28 March 2017
5:55:24 AM
Sambad News
ସମ୍ବଲପୁର

ଅନୈତିକ ସଂପର୍କରୁ ଯୁବକଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଫେରାର

By Sambad | Date: Jan 3 2017 5:40AM
ଅନୈତିକ ସଂପର୍କରୁ ଯୁବକଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଫେରାର

ଲାଞ୍ଜିଗଡ଼: ଅନୈତିକ ସଂପର୍କକୁ କେନ୍ଦ୍ର କରି ରବୀନ୍ଦ୍ର ସୁନା (୨୧) ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣାର ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ନର୍ଲା ଥାନା ଅନ୍ତର୍ଗତ ମାହେଶ୍ୱରୀପୁର ଗାଁର ରବୀନ୍ଦ୍ର ମାସେ ତଳେ ଏସ୍‌ବିଆଇର ରିକଭରି ଅଫିସର ଭାବେ ଯୋଗ ଦେଇଥିଲେ। ଗତ ୩୧ତାରିଖ ଦିନ ଡିଉଟିକୁ ଯାଇଥିଲେ। ମାତ୍ର ସେ ଆଉ ଘରକୁ ଫେରି ନଥିଲେ। ଦିନ ସାରା ଘର ଲୋକେ ଖୋଜି ଖୋଜି ନ ପାଇବାରୁ ପ୍ରଥମେ ଶିକେରକୁପା ଫାଣ୍ଡି ଓ ପରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଇଆଇସି ଉଲ୍ଲାସ ମାଝୀ ଏବଂ ଶିକେରକୁପା ଫାଣ୍ଡି ଅଧିକାରୀ ଅଜୟ ନାୟକଙ୍କ ନେତୃତ୍ୱରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ରବୀନ୍ଦ୍ର ୩୧ ତାରିଖ ରାତିରେ ଘରକୁ ନଫେରି ତା’ଙ୍କ ଜଣେ ସଂପର୍କୀଙ୍କ ଘରେ ଶୋଇଥିଲେ। ସେହି ପଡ଼ାର ଜଣେ ବିବାହିତା ମହିଳାଙ୍କ ସହ ତାଙ୍କ ଅନୈତିକ ସଂପର୍କ ଥିଲା ଏବଂ ସଂପୃକ୍ତ ମହିଳାଙ୍କ ସ୍ୱାମୀ ପୂର୍ବରୁ ଧମକ ଚମକ ଦେଇଥିବା ପୁଲିସ ଜାଣି ପାରିଥିଲା। ସନ୍ଦେହରେ ସେହି ମହିଳାଙ୍କ ପୁଅକୁ ପୁଲିସ ଧରି ନେଇ ପଚରା ଉଚରା କରିବା ବେଳେ ତାର ବାପା ମନୋଜ ବାଗ ଓ ଆଉ ତିନି ଜଣ ମିଶି ରବୀନ୍ଦ୍ରଙ୍କୁ ହତ୍ୟାକରି ଗାଁ ନିକଟ ସାନ୍ଦୁଲ ନଦୀକୂଳରେ  ଥିବା ଏକ ଖାଲରେ ଫିଙ୍ଗି ଦେଇଥିବା ଜଣାପଡ଼ିଥିଲା।

ଉକ୍ତ ସୂଚନା ଆଧାରରେ ପୁଲିସ ମାହେଶ୍ୱରୀପୁର ଗାଁର ଚାରିଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମନୋଜ ଏଯାଏ ପୁଲିସ ହାତରେ ଧରା ପଡ଼ି ନାହିଁ। ରବୀନ୍ଦ୍ରଙ୍କ ଭାଇ ଅଭିରାମ ସୁନାଙ୍କ ଅଭିଯୋଗକ୍ରମେ ନର୍ଲା ଥାନା କେସ ନଂ୧/୨୦୧୭ରେ ଏକ ମାମାଲା ରୁଜୁକରି ଘଟଣାସ୍ଥଳରୁ ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।