18 January 2017
7:28:12 PM
Sambad News
ସମ୍ବଲପୁର

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବରେ ତୁମୁଳକାଣ୍ଡ

ପରୀକ୍ଷା ଖାତାର ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଅଭିଯୋଗ

By Sambad | Date: Jan 4 2017 6:19AM
ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବରେ ତୁମୁଳକାଣ୍ଡ

ବୁର୍ଲା : ମଙ୍ଗଳବାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପରୀକ୍ଷା ଖାତାର ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଅଭିଯୋଗ ଆଣି  ରାଉରକେଲା କଲେଜ, ଗାନ୍ଧୀ କଲେଜ, ନୀଳଶୈଳ କଲେଜ, ବେଦବ୍ୟାସ କଲେଜ୍‌, ଏସ୍‌ଜି ମହିଳା କଲେଜର ଛାତ୍ରଛାତ୍ରୀମାନେ ଲଙ୍କାକାଣ୍ଡ କରିଥିଲେ। ଅପରପକ୍ଷେ, ଛାତ୍ରଛାତ୍ର୍ରୀଙ୍କୁ ଏନେଇ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ପୁଲିସ୍‌ ଜଣେ ଅଣଛାତ୍ର ଅଶ୍ୱିନୀ ମାଝିକୁ ଗିରଫ କରିଛି।
 
ବିଶ୍ୱବିଦ୍ୟାଳୟ ସହବନ୍ଧିତ ରାଉରକେଲାର ଏହି ପାଞ୍ଚଟି କଲେଜର ଶତାଧିକ ସ୍ନାତକ ଛାତ୍ରଛାତ୍ରୀ  ପ୍ଲାକାର୍ଡ ଧରି ଏକ ରାଲିରେ ପହଞ୍ଚିଥିଲେ। ବିଶ୍ୱବିଦ୍ୟାଳୟ ମୁଖ୍ୟଫାଟକ ସମ୍ମୁଖରେ ଟାୟାର ନିଆଁରେ ପଢ଼ା ବହି ଓ ଖାତା ପକାଇ ଜାଳିଥିଲେ। ସ୍ନାତକ ପରୀକ୍ଷା ଖାତାର ମୂଲ୍ୟାଙ୍କନ ତ୍ରୁଟିପୂର୍ଣ୍ଣ ଥିବା ଅଭିଯୋଗ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଛି ବୋଲି କହିଥିଲେ।
 
ଟପ୍ପର ହେଉଥିବା ପିଲାଙ୍କ କିଛି ବିଷୟରେ ଶୂନ ଓ ୧/୨ ନମ୍ବର ଦିଆଯାଉଥିବା ବେଳେ ଗୋଟେ ଗୋଟେ କଲେଜର ୮୦ ପ୍ରତିଶତ ପିଲା ଏଭଳି ଖାମଖିଆଲି ମୂଲ୍ୟାଙ୍କନର ଶିକାର ହୋଇ ଫେଲ୍‌ ହୋଇଛନ୍ତି। ନିଶୁଳ୍‌କରେ ପରୀକ୍ଷା ଖାତାର ଜେରକ୍ସ କପି ପ୍ରଦାନ ସହ କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ ବିନା ସର୍ତ୍ତରେ ପାସ୍‌ କରାଯିବାକୁ ଦାବି କରିଥିଲେ। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଅଧିକାରୀ ଡ.ଶିଶିର ସ୍ୱାଇଁ ସେମାନଙ୍କ ସହ ଆଲୋଚନା କରିଥିଲେ। ତେବେ ଆଲୋଚନା ବିଫଳ ହୋଇଥିଲା। କୁଳପତିଙ୍କ ସହ ଆଲୋଚନା କରିବାକୁ ଜିଦ୍‌ କରିଥିଲେ। ପୁଲିସ୍‌ ଛାଉଣିକୁ ଭାଙ୍ଗି ବିଭିନ୍ନ ସ୍ଲୋଗାନ ଦେବା ସହ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବିଜୁପଟ୍ଟନାୟକ ପ୍ରେକ୍ଷାଳୟକୁ ସମ୍ମୁଖକୁ ପହଞ୍ଚିଥିଲେ। 
 
ପୁଲିସ୍‌ର ଅବରୋଧ ଯୋଗୁଁ ସ୍ଥିତି ଅଣାୟତ୍ତ ହୋଇଥିଲା। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଟେଣ୍ଟ୍‌, ଫୁଲ ଗମଲା ସବୁ ଭଙ୍ଗାରୁଜା କରିଥିଲେ। ପୁଲିସ୍‌ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ଠେଲାପେଲା ହୋଇଥିଲା। କିଛି ଛାତ୍ରଛାତ୍ରୀ ପ୍ରେକ୍ଷାଳୟ ଭିତରକୁ ଧଶେଇ ପଶିଥିଲେ। ପ୍ରତିଷ୍ଠା ଦିବସର ସଭାରେ ଆଲୋଚନା ପାଇଁ ଦାବି କରିଥିଲେ। ଅନେକ ବୁଝାସୁଝା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।