ହାଇେଓ୍ଵରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଅମୃତଙ୍କ ପୁଅ ଓ ଝିଅ ମଧ୍ୟ ଉକ୍ତ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଏହା ପରଠାରୁ ପ୍ର. ରଥ ଏବଂ ପତ୍ନୀ ଡ. କିରଣବାଳା ରଥ ନାତିନାତୁଣୀଙ୍କ ସହ ପୁନେରେ ରହି ଆସୁଥିଲେ। ପୂର୍ବରୁ ପ୍ର. ରଥଙ୍କର ସାନ ପୁଅ ଶାଶ୍ୱତ ରଥ ଛାତ୍ରାବସ୍ଥାରେ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ।
 
ପ୍ର. ରଥ ଆଠ ବର୍ଷ ଧରି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସାହିତ୍ୟ ପତ୍ରିକା ‘ସପ୍ତର୍ଷି’ର ସଂପାଦକ ଥିଲେ। ୧୯୮୦ରୁ ୮୬ ପର୍ଯ୍ୟନ୍ତ ସେ ସମ୍ବଲପୁରରୁ ପ୍ରକାଶ ପାଉଥିବା ଦୈନିକ ହୀରାଖଣ୍ଡର ସାହିତ୍ୟ ପୃଷ୍ଠା ‘ସୃଜନୀ’ର ସଂପାଦକ ଥିଲେ। ୨୦୧୦ରେ ପ୍ରକାଶିତ କବିତା ସଂକଳନ ‘ବିପୁଳ ଦିଗନ୍ତ’ ପାଇଁ ପ୍ରଫେସର ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା।